ପତ୍ନୀକୁ ହତ୍ୟା ପାଇଁ ବୋହୂକୁ ସୁପାରି

ଭୋପାଳ : ମଧ୍ୟପ୍ରଦେଶରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ହତ୍ୟା କରିବା ପାଇଁ ବୋହୂକୁ ସୁପାରି ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ରେୱା ଜିଲ୍ଲାରେ ଗତ ୧୨ ତାରିଖରେ ଏହି ଘଟଣା ଘଟିଛି। ପୁଲିସ ଅଭିଯୁକ୍ତ ଶ୍ବଶୁର ଓ ବୋହୂକୁ ଗିରଫ କରିଛି।

ପୁଲିସ ସୂତ୍ରରୁ ଜଣାପଡ଼ିଛି, ବାଲ୍ମିକୀ କୋଲ(୫୧) ନାମକ ଜନୈକ ବ୍ୟକ୍ତି ଦ୍ବିତୀୟ ବିବାହ କରିବାକୁ ଚାହୁଥିଲେ। ତେଣୁ ପତ୍ନୀ ସରୋଜ(୫୦)ଙ୍କୁ ରାସ୍ତାରୁ ହଟାଇବା ପାଇଁ ସେ ଯୋଜନା କରିଥିଲେ। ଘରେ ଶାଶୂ-ବୋହୂଙ୍କ ସମ୍ପର୍କ ଭଲ ନଥିବାରୁ ବାଲ୍ମିକୀ ଏହାର ଫାଇଦା ଉଠାଇଥିଲେ। ସେ ବୋହୂ କାଞ୍ଚନ(୨୫) ଦ୍ବାରା ସରୋଜଙ୍କ ଗଳା କାଟି ହତ୍ୟା କରିବାକୁ ସ୍ଥିର କରିଥିଲେ। ଉଭୟଙ୍କ ମଧ୍ୟରେ ଏକ ବୁଝାମଣା ହୋଇଥିଲା। ବାଲ୍ମିକୀ ପ୍ରତିମାସରେ କାଞ୍ଚନଙ୍କୁ ଏଥିପାଇଁ ୪,୦୦୦ ଟଙ୍କା ଦେବାକୁ ରାଜି ହୋଇଥିଲେ। ଘଟଣା ଦିନ ବାଲ୍ମିକୀ ସତନାରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ତାଙ୍କ ପୁଅ (କାଞ୍ଚନଙ୍କ ସ୍ୱାମୀ) ମିରଟରେ ଥିଲେ। ଶାଶୂଙ୍କୁ ଏକୁଟିଆ ପାଇ କାଞ୍ଚନ ଏକ ଲୁହା କଡ଼େଇରେ ତାଙ୍କ ମୁଣ୍ଡକୁ ପ୍ରହାର କରିଥିଲେ। ସେ ଚେତାଶୂନ୍ୟ ହୋଇ ପଡ଼ିଯିବା ପରେ ଶ୍ବଶୁର ଦେଇଥିବା ଦାଆରେ ତାଙ୍କ ଗଳାକାଟି ହତ୍ୟା କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ହତ୍ୟାକାଣ୍ଡ ଘଟାଇଥିବା ଶ୍ବଶୁର ଓ ବୋହୂକୁ ଗିରଫ କରିଛି।

ସମ୍ବନ୍ଧିତ ଖବର