ୱାସିଂଟନ: ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବ୍ୟାରି ୱିଲ୍ମୋର ଜୁନ୍ ମାସରେ ବୋଇଂର ନୂଆ ଷ୍ଟାରଲାଇନରରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିଥିଲେ। ତେବେ ଡକିଂ ପୂର୍ବରୁ ବିମାନରେ ହିଲିୟମ୍ ଲିକ୍ ହେବା ସହ ଥ୍ରଷ୍ଟର ଫେଲ୍ ହୋଇଯିବାରୁ ଦୁଇ ମହାକାଶଚାରୀଙ୍କ ପ୍ରତ୍ୟାବର୍ତ୍ତନ ଉଡ଼ାଣକୁ ୨୦୨୫ ଯାଏ ସ୍ଥଗିତ ରଖାଯାଇଛି। ମହାକାଶଚାରୀମାନେ ଫସି ନାହାନ୍ତି ଏବଂ ସେମାନଙ୍କୁ ଷ୍ଟାରଲାଇନରରେ ଫେରାଇ ଆଣିବାରେ କୌଣସି ବିପଦ ନାହିଁ ବୋଲି ବୋଇଂ କହିଛି, କିନ୍ତୁ ନାସା ସେମାନଙ୍କୁ ସ୍ପେସ୍ ଏକ୍ସ ବିମାନରେ ଫେରାଇ ଆଣିବାକୁ ଚିନ୍ତା କରୁଛି। ସେମାନେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଆଠ ଦିନ ପାଇଁ ଯାଇ ଦୁଇ ମାସରୁ ଅଧିକ ରହିସାରିଲେଣି ଏବଂ ସେମାନଙ୍କୁ ଫେବ୍ରୁଆରି ୨୦୨୫ ଯାଏ ରହିବାକୁ ପଡ଼ିବ ବୋଲି ଜଣାପଡ଼ିଛି।

Advertisment

ମହାକାଶ କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣର ସାମଗ୍ରୀ ଥିବା କୁହାଯାଉଥିବା ବେଳେ ମହାକାଶଚାରୀମାନେ ଏତେଦିନ କେମିତି ବଞ୍ଚିବେ ତାହା ଉପରେ ନଜର ପକାଇବା। ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଏକ ଆମେରିକୀୟ ଫୁଟବଲ ପଡ଼ିଆ ଭଳି ବଡ଼, ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତର ଦୈର୍ଘ୍ୟ ୩୫୬ ଫୁଟ। ଏଥିରେ ୬ଟି ଶୋଇବା କ୍ୱାର୍ଟର, ୨ଟି ବାଥ୍‌ରୁମ୍, ଗୋଟିଏ ଜିମ୍ ଓ ୩୬୦ ଡିଗ୍ରି ଭ୍ୟୁ ବେ ୱିଣ୍ଡୋ ରହିଛି। ସୁନୀତା ୱିଲିୟମ୍ସ ଓ ବ୍ୟାରି ୱିଲ୍ମୋରଙ୍କ ବ୍ୟତୀତ ଅନ୍ୟ ୭ ଜଣ ମହାକାଶଚାରୀ ଏବେ ସେଠାରେ ଅଛନ୍ତି। ମହାକାଶ କେନ୍ଦ୍ରର ନିଜସ୍ୱ ଅମ୍ଳଜାନ ଉତ୍ପାଦନ ପ୍ରଣାଳୀ ଅଛି ଏବଂ ନିଃଶ୍ବାସର କାର୍ବନ ଡାଇଅକ୍ସାଇଡରୁ ପ୍ରାୟ ୫୦% ଅମ୍ଳଜାନ ପୁନରୁଦ୍ଧାର କରାଯାଏ। ପରିସ୍ରା କିମ୍ବା ଝାଳର ଆର୍ଦ୍ରତାକୁ ପାଣିରେ ପରିଣତ କରିବା ପାଇଁ ଏକ ରିସାଇକ୍ଲିଂ ବ୍ୟବସ୍ଥା ମଧ୍ୟ ରହିଛି। ହ୍ୟୁଷ୍ଟନରେ ଥିବା ନାସାର ସ୍ପେସ୍ ଫୁଡ୍ ସିଷ୍ଟମ୍ ଲାବୋରେଟୋରିରେ ପ୍ରସ୍ତୁତ ଖାଦ୍ୟ ଉପଲବ୍ଧ ଅଛି। ନାସାର ୟୁଟ୍ୟୁବ୍ ଚ୍ୟାନେଲରେ ଏକ ଭିଡିଓରେ ସୁନୀତା ୱିଲିୟମ୍ସ ମହାକାଶ କେନ୍ଦ୍ରରେ ତାଙ୍କର ପ୍ରିୟ ଜଳଖିଆ ନଟର ବଟରକୁ ଦେଖାଇଛନ୍ତି, ଯାହାକୁ ତାଙ୍କ ପରିବାର ଦ୍ୱାରା ପଠାଯାଇଥିଲା।

ଅଗଷ୍ଟ ୬ ତାରିଖରେ ଶେଷ ଥର ପାଇଁ ସେମାନଙ୍କର ଖାଦ୍ୟ ସାମଗ୍ରୀ ଆଦି ଆସିଥିଲା, ଯାହା ମେ ୩୦ରେ କାଜାଖସ୍ତାନରୁ ଏକ ରକେଟ୍‌ ମାଧ୍ୟମରେ ପଠାଯାଇଥିଲା। ଏପରିକି ମହାକାଶଚାରୀମାନେ ମିସନ କଣ୍ଟ୍ରୋଲକୁ ନିର୍ଦ୍ଦିଷ୍ଟ ଅର୍ଡର ମଧ୍ୟ ଦେଇପାରିବେ। ଅଗଷ୍ଟ ୬ ତାରିଖରେ ୱିଲିୟମ୍ସ ଓ ୱିଲ୍ମୋର ମହାକାଶ କେନ୍ଦ୍ରରେ ନିଜର ପୋଷାକ ପାଇଥିଲେ। ୨୦୧୨ରେ ଏକ ଭିଡିଓରେ ସୁନୀତା ୱିଲିୟମ୍ସ ମହାକାଶ କେନ୍ଦ୍ରରେ ଶୌଚାଳୟ ବ୍ୟବସ୍ଥା ଦେଖାଇଥିଲେ। ପରିସ୍ରା ଓ ମଳ ପାଇଁ ସେମାନଙ୍କର ଦୁଇଟି ପୃଥକ୍ ପାଇପ୍ ଥାଏ। ମୋଟାମୋଟି ଭାବେ ୨୦୨୫ ଫେବ୍ରୁଆରି ଯାଏ ମହାକାଶ କେନ୍ଦ୍ରରେ ରହିବାରେ ସେମାନଙ୍କର କୌଣସି ଅସୁବିଧା ନାହିଁ।