ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କ୍ଷମତା ଯୁଦ୍ଧକୁ ନେଇ ବିବାଦ ଏବେ ବି ବଳବତ୍ତର ରହିଥିବା ବେଳେ ଏଠାକାର ଆବର୍ଜନା ପରିଚାଳନା ପ୍ରସଙ୍ଗକୁ ନେଇ ଆଜି ସୁପ୍ରିମ୍‌କୋର୍ଟ ଦିଲ୍ଲୀ ଉପରାଜ୍ୟପାଳ (ଏଲ୍‌ଜି) ଅନିଲ ବୈଜଲଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି। କହିଛନ୍ତି, କ୍ଷମତାରେ ନିଜକୁ ସୁପରମ୍ୟାନ୍‌ ବୋଲି କହି ଡିଣ୍ଡିମ ପିଟୁଛନ୍ତି, କିନ୍ତୁ କାମରେ ଶୂନ। ପୌରପାଳିକାର ପ୍ରତିଟି କାର୍ଯ୍ୟ ଆପଣଙ୍କ ତଦାରଖରେ ହେଉଛି, କିନ୍ତୁ ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ କୁଢ଼କୁଢ଼ ଅଳିଆ ଆବର୍ଜନା ଗଦା ହୋଇଥିବା ଦେଖିବାକୁ ମିଳୁଛି। ଯଦି ପୌରପାଳିକା ଆପଣଙ୍କ  ନିୟନ୍ତ୍ରଣରେ ଅଛି ତା’ହେଲେ ଏହି ସମସ୍ୟାର ପ୍ରତିକାର ହେଉନି କାହିଁକି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ବିଚାରପତି ଏମ୍‌ ବି ଲୋକୁର ଓ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଦାଖଲ ହୋଇଥିବା ଏକ ସତ୍ୟପାଠକୁ ଅବଲୋକନ କରି କହିଛନ୍ତି, ଦିଲ୍ଲୀର ପୌର ନିଗମ ଆପଣଙ୍କ ଅଧୀନରେ ଅଛି ବୋଲି ସତ୍ୟପାଠରେ ଦର୍ଶାଇଛ। କିନ୍ତୁ ସେହି ଅନୁସାରେ ପଦକ୍ଷେପ ଆପଣ ନେଇନାହାନ୍ତି। ଦିଲ୍ଲୀରେ ଅଳିଆ, ଆବର୍ଜନା ସଫା କରିବା ନେଇ ଏକ ନିର୍ଦ୍ଦିଷ୍ଟ ସମୟସୀମା ଲିଖିତ ଆକାରରେ ଦେବା ନିମନ୍ତେ ସୁପି୍ରମ୍‌କୋର୍ଟଙ୍କ ପକ୍ଷରୁ କୁହାଯାଇଥିଲା। କିନ୍ତୁ ଉପରାଜ୍ୟପାଳଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ୍‌ ପିଙ୍କି ଆନନ୍ଦ ଏଥିରେ ନକାରାତ୍ମକ ଟିପ୍ପଣୀ ଦେଇଥିଲେ। ସେ କହିଥିଲେ, ବର୍ତ୍ତମାନ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଦିଆଯାଇ ପାରିବ ନାହିଁ।

Advertisment