ନୂଅଦିଲ୍ଲୀ: ଲିଡ୍ସରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ପରାଜୟର ସମ୍ମୁଖୀନ ହୋଇଛି। ଇଂଲଣ୍ଡକୁ ଜିତିବା ପାଇଁ ୩୭୧ ରନର ଟାର୍ଗେଟ ଦେଇଥିଲା ଭାରତ। ହେଲେ ବେନ୍ ଡକେଟଙ୍କ ୧୪୯ ରନର ଉତ୍କୃଷ୍ଟ ଶତକ ଆଧାରରେ ଇଂଲଣ୍ଡ ୫ ୱିକେଟ ହରାଇ ୩୭୩ ରନ କରି ମ୍ୟାଚ୍ ଜିତିଥିଲା। ଏହି ବିଜୟ ସହିତ ଇଂଲଣ୍ଡ ୫ ଟେଷ୍ଟ ମ୍ୟାଚ୍ ସିରିଜରେ ୧-୦ରେ ଆଗୁଆ ହୋଇଛି। ଏବେ ସୁନୀଲ ଗାଭାସ୍କର ଭାରତର ପରାଜୟ ଉପରେ ପ୍ରତିକ୍ରିୟା ରଖିଛନ୍ତି।
ଭାରତ ମ୍ୟାଚ୍ ହାରିବା ପରେ ସୋନି ସ୍ପୋର୍ଟସକୁ ସାକ୍ଷାତକାର ଦେଇ ସୁନୀଲ ଗଭାସ୍କର କହିଛନ୍ତି ଯେ, ଜିତିବାର ସମ୍ପୂର୍ଣ୍ଣ ଶ୍ରେୟ ଇଂଲଣ୍ଡକୁ ଦେବି। ଭାରତ ୫ ଶତକ ମାରିବା ପରେ ମଧ୍ୟ ଇଂଲଣ୍ଡ ଜିତିଥିଲା। ଭାରତ ଅତି ସାଧାରଣ ପ୍ରଦର୍ଶନ କରିଥିଲା। ବିଶେଷକରି ଫିଲ୍ଡିଂ ଏବଂ ବୋଲିଂରେ। ଫିଲ୍ଡିଂ ବିଷୟରେ କହିବାକୁ ଗଲେ, ଏହା କେବଳ କ୍ୟାଚ୍ ଛାଡିବାର ବିଷୟ ନଥିଲା, ଆଉଟ-ଫିଲ୍ଡିଂ ମଧ୍ୟ ବହୁତ ସାଧାରଣ ଥିଲା। ଟେଷ୍ଟ ମ୍ୟାଚ୍ ଶ୍ରେଣୀର ନଥିଲା। ବ୍ୟାଟିଂ ପାଇଁ ବହୁତ ଭଲ ପିଚ୍ ଥିଲା। ତେଣୁ ବୋଲରମାନଙ୍କୁ ସମାଲୋଚନା କରିବା ବହୁତ କଷ୍ଟକର। ବୁମରାହ ବହୁତ ଭଲ ବୋଲିଂ କରିଥିଲେ। କିନ୍ତୁ ଏହା ପ୍ରଥମ ଟେଷ୍ଟ ଥିଲା। ଆଶା କରୁଛି ସେମାନେ ନିଜ ଭୁଲରୁ ଶିଖିଥିବେ। ପରବର୍ତ୍ତୀ ମ୍ୟାଚ୍ ପାଇଁ ଆଠ ଦିନ ଅଛି।"
ସେ ଆହୁରି କହିଛନ୍ତି ଯେ, "ତୁମେ ଆଗାମୀ କିଛି ଦିନ ପାଇଁ ବିଶ୍ରାମ ନେଇପାରିବ। କିନ୍ତୁ ତା'ପରେ ତୁମକୁ ଗମ୍ଭୀରତାର ସହିତ ଅଭ୍ୟାସ କରିବାକୁ ହେବ। ତୁମେ ସେଠାକୁ ଭାରତ ପାଇଁ ଖେଳିବାକୁ ଯାଇଛ। ତେଣୁ, ସେଭଳି ଅଭ୍ୟାସ କର ଯେପରି ତୁମେ ତୁମର ସର୍ବୋତ୍ତମ ପ୍ରଦର୍ଶନ କରିପାରିବ।"