ଭବିଷ୍ୟତରେ ବିନାଶକାରୀ ସୁପର ସାଇକ୍ଲୋନ ସଂଖ୍ୟା ବଢିବ : ଗବେଷଣା

ନୂଆଦିଲ୍ଲୀ : ଜଳବାୟୁ ପରିବର୍ତ୍ତନ ଓ ତାପମାତ୍ରା ବୃଦ୍ଧିର ପ୍ରଭାବ ଯୋଗୁଁ ଭବିଷ୍ୟତରେ ବିନାଶକାରୀ ସୁପର ସାଇକ୍ଲୋନ ସଂଖ୍ୟା ବଢିବ ଓ ଏହା ଯୋଗୁଁ ଭାରତର କୋଟି କୋଟି ଲୋକ ପ୍ରଭାବିତ ହେବେ  ବୋଲି ଏକ ଗବେଷଣାରୁ ଜଣାପଡିଛି ।

ବ୍ରିଟେନର ବ୍ରିଷ୍ଟଲ ବିଶ୍ବ ବିଦ୍ୟାଳୟର ଗବେଷକମାନେ ୨୦୨୦ରେ ଆସିଥିବା ଅମ୍ଫାନ ବାତ୍ୟା ଉପରେ ଏକ ଅଧ୍ୟୟନ କରି ଏହି ଭବିଷ୍ୟବାଣୀ କରିଛନ୍ତି । ସେମାନେ ନିଜ ଅଧ୍ୟୟନରେ ବିଶ୍ବ ତାପନ ଯୋଗୁଁ ସମୁଦ୍ରର ତାପମାତ୍ରା ବୃଦ୍ଧି, ଜଳପତ୍ତନ ବୃଦ୍ଧି ଆଦିକୁ ବିଚାରକୁ ନେଇ ନିଜ ରିପୋର୍ଟ ପ୍ରସ୍ତୁତ କରିଛନ୍ତି ।

ସେମାନଙ୍କ ଏହି ଗବେଷଣା ରିପୋର୍ଟ କ୍ଲାଇମେଟ୍ ରେଜିଲିଏଣ୍ଟ ଓ ସଷ୍ଟେନିବିଲିଟି ଜର୍ଣ୍ଣାଲରେ ପ୍ରକାଶ ପାଇଛି । ଏହି ଗବେଷଣା ସଂଦର୍ଭରେ ଲେଖାଯାଇଛି ଯେ ଯଦି ସବୁଜ ଘର ବାଷ୍ପ ଏହି ହାରରେ ବଢିଚାଲିବ, ତେବେ ବିଶ୍ବରେ ଭାରତର ଜନସଂଖ୍ୟାର ପ୍ରାୟ ଅଢେଇ ଗୁଣ ଅର୍ଥାତ ପ୍ରାୟ ପ୍ରାୟ ୪୦୦ କୋଟି ଲୋକ ଗୁରୁତରଭାବେ ପ୍ରଭାବିତ ହେବେ ।

ଏହି ଗବେଷକ ଦଳର ମୁଖ୍ୟ ଡାନ ମିଚେଲ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଦୃଷ୍ଟିରୁ ଦକ୍ଷିଣ ଏସିଆ ସମଗ୍ର ବିଶ୍ବରେ ଏକ ସବୁଠାରୁ ସଂବେଦନଶୀଳ ଅଂଚଳରେ ପରିଣତ ହୋଇଛି । ଆଇପିସିସି ମଧ୍ୟ ଏହା କହିସାରିଛି । କିନ୍ତୁ ଏହି ଅତି ସଂବେଦଦନଶୀଳ ଅଂଚଳର ପରିବେଶ ଉପରେ ସବୁଠାରୁ କମ ଗବେଷଣା ହୋଇଛି ।

ସବୁଜ ଘର ବାଷ୍ପ ନିର୍ଗମନକୁ ହ୍ରାସ କରି ପ୍ୟାରିସ ରାଜିନାମା ଲକ୍ଷ୍ୟ ହାସଲ କଲେ ଏହି ବିପଦର ଆଶଙ୍କା କମିବ ବୋଲି ରିପୋର୍ଟରେ କୁହାଯାଇଛି ।

 

 

ସମ୍ବନ୍ଧିତ ଖବର