ମସଜିଦ୍ ନିର୍ମାଣ ଲାଗି ଉଦ୍ଦିଷ୍ଟ ୫ ଏକର ଜମି ଗ୍ରହଣ କରିବାକୁ ରାଜି ହେଲା ସୁନି ସେଣ୍ଟ୍ରାଲ୍‌ ୱକଫ ବୋର୍ଡ

ଲକ୍ଷ୍ନୌ: ସୁପ୍ରିମ୍‌କୋର୍ଟଙ୍କ ଅଯୋଧ୍ୟା ମାମଲା‌ର ରାୟ ଶୁଣାଣିର ଦୀର୍ଘ ଦିନ ପରେ ଶେଷରେ ସୋମବାର ମୁସ୍‌ଲିମ୍‌ମାନଙ୍କୁ ଦିଆଯିବାକୁ ଥିବା ୫ ଏକର ଜମିକୁ ଗ୍ରହଣ କରିବାକୁ ରାଜି ହୋଇଛି ୟୁପିର ସୁନି ସେଣ୍ଟ୍ରାଲ୍‌ ୱକଫ୍ ବୋର୍ଡ। ବୋର୍ଡ ପକ୍ଷରୁ କୁହାଯାଇଛି ଯେ ଏଥିରେ କେବଳ ମସ୍‌ଜିଦ୍‌ ନୁହେଁ, ବରଂ ଏକ ହସ୍ପିଟାଲ୍‌ ବି ନିର୍ମାଣ କରାଯିବ । ବୋର୍ଡ ପକ୍ଷରୁ ଏକ ବୈଠକ କରାଯାଇ ଏହି ଜମି ଗ୍ରହଣ କରିବାର ନିଷ୍ପତ୍ତି ନିଆଯାଇଛି।

ସୁନି ସେଣ୍ଟ୍ରାଲ୍‌ ୱକଫ୍‌ ବୋର୍ଡର ଅଧ୍ୟକ୍ଷ ଜଫର୍‌ ଫାରୁକ୍‌ କହିଛନ୍ତି, ‘ବୈଠକ କରାଯାଇ ଉତ୍ତରପ୍ରଦେଶ ସରକାର ଦେଉଥିବା ୫ ଏକର ଜମି ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ମସ୍‌ଜିଦ୍‌ ନିର୍ମାଣ ପାଇଁ ବୋର୍ଡ ଖୁବ୍‌ ଶୀଘ୍ର ଏକ ଟ୍ରଷ୍ଟ୍‌ ଗଠନ କରିବ । ସମ୍‌ଜିଦ୍‌ ବ୍ୟତୀତ ଏକ ଇଣ୍ଡୋ-ଇସ୍‌ଲାମିକ୍‌ ରିସର୍ଚ୍ଚ ସେଣ୍ଟର୍‌, ଏକ ସର୍ବସାଧାରଣ ପାଠାଗାର, ଏକ ଚାରିଟେବଲ୍‌ ହସ୍ପିଟାଲ୍‌ ଓ ଅନ୍ୟାନ୍ୟ ସୁବିଧା ବି କରାଯିବ। ସ୍ଥାନୀୟ ଲୋକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମସ୍‌ଜିଦ୍‌ର ଆକାର କେତେ ବଡ଼ କରାଯିବ ତାହା ନିଷ୍ପତ୍ତି ନିଆଯିବ।’

ଉଲ୍ଲେଖଯୋଗ୍ୟ, ୨୦୧୯ ମସିହା ନଭେମ୍ବର ମାସରେ ଦୀର୍ଘ ବର୍ଷ ଧରି ଚାଲି ଆସୁଥିବା ବହୁଚର୍ଚ୍ଚିତ ଅଯୋଧ୍ୟା ମାମଲାର ରାୟ ପ୍ରକାଶ କରିଥିଲେ ସୁପ୍ରିମ୍‌କୋର୍ଟ। ବିବାଦୀୟ ଜମିରେ ପୂର୍ବରୁ ରାମ ମନ୍ଦିର କିମ୍ବା ବାବ୍ରୀ ମସ୍‌ଜିଦ ଥିବା ସ୍ପଷ୍ଟ ହୋଇ ପାରୁ ନ ଥିବା ବେଳେ ଅଦାଲତ ରାମ ମନ୍ଦିର ଥିଲା ବୋଲି ରାୟ ଶୁଣାଇଥିଲେ। ଏହା ସହ ମୁସ୍‌ଲମାନମାନଙ୍କୁ ମସ୍‌ଜିଦ ପାଇଁ ଅନ୍ୟତ୍ର ପାଞ୍ଚ ଏକର ଜମି ଦେବାକୁ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେ ସମୟରେ ସୁନି ସେଣ୍ଟ୍ରାଲ୍‌ ୱକଫ୍‌ ବୋର୍ଡ ଜମି ଗ୍ରହଣ କରିବାକୁ ମନା କରି ଦେଇଥିଲା।

ସମ୍ବନ୍ଧିତ ଖବର