ମୁମ୍ବାଇ: ବଲିଉଡ୍ ସିନେମା ‘ଗଦର-୨’ର ନାୟକ ତଥା ଗୁରଦାସପୁରର ବିଜେପି ସାଂସଦ ସନ୍ନି ଦେଓଲଙ୍କ ଜୁହୁସ୍ଥିତ ବଙ୍ଗଳା ନିଲାମକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ସନ୍ନିଙ୍କ ବଙ୍ଗଳା ନିଲାମ ହେବ ବୋଲି କଥା ଉଠୁଥିବା ବେଳେ ଏବେ ପୁଣି ନିଲାମ ହେବନାହିଁ ବୋଲି ଖବର ପ୍ରକାଶ ପାଇଛି।
ଏନେଇ ‘ଗଦର ୨’ ଅଭିନେତା ସନ୍ନି କୌଣସି ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି। ସେ କହିଛନ୍ତି ଯେ ଏହା ତାଙ୍କର ବ୍ୟକ୍ତିଗତ ମାମଲା ହୋଇଥିବାରୁ ସେ ଏହା ଉପରେ କୌଣସି ବୟାନ ଦେବେ ନାହିଁ।
ସନ୍ନି ୫୬ କୋଟି ଟଙ୍କାର ଋଣ ଶୁଝିବାରେ ବିଫଳ ହୋଇଥିବାରୁ ସେପ୍ଟେମ୍ବର ୨୫ରେ ତାହାକୁ ନିଲାମ କରିବା ଲାଗି ବ୍ୟାଙ୍କ ଅଫ୍ ବରୋଦା ଏକ ନୋଟିସ୍ ଜାରି କରିଥିଲା। ମାତ୍ର ଏହାର ଚବିଶ ଘଣ୍ଟା ଭିତରେ ସେହି ନୋଟିସ୍କୁ ବ୍ୟାଙ୍କ ପ୍ରତ୍ୟାହାର କରିନେଇଛି। ବୈଷୟିକ କାରଣ ଦୃଷ୍ଟିରୁ ନୋଟିସ୍ ପ୍ରତ୍ୟାହାର କରାଯାଇଛି ବୋଲି ବ୍ୟାଙ୍କ କହିବା ସହ ଋଣ ଶୁଝିବା ଲାଗି ସନ୍ନି ବ୍ୟାଙ୍କ ସହ ଯୋଗାଯୋଗ କରିଥିବା କୁହାଯାଇଛି।
କମ୍ପ୍ୟୁଟର୍ଜନିତ ତ୍ରୁଟି ବା ‘ଟେକ୍ ଗ୍ଲିଚ୍’ ଯୋଗୁଁ ଅଭିନେତା ସନ୍ନି ଦଓେଲ୍ଙ୍କ ଜୁହୁସ୍ଥିତ ବଙ୍ଗଳା ‘ଇ-ଅକ୍ସନ୍’ ତାଲିକାଭୁକ୍ତ ହୋଇଥିବା ଦର୍ଶାଇ ବ୍ୟାଙ୍କ୍ ଅଫ୍ ବରୋଦା ତାହାକୁ ପ୍ରତ୍ୟାହାର କରିଥିବା କଥା ସୂଚନା ଦେଇଛି।
‘ବ୍ୟାଙ୍କ୍ ଅଫ୍ ବରୋଦା’ ଅଗଷ୍ଟ ୨୦ ତାରିଖ ଦିନ ଏକ ଜାତୀୟ ସମ୍ବାଦପତ୍ରରେ ଏହି ନିଲାମ ନୋଟିସ୍ ପ୍ରକାଶ କରିଥିଲା। ଏଥିରେ ତ୍ରୁଟି ଥିବା କଥା ଜଣାପଡ଼ିବା ପରେ ରବିବାର ଦିନ ବ୍ୟାଙ୍କ୍ ‘ତ୍ରୁଟି ସଂଶୋଧନ’ ଶୀର୍ଷକ ନୋଟିସ୍ ଛାପିଛି।