ଗଦଗ (କର୍ଣ୍ଣାଟକ): କର୍ଣ୍ଣାଟକରେ ଘଟିଥିବା ଏକ ଚାଞ୍ଚଲ୍ୟକର ହତ୍ୟା ମାମଲାର ପର୍ଦ୍ଦଫାସ କରିଛି ପୁଲିସ। ଏପ୍ରିଲ୍ ୧୯ ତାରିଖରେ କର୍ଣ୍ଣାଟକର ଗଦଗ-ବେତାଗେରି ପୌର ପରିଷଦ ଉପାଧ୍ୟକ୍ଷ ତଥା ସ୍ଥାନୀୟ ବିଜେପି ନେତ୍ରୀ ସୁନନ୍ଦା ବାକାଲେଙ୍କ ଘରେ ୪ଜଣଙ୍କୁ ଅତି ନିର୍ମମ ହତ୍ୟା କରାଯାଇଥିଲା। ଘଟଣାଟି ଯେଭଳି ରହସ୍ୟମୟ ସେଭଳି ଦୁର୍ଭଗ୍ୟପୂର୍ଣ୍ଣ ଅଟେ। ଜଣେ ବ୍ୟକ୍ତି ନିଜର ପିତା, ଭାଇ ଓ ସାବତ ମା’ଙ୍କୁ ହତ୍ୟା କରିବାକୁ ସୁପାରି ଦେଇଥିଲା। ହତ୍ୟାକାରୀମାନେ ବାପା-ମା’ଙ୍କୁ ହତ୍ୟା କରିବା ପରିବର୍ତ୍ତେ ଚିହ୍ନଟ କରିବାରେ ତ୍ରୁଟି ହେତୁ ତାଙ୍କର ଜଣେ ନିକଟ ସମ୍ପର୍କୀୟଙ୍କ ପରିବାରର ୩ ଜଣଙ୍କୁ ହତ୍ୟା କରିଛନ୍ତି। ଏହି ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସମେତ ୭ଜଣଙ୍କୁ ଗିରଫ କରିଛି।
ବିଜେପି ନେତ୍ରୀ ସୁନନ୍ଦା ବାକାଲେଙ୍କ ପୁଅ କାର୍ତ୍ତିକ (୨୮), ତାଙ୍କର ନିକଟ ସମ୍ପର୍କୀୟ ପର୍ଶୁରାମ (୫୮), ଲକ୍ଷ୍ମୀବାଈ (୫୦), ଆଙ୍କାକ୍ଷା (୧୭)ଙ୍କୁ ଶୋଇଥିବା ଅବସ୍ଥାରେ ଅଜଣା ଦୁର୍ବୃତ୍ତ ଅତି ନୃଶଂସ ଭାବେ ହତ୍ୟା କରିଥିଲେ। ନିର୍ବାଚନ ପରିପ୍ରେକ୍ଷୀରେ ଏକ ପ୍ରମୁଖ ଦଳର ରାଜନେତାଙ୍କ ଘରେ ତାଙ୍କ ସମ୍ପର୍କୀୟଙ୍କୁ ଏଭଳି ହତ୍ୟା କରାଯିବା ଘଟଣା ନେଇ କର୍ଣ୍ଣାଟକରେ ରାଜନୈତିକ ହଟଚମଟ ଆରମ୍ଭ ହୋଇଯାଇଥିଲା। ମାମଲାକୁ ଗୁରୁତର ସହ ଗ୍ରହଣ କରି କର୍ଣ୍ଣାଟକ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଶେଷରେ ସୁନନ୍ଦାଙ୍କ ସାବତପୁଅ ବିନାୟକ(୩୧)ଙ୍କୁ ଗିରଫ କରାଯାଇଥିଲା। ସୂଚନାନୁସାରେ, ମୁଖ୍ୟ ଅଭିଯୁକ୍ତ ବିନାୟକଙ୍କ ପିତା ପ୍ରକାଶ ବାକାଲେ ସୁନନ୍ଦାଙ୍କୁ ଦ୍ବିତୀୟ ବିବାହ କରିଥିଲେ। ପ୍ରଥମ ପତ୍ନୀ ରୁକ୍ମଣୀଙ୍କ ଔରସରୁ ବିନାୟକ ଜନ୍ମ ହୋଇଥିଲା। ବିନାୟକଙ୍କ ନାମରେ ପ୍ରକାଶ ଏକାଧିକ ସ୍ଥାବର ସମ୍ପତ୍ତି ରଖିଥିଲେ। ୫ ମାସ ପୂର୍ବେ ପ୍ରକାଶଙ୍କୁ ନଜଣାଇ ବିନାୟକ ତିନିଟି ଘର ଓ ଜମି ବିକ୍ରି କରିଥିଲା। ଏଥିରେ ପ୍ରକାଶ ନିଜର ପ୍ରଥମ ପତ୍ନୀଙ୍କ ପୁଅ ବିନାୟକ ଉପରେ ତୀବ୍ର ଖପ୍ପା ହୋଇଥିଲେ। ଆଉଥରେ ଏଭଳି ବିକ୍ରି କଲେ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦେଇଥିଲେ। ଏହି ଘଟଣାରେ ବିନାୟକ ଉତ୍କ୍ଷୀପ୍ତ ହୋଇ ନିଜର ବାପା, ସାବତ ମା’ ତଥା ପୌର ଉପାଧ୍ୟକ୍ଷା ସୁନନ୍ଦା ଓ ସାବତ ଭାଇ କାର୍ତ୍ତିକଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇଦେବାକୁ ଯୋଜନା କରିଥିଲା। ହତ୍ୟା କରିବାକୁ ଫିରୋଜ ନାମକ ଜଣେ ଯୁବକକୁ ୬୫ଲକ୍ଷ ଟଙ୍କା ଦେଇଥିଲା। ଫିରୋଜ ଜଣେ ପୁରୁଣା କାର୍ ବ୍ୟବସାୟୀ ଏବଂ ହତ୍ୟା ପାଇଁ ଫିରୋଜ୍ ଅନ୍ୟ ୫ଜଣ ସୁପାରି ହତ୍ୟାକାରୀଙ୍କୁ ଯୋଗାଡ଼ କରିଥିଲା।
ସେହି ଦୁର୍ଭାଗ୍ୟପୂର୍ଣ୍ଣ ଦିନରେ ପର୍ଶୁରାମ, ତାଙ୍କ ପତ୍ନୀ ଓ କନ୍ୟା କୋପାଲ୍ ଯିବା ପାଇଁ ବାହାରିଥିଲେ। କିନ୍ତୁ ବିଳମ୍ବ ହେତୁ ଟ୍ରେନ୍ ଚାଲିଯାଇଥିବାରୁ ସୁନନ୍ଦାଙ୍କ ଘରକୁ ଚାଲିଆସି ପରବର୍ତ୍ତୀ ଟ୍ରେନ୍ ପାଇଁ ଅପେକ୍ଷା କରିଥିଲେ। ରାତିରେ ଶୋଇଥିବା ବେଳେ ହତ୍ୟାକାରୀମାନେ ଚିହ୍ନଟ କରିବାରେ ଭୁଲ କରି ବିନାୟକଙ୍କ ସାବତ ଭାଇ କାର୍ତ୍ତକ ସହ ତାଙ୍କର ସମ୍ପର୍କୀୟଙ୍କ ପରିବାରକୁ ହତ୍ୟା କରିଥିଲେ। ଏହି ଘଟଣାରେ ପୁଲିସ ବିନାୟକ, ଫିରୋଜ (୨୯), ଜିସାନ୍ (୨୪), ସାହିଲ୍ ଖାଜି (୧୯), ସୋହାଲି (୧୯), ସୁଲତାନ ସେକ୍ (୨୩), ମହେଶ ସାଲୁଙ୍କେ (୨୦) ଓ ୱାହିଦ୍ ବେପାରୀ (୨୧)କୁ ଗିରଫ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/Son-Given-Contract-To-Killing-Father-Mother_Thumbnail.jpg)