ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ ୧୩୬ଟି ଆସନରେ ବିଜୟ ହାସଲ କରିବା ପଛରେ ଜଣେ ରାଜନୈତିକ ରଣନୀତିକାର ସୁନିଲ କାନୁଗୋଲୁଙ୍କର ବଳିଷ୍ଠ ଭୂମିକା ରହିଥିବା ଚର୍ଚ୍ଚା ହେଉଛି। ତାଙ୍କୁ ଦେଶର ଆଉ ଜଣେ ପ୍ରଶାନ୍ତ କିଶୋର ବୋଲି ଲୋକମାନେ କହିବା ଆରମ୍ଭ କରିଛନ୍ତି। ୪୧ ବର୍ଷୀୟ ସୁନିଲ ଜଣେ କଂଗ୍ରେସ କର୍ମୀ। ସଂପ୍ରତି ବେଙ୍ଗାଲୁରୁରେ ରହୁଥିବା ସୁନିଲ ମୂଳତଃ ଜଣେ ତେଲୁଗୁ। ତେବେ ସେ ଚେନ୍ନାଇରେ ଏକ ବ୍ୟବସାୟୀ ପରିବାରରେ ବଢ଼ିଛନ୍ତି। ଅତୀତରେ ବିଜେପି, ଡିଏମକେ ଏବଂ ଏଆଇଏଡିଏମକେ ପାଇଁ ସେ କାର୍ଯ୍ୟ କରିବା ସହିତ ସେମାନଙ୍କୁ ସଫଳତାର ସ୍ବାଦ ଚଖାଇଛନ୍ତି। ରାହୁଲ ଓ ସୋନିଆ ଗାନ୍ଧିଙ୍କ ସହିତ ଦୀର୍ଘ ଆଲୋଚନା ପରେ ଗତବର୍ଷ ସେ ଏହି ଦଳରେ ଯୋଗ ଦେଇଥିଲେ।
ସେ ବିଶ୍ବାସ କରୁଥିବା ଚିନ୍ତାଧାରା ସହିତ କଂଗ୍ରେସର ଚିନ୍ତାଧାରା ମେଳ ଖାଉଥିବାରୁ ଦଳରେ ଯୋଗ ଦେଇ ଆହ୍ବାନ ନେବାକୁ ଆଗ୍ରହ ପ୍ରକାଶ କରିଥିଲେ। ସୁନିଲଙ୍କ ବଡ଼ ଶକ୍ତି ହେଲା ଦଳର ପ୍ରମୁଖ ନେତାମାନଙ୍କ ସହିତ ବ୍ୟକ୍ତିଗତ ସଂପର୍କ ବିକାଶ କରିବାର ଦକ୍ଷତା । ସେ ଶାନ୍ତ କିନ୍ତୁ ଦୃଢ଼। ଚର୍ଚ୍ଚା ଠାରୁ ଦୂରରେ ରହୁଥିବା ସୁନିଲ କାହାରି ଧ୍ୟାନ ଆକର୍ଷଣ ପାଇଁ ମଧ୍ୟ ଗୁରୁତ୍ବ ଦିଅନ୍ତି ନାହିଁ। ତୃଣମୂଳର ସର୍ଭେ ତଥ୍ୟ ତାଙ୍କ ନିକଟରେ ସର୍ବଦା ରହିଥାଏ। ତେଣୁ ତାଙ୍କ କାର୍ଯ୍ୟକୁ ରାଜନେତାମାନେ ପସନ୍ଦ କରନ୍ତି। କର୍ଣ୍ଣାଟକରେ କଂଗ୍ରେସର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସୁନିଲ ଆଗାମୀ ଦିନରେ ତେଲେଙ୍ଗାନା, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ ନିର୍ବାଚନ ସହିତ ୨୦୨୪ ଲୋକସଭା ନିର୍ବାଚନ ପାଇଁ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଆଶା କରାଯାଉଛି।