ସୁଞ୍ଜୁଆନ ସେନା କ୍ୟାମ୍ପ ଆକ୍ରମଣ କରିଥିବା ଆତଙ୍କବାଦୀ ଗତ ବର୍ଷ ଜୁନରେ ଅନୁପ୍ରବେଶ କରିଥିଲେ

ନୂଆଦିଲ୍ଲୀ : ଜାମ୍ମୁର ସଂଜୁଆନରେଥିବା ସେନା କ୍ୟାମ୍ପ ଆକ୍ରମଣ କରିଥିବା ଆତଙ୍କବାଦୀମାନେ ଗତ ବର୍ଷ ଜୁନ ମାସରେ ଭାରତରେ ଅନୁପ୍ରବେଶ କରି ଜାମ୍ମୁ ଓ କାଶ୍ମୀରରେ ରହୁଥିଲେ । ଏହି ସମୟ ମଧ୍ୟରେ ସେମାନେ ରାଜ୍ୟରେ ଥିବା ବିଭିନ୍ନ ସେନା କ୍ୟାମ୍ପ, ସିଆରପିଏଫ କ୍ୟାମ୍ପ, ଅଫିସ ଆଦି ଉପରେ ନଜର ରଖିଥିଲେ । ଏହା ସହିତ ସ୍ଥାନୀୟ କେତେକ ଲୋକଙ୍କ ସହାୟତାରେ ଏସବୁ ପ୍ରତିଷ୍ଠାନଗୁଡିକ ସଂପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ । ଏଣୁ ସଂଜୁଆନରେ ଥିବା ସେନା କ୍ୟାମ୍ପ ବାବଦରେ ଭଲଭାବରେ ଅବଗତ ଥିଲେ ।

ଏହି ଆକ୍ରମଣ ସଂପର୍କରେ ସେନା ପକ୍ଷରୁ କରାଯାଇଥିବା ପ୍ରାରମ୍ଭିକ ତଦନ୍ତରୁ ଏକଥା ଜଣାପଡିଛି । ଏଥିରୁ ଜଣାପଡିଛି ଯେ ଏହି ଆତଙ୍କବାଦୀମାନେ ପାକିସ୍ତାନରୁ ନିୟନ୍ତ୍ରଣରେଖା ଦେଇ ଭାରତରେ ପ୍ରବେଶ କରିଥିଲେ ଓ ଗତ ସାତ ମାସ ହେଲା ଭାରତରେ ରହି ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଥିଲେ । ଗତ ୧୦ ତାରିଖରେ ସୁଞ୍ଜୁଆନରେ ହୋଇଥିବା ଏହି ଆକ୍ରମଣରେ ୬ଜଣ ଜବାନଙ୍କ ସହ ମୋଟ ସାତଜଣ ପ୍ରାଣ ହରାଇଥିଲେ । ସେନାର ପାଲଟା କାର୍ଯ୍ୟାନୁଷ୍ଠାନରେ ୪ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ ।

ସମ୍ବନ୍ଧିତ ଖବର