ତେଲ୍‌ ଅଭିଭ: ହମାସ ଓ ଇସ୍ରାଏଲ ମଧ୍ୟରେ ପ୍ରାୟ ୨ ବର୍ଷ ଧରି ଚାଲିଥିବା ଯୁଦ୍ଧରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଆଜି ଇସ୍ରାଏଲକୁ ଏକ ସ୍ବତନ୍ତ୍ର ଗସ୍ତରେ ଟ୍ରମ୍ପ ଯିବା ସହ ସଂସଦ ନେସେଟ୍‌ରେ ଉଦ୍‌ବୋଧନ ଦେଇଛନ୍ତି। ସାଂସଦମାନଙ୍କୁ ଉଦ୍‌ବୋଧନ ଦେଇ ଟ୍ରମ୍ପ କହିଛନ୍ତି, ଦୀର୍ଘ ଏବଂ ଯନ୍ତ୍ରଣାଦାୟକ ଦୁଃସ୍ବପ୍ନରେ ଶେଷରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ମଧ୍ୟପ୍ରାଚ୍ୟରେ ନୂଆ ପ୍ରଭାତର ଏହା ଐତିହାସିକ କ୍ଷଣ ବୋଲି ସେ କହିଛନ୍ତି। 

Advertisment

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଟ୍ରମ୍ପ ଏହି ଅବସରରେ ପ୍ରଶଂସା କରିଛନ୍ତି। ସାଂସଦଭାବେ ଟ୍ରମ୍ପଙ୍କୁ ଛିଡ଼ା ହୋଇ ସ୍ବାଗତ ଓ ଅଭିନନ୍ଦନ ଜଣାଇଛନ୍ତି। ଟ୍ରମ୍ପଙ୍କୁ ପ୍ରଶଂସା କରିବା ସହିତ ନୋବେଲ ପୁରସ୍କାର ପାଇଁ ମଧ୍ୟ ଦାବି କରିଥିଲେ। ଆମେରିକା ଭଳି ଇସ୍ରାଏଲ ପାଇଁ ସୁବର୍ଣ୍ଣ ଯୁଗର ପ୍ରତିଶ୍ରୁତି ଟ୍ରମ୍ପ ଦେଇଛନ୍ତି। ଦୀର୍ଘଦିନର ଯୁଦ୍ଧ ଏବଂ ବିପଦ ପରେ ଆଜି ଆକାଶ ଶାନ୍ତ ରହିଛି। ବନ୍ଧୁକ ନିରବ ହୋଇଛି। ଶାନ୍ତି ବିରାଜ କରୁଥିବା ପବିତ୍ର ଭୂମିରେ ସୂର୍ଯ୍ୟ ଉଦୟ ହୋଇଛନ୍ତି। ଏଥିସହିତ ଏହି ଅଞ୍ଚଳରେ ସବୁଦିନ ପାଇଁ ଶାନ୍ତି ବିରାଜମାନ କରିବ ବୋଲି ଟ୍ରମ୍ପ ତାଙ୍କ ଭାଷଣରେ କହିଛନ୍ତି। ଏହା କେବଳ ଗୋଟିଏ ଯୁଦ୍ଧର ବନ୍ଦ ନୁହେଁ। ବରଂ ନୂଆ ମଧ୍ୟପ୍ରାଚ୍ୟର ଐତିହାସିକ ପ୍ରଭାତ। ପଣବନ୍ଦୀମାନେ ଫେରିଛନ୍ତି। ଏହା କହିବାକୁ ଅତି ଭଲ ଲାଗୁଛି। ଅନେକ ଲୋକ କହୁଥିଲେ ଅସ୍ତ୍ରବିରତି ରାଜିନାମା ଦ୍ବାରା ଆମେ ସମୟ ନଷ୍ଟ କରୁଛୁ। କିନ୍ତୁ ଆମେରିକାର ପୃଷ୍ଠପୋଷକମାନେ ଯେଉଁମାନେ ଏହା ହାସଲ କରିଛନ୍ତି ସେମାନଙ୍କୁ ଧନ୍ୟବାଦ ବୋଲି ଟ୍ରମ୍ପ କହିଛନ୍ତି। 

ଭାଷଣ ସମୟରେ ଟ୍ରମ୍ପ ୮ଟି ଯୁଦ୍ଧ ବନ୍ଦ କରିଥିବା ଦାବି କରିଛନ୍ତି। ସେ କହିଥିଲେ ଯେତେବେଳେ ୮ ମାସରେ ଜଣେ ୮ଟି ଯୁଦ୍ଧ ବନ୍ଦ କରୁଛି ସେ ଯୁଦ୍ଧକୁ ପସନ୍ଦ କରେନାହିଁ। କିନ୍ତୁ ସମସ୍ତେ ଭାବିଥିଲେ ମୁଁ ହିଂସ୍ର ହେବି। ଅତୀତର କଥା ମନେ ପକାଇ ଟ୍ରମ୍ପ କହିଥିଲେ ତାଙ୍କୁ ହିଲାରୀ କ୍ଲିଣ୍ଟନ୍ ଥରେ କହିଥିଲେ ମୁଁ ସମସ୍ତଙ୍କ ସହ ଯୁଦ୍ଧ କରିବାକୁ ଯାଉଛି। ମୋର ବ୍ୟକ୍ତିତ୍ବ ଯୁଦ୍ଧ କରିବା। କିନ୍ତୁ ମୋର ବ୍ୟକ୍ତିତ୍ବ ହେଲା ଯୁଦ୍ଧ ବନ୍ଦ କରିବା ବୋଲି ଟ୍ରମ୍ପ କହିଛନ୍ତି। ଏହି ଅବସରରେ ଟ୍ରମ୍ପ ଆରବ ଓ ମୁସଲିମ ଦେଶଗୁଡ଼ିକର ଢେର୍‌ ପ୍ରଶଂସା କରିଛନ୍ତି। ପଣବନ୍ଦୀଙ୍କୁ ମୁକ୍ତ କରିବାରେ ସେମାନେ ମିଳିତଭାବେ ହମାସ ଉପରେ ଚାପ ପକାଇଥିବା ଟ୍ରମ୍ପ ସ୍ବୀକାର କରିଛନ୍ତି। ଯୁଦ୍ଧ ବନ୍ଦ କରିଥିବାରୁ ଟ୍ରମ୍ପ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଦେଇଛନ୍ତି। ଏହି ଅବସରରେ ଟ୍ରମ୍ପ ଇରାନକୁ ମଧ୍ୟ ଶାନ୍ତି ପାଇଁ ଆହ୍ବାନ କରିଛନ୍ତି। ବନ୍ଧୁତା ଏବଂ ସହଯୋଗର ହାତ ସବୁବେଳେ ଖୋଲା ଅଛି ବୋଲି ସେ କହିଛନ୍ତି। 
ସଂସଦରେ ସାଂସଦମାନେ ଛିଡ଼ା ହୋଇ ଟ୍ରମ୍ପଙ୍କୁ ସ୍ବାଗତ କରିଥିଲେ। ବାଚସ୍ପତି ଅମିର ଓହାନା ଆସନ୍ତା ବର୍ଷ ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପଙ୍କ ନାମ ସୁପାରିସ କରିବ ବୋଲି କହିଥିଲେ। ଟ୍ରମ୍ପଙ୍କ ବ୍ୟତୀତ ଶାନ୍ତି ପାଇଁ ଅନ୍ୟ କେହି ଅଧିକ ଯୋଗ୍ୟ ନୁହନ୍ତି ବୋଲି ସେ କହିଥିଲେ। ଟ୍ରମ୍ପ ଭାଷଣ ଦେବା ସମୟରେ ନେସେଟ୍‌ରେ ଦୁଇଜଣ ସାଂସଦ କିଛି ସମୟ ପାଇଁ ପାଟିତୁଣ୍ଡ କରିଥିଲେ। ଟ୍ରମ୍ପଙ୍କୁ ନରସଂହାର ପୋଷ୍ଟର ଦେଖାଇଥିଲେ। ସେହି ଦୁଇ ସାଂସଦ ଆୟେମେନ ଓଡେହ ଏବଂ ଓଫର କାସିଫଙ୍କୁ ତୁରନ୍ତ ସୁରକ୍ଷା କର୍ମୀମାନେ ନେସେଟ ବାହାରକୁ ନେଇଯାଇଥିଲେ।