ମୁମ୍ବାଇ: ରାଜ୍ୟସଭା ସାଂସଦ ତଥା ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ହୋଇପାରନ୍ତି ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ। ଯଦି ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନିଅନ୍ତି ତେବେ ସେ ରାଜ୍ୟର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହେବେ। ସୁନେତ୍ରାଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାକୁ ଏନ୍ସିପି ମହାୟୁତି ମେଣ୍ଟ ଆଗରେ ପ୍ରସ୍ତାବ ରଖିଛି। ଶନିବାର ଅପରାହ୍ଣରେ ଏନ୍ସିପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଦଳର ପାଖାପାଖି ୪୦ ଜଣ ବିଧାୟକ ସୁନେତ୍ରାଙ୍କୁ ବିଧାୟକ ଦଳ ନେତା ଭାବେ ବାଛି ପାରନ୍ତି। ବିଧାୟକ ଦଳର ନେତା ହେବା ପରେ ସୁନେତ୍ରା ଅପରାହ୍ଣ ୫ଟାରେ ଲୋକଭବନ ଯାଇ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଚର୍ଚ୍ଚା ହେଉଛିି। ବୁଧବାର ଏକ ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କର ପରଲୋକ ଘଟିଥିଲା। ସୁନେତ୍ରା ବର୍ତ୍ତମାନ ରାଜ୍ୟସଭା ସାଂସଦ ଅଛନ୍ତି। ସେ ମହାରାଷ୍ଟ୍ର ବିଧାନସଭାର ସଦସ୍ୟ ନାହାନ୍ତି। ଉପମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାକୁ ହେଲେ ତାଙ୍କୁ ଛଅ ମାସ ଭିତରେ ବିଧାନସଭା ଉପନିର୍ବାଚନ ଜିତିବାକୁ ପଡ଼ିବ କିମ୍ବା ବିଧାନ ପରିଷଦ ସଦସ୍ୟ ହେବାକୁ ପଡ଼ିବ। ଅଜିତ ପାୱାରଙ୍କ ପରଲୋକ ପରେ ବାରାମତି ବିଧାନସଭା ଆସନ ଖାଲି ପଡ଼ିଥିବାବେଳେ ୬ ମାସ ଭିତରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହେବ। ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ହେଲେ ତାଙ୍କୁ ଅଜିତ ପାୱାରଙ୍କ ନିକଟରେ ଥିବା ଗୁରୁତ୍ବପୂର୍ଣ୍ଣ ଅର୍ଥ ବିଭାଗ ମିଳିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।
ଫେବୃଆରି ୧୨ ସୁଦ୍ଧା ଏନ୍ସିପି ମିଶ୍ରଣ: ଶରଦ
ଏନ୍ସିପିର ଦୁଇ ଗୋଷ୍ଠୀର ମିଶ୍ରଣ ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ଚାଲିଛି। ଏନ୍ସିପି (ଏସ୍ପି) ନେତା ଶରଦ ପାୱାର ଶନିବାର କହିଥିଲେ ଯେ, ଏନ୍ସିପିର ଦୁଇ ଗୋଷ୍ଠୀର ମିଶ୍ରଣ ନେଇ ଆଲୋଚନା ଚାଲିଛି। ଅଜିତ ଦୁଇ ଦଳର ମିଶ୍ରଣ ପାଇଁ ସକ୍ରିୟ ଭାବେ କାମ କରୁଥିଲେ। ଏପରିକି ଫେବୃଆରି ୧୨ରେ ଦୁଇ ଦଳର ମିଶ୍ରଣ ହେବା ନେଇ ଅଜିତ ପ୍ରସ୍ତାବ ଦେଇଥିବା ଶରଦ ପାୱାର ସୂଚନା ଦେଇଛନ୍ତି। ଏହି ପ୍ରସଙ୍ଗରେ ଦିବଂଗତ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପୁଅ ପାର୍ଥ ପାୱାର ଶନିବାର ଶରଦ ପାୱାରଙ୍କୁ ତାଙ୍କ ବାରାମତି ବାସଭବନରେ ଭେଟିଛନ୍ତି। ତେବେ ସୁନେତ୍ରା ଦଳର ମୁଖ୍ୟ ଭୂମିକା ଗ୍ରହଣ କରିବାକୁ ଯାଉଥିବା ତଥା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା କଥା ସେ ଜାଣିନାହାନ୍ତି ବୋଲି ଶରଦ ପାୱାର କହିଛନ୍ତି। ସେ ନେଇ କୌଣସି ଆଲୋଚନାର ସେ ଅଂଶଗ୍ରହଣ କରିନଥିବା କହିଛନ୍ତି। ଅନ୍ୟପକ୍ଷରେ ପାର୍ଥ ପାୱାର ଶରଦଙ୍କୁ ତାଙ୍କ ଗୋବିନ୍ଦବାଗ୍ ବାସଭବନରେ ଭେଟିଥିଲେ। ଦେଢ଼ ଘଣ୍ଟାରୁ ଅଧିକ ସମୟ ଧରି ଦୁଇ ଜଣଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଶରଦଙ୍କ ଝିଅ ସୁପ୍ରିୟା ସୁଲେ ଏହି ବୈଠକ ସମୟରେ ଉପସ୍ଥିତ ଥିଲେ।
ରାଜନୀତିରେ ସୁନେତ୍ରା
ମହାରାଷ୍ଟ୍ର ରାଜନୀତିରେ ସୁନେତ୍ରା ପାୱାର ଏବେ ସବୁଠୁ ଚର୍ଚ୍ଚିତ ଚେହେରା। ମହାରାଷ୍ଟ୍ରରେ ସର୍ବାଧିକ ସମୟ ଉପମୁଖ୍ୟମନ୍ତ୍ରୀ ରହିଥିବା ଅଜିତ ପାୱାରଙ୍କ ପତ୍ନୀ ତଥା ରାଜ୍ୟସଭା ସାଂସଦ ଭାବେ ତାଙ୍କର ସ୍ବତନ୍ତ୍ର ପରିଚୟ ରହିଛି। ୬୨ ବର୍ଷୀୟା ସୁନେତ୍ରା ଜୁନ୍ ୨୦୨୪ରେ ରାଜ୍ୟସଭା ସାଂସଦ ଭାବେ ପ୍ରଥମ ଥର ସଂସଦ ଯାଇଥିଲେ। ସେହିବର୍ଷ ଲୋକସଭା ନିର୍ବାଚନ ଲଢ଼ି ସେ ପରାଜିତ ହୋଇଥିଲେ। ସୁନେତ୍ରାଙ୍କ ଶପଥ ଗ୍ରହଣ ତଥା ଏନସିପି ମିଶ୍ରଣକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ଶିବସେନା (ୟୁବିଟି) ନେତା ଅମ୍ବାଦାସ ଦାନଭେ ଶନିବାର କହିଛନ୍ତି ଯେ, ଏହା ପାୱାର ପରିବାର ଏବଂ ଏନ୍ସିପିର ଆଭ୍ୟନ୍ତରୀଣ ବ୍ୟାପାର। ରାଜନୀତିରେ କିଛି ବି ହୋଇପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/31/sunetra-pawar-2026-01-31-15-16-26.jpeg)