ଧାର୍ଯ୍ୟ ସୀମା ଟପି ଯାଇଛି ସନ୍ନିଙ୍କ ନିର୍ବାଚନୀ ଖର୍ଚ୍ଚ

ନୂଆଦିଲ୍ଲୀ: ଗୁରୁଦାସପୁରରୁ ବିଜେପି ସାଂସଦ ଥିବା ଅଭିନେତା ସନ୍ନି ଦେଓଲଙ୍କ ସଦସ୍ୟତା ରଦ୍ଦ ହୋଇପାରେ । ଲୋକସଭା ନିର୍ବାଚନରେ ସେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ ବୋଲି ନିର୍ବାଚନ କମିସନଙ୍କଠାରେ ଅଭିଯୋଗ ହୋଇଥିଲା ଏବଂ ଏବେ ତଦନ୍ତ ପରେ ଏହା ସତ୍ୟ ପ୍ରମାଣିତ ହୋଇଛି। ନିର୍ବାଚନ କମିସନ ଏ ନେଇ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିଲେ। ଜିଲ୍ଲାରୁ ଯାଇଥିବା ରିପୋର୍ଟରେ ସନ୍ନି ଧାର୍ଯ୍ୟ ସୀମାଠାରୁ ଅଧିକ ଅର୍ଥ ଖର୍ଚ୍ଚ କରିଥିଲେ ବୋଲି ଉଲ୍ଲେଖ କରାଯାିଛି। ଯଦି ନିର୍ବାଚନ ନିୟମ ଅନୁଯାୟୀ ନିର୍ବାଚନ ଆୟୋଗ ସନ୍ନିଙ୍କୁ ଦୋଷୀ ସାବ୍ୟସ୍ତ କରନ୍ତି, ତେବେ ତାଙ୍କୁ ଅଯୋଗ୍ୟ ଘୋଷଣା ମଧ୍ୟ କରାଯାଇପାରେ। ସୂଚନା ମୁତାବକ, ଗୁରୁଦାସପୁରର ଜିଲ୍ଲା ନିର୍ବାଚନ ଅଧିକାରୀ ବିପୁଳ ଉଜ୍ଜ୍ୱଳ ପଞ୍ଜାବର ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍‌ କରୁଣା ରାଜୁଙ୍କୁ ଯେଉଁ ରିପୋର୍ଟ ଦେଇଛନ୍ତି, ସେଥିରେ ସନ୍ନି ଦେଓଲ ନିର୍ବାଚନରେ ୭୮.୫୧ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଦର୍ଶାଯାଇଛି। ଖର୍ଚ୍ଚର ସୀମା ୭୦ଲକ୍ଷ ଥିବା ବେଳେ ସନ୍ନି ୮.୫୧ଲକ୍ଷ ଟଙ୍କା ଅଧିକ ଖର୍ଚ୍ଚ କରିଛନ୍ତି ।

ସମ୍ବନ୍ଧିତ ଖବର