ଗୋଲାପୀ ନ ଦିଶିଲେ ବି ଏପ୍ରିଲ୍ ୭ ତାରିଖ ଦିନ ଉଇଁବ ‘ସୁପର୍ ପିଙ୍କ୍ ମୁନ୍’

ନୂଆଦିଲ୍ଲୀ: ଏପ୍ରିଲ୍ ୭ ତାରିଖ ରାତ୍ରୀ ଆକାଶରେ ଦୃଶ୍ୟମାନ ହେବ “ସୁପର୍ ପିଙ୍କ୍ ମୁନ୍’ । “ସୁପର୍ ପିଙ୍କ୍ ମୁନ୍’ ହୋଇଥିଲେ ବି ସେଦିନ ପୃଥିବୀର ଉପଗ୍ରହ ଜହ୍ନ ଗୋଲାପୀ ଦିଶିବ ନାହିଁ। କିନ୍ତୁ, ବର୍ଷର ଅନ୍ୟାନ୍ୟ ପୂର୍ଣ୍ଣିମାର ଜହ୍ନ ଠାରୁ ଯଥେଷ୍ଟ ବଡ଼ ଦିଶିବ ।

ପୂର୍ଣ୍ଣମୀ ଦିନ ଜହ୍ନ ପୃଥିବୀର ଅପେକ୍ଷାକୃତ ନିକଟରେ ଥିବା ତା’ର କକ୍ଷପଥ ଗୋଟିଏ ମୁଣ୍ଡ ଦେଇ ଅତିକ୍ରମ କରୁଥିବା ବେଳେ ଟିକେ ବଡ଼ ଓ ଉଜ୍ଜ୍ୱଳ ଦେଖାଯାଏ । ଏହାକୁ ହିଁ “ସୁପର୍ ମୁନ୍’ କହନ୍ତି । ପୃଥିବୀ ଓ ଜହ୍ନ ମଧ୍ୟରେ ହାରାହାରି ଦୂରତ୍ୱ ୩୮୪, ୪୦୦ କିଲୋମିଟର ହୋଇଥିବା ବେଳେ ଏହି ସମୟରେ ଦୂରତ୍ୱ ଥାଏ ୩୫୬, ୯୦୭ କିଲୋମିଟର୍ । ସାଧାରଣ ପୂର୍ଣ୍ଣମୀ ଜହ୍ନ ଅପେକ୍ଷା ସୁପର୍ ମୁନ୍ ୩୦% ବଡ଼ ଦିଶେ ।

Image Source: Money Control

୭ ତାରିଖରେ ଦୃଶ୍ୟମାନ ହେବାକୁ ଥିବା “ସୁପର୍ ମୁନ୍’କୁ “ସୁପର୍ ପିଙ୍କ୍ ମୁନ୍’ କୁହାଯିବାର ଅନ୍ୟ କାରଣ ରହିଛି । ଏହି ସମୟରେ ଉତ୍ତର ଆମେରିକାରେ ଆରମ୍ଭ ହୋଇଥାଏ ଆଦ୍ୟ ବସନ୍ତ । ସେହି ସମୟରେ ସେଠାରେ “କ୍ରିପିଙ୍ଗ୍ ଫ୍ଲୋକ୍ସ’ ନାମରେ ଏକ ପ୍ରକାର ଗୋଲାପୀ ରଙ୍ଗର ବଣୁଆ ଫୁଲ ଫୁଟେ । ସେହି କାରଣରୁ ଏହି ବାସନ୍ତିକ ପୂର୍ଣ୍ଣମୀ ଜହ୍ନକୁ “ସୁପର୍ ପିଙ୍କ୍ ମୁନ୍’ ବା “ବଡ଼ ଗୋଲାପୀ ଜହ୍ନ’ କୁହାଯାଏ ।

ସମ୍ବନ୍ଧିତ ଖବର