କୋରିଆରେ ଉଡ଼ିଲା ସୁପର୍‌ସୋନିକ୍‌ ବୋମାବର୍ଷୀ

ଓ୍ଵାସିଂଟନ: ଉତ୍ତର କୋରିଆ ପଟୁ ପରମାଣୁ ଆକ୍ରମଣ ଆଶଙ୍କା ବଢ଼ିଚାଲିଥିବାରୁ କୋରିଆ ଉପଦ୍ୱୀପରେ ଆମେରିକା ତା’ର ଶକ୍ତି ପ୍ରଦର୍ଶନ ଜାରି ରଖିଛି। ଆମେରିକାର ଦୁଇଟି ସୁପର୍‌ସୋନିକ ବୋମାବର୍ଷୀ ବିମାନ କୋରିଆ ଉପଦ୍ୱୀପରେ ଆଜି ଉଡ଼ିବା ପରେ ଉତ୍ତେଜନା ଆହୁରି ବଢ଼ିଯାଇଛି। ଉତ୍ତର କୋରିଆ ସାମରିକ ପ୍ରବକ୍ତା କହିଛନ୍ତି ଯେ ଆମେରିକା ଆତଙ୍କ ସୃଷ୍ଟି କରି ଆମକୁ ବ୍ଲାକମେଲ୍‌ କରୁଛି। ଆଜି ଆମେରିକାର ଗୁଆମ୍‌ ଦ୍ୱୀପରୁ ଦୁଇଟି ସୁପରସୋନିକ୍‌ ବୋମାବର୍ଷୀ ବିମାନ ଉଡ଼ାଣ ଆରମ୍ଭ କରିବା ପରେ ଏଥିରେ ଚୀନ୍‌ ମଧ୍ୟ ଚିନ୍ତିତ ହୋଇପଡ଼ିଛି। ସୁପରସୋନିକ୍‌ ବିମାନ ଆକ୍ରମଣକୁ ପ୍ରତିହତ କରିବାର କ୍ଷମତା ଉତ୍ତର କୋରିଆର ନାହିଁ। ଏ ସଂପର୍କରେ ଆମେରିକା ବାୟୁସେନା ପ୍ରବକ୍ତା କହିଛନ୍ତି ଯେ ଏହା ଏକ ସାମରିକ ଅଭ୍ୟାସର ଅଂଶବିଶେଷ ଏବଂ ଆଗକୁ ମଧ୍ୟ ଏଭଳି ଉଡ଼ାଣ ଅଭିଯାନ ଜାରି ରହିବ।

ଉତ୍ତର କୋରିଆ ସହ କୂଟନୈତିକ ଆଲୋଚନା ବିଫଳ ହେବାପରେ କୋରିଆ ଉପଦ୍ୱୀପରେ ଆମେରିକା ତା’ର ସାମରିକ ଶକ୍ତିରେ ଆଶାତୀତ ବୃଦ୍ଧି ଘଟାଇଛି। ବିମାନ ବାହକ ଏବଂ କ୍ଷେପଣାସ୍ତ୍ର ବିଧ୍ୱଂସୀ ଯୁଦ୍ଧପୋତ ମୁତୟନଠାରୁ ଆରମ୍ଭ କରି ସୁପର୍‌ସୋନିକ୍‌ ବୋମାବର୍ଷୀ ବିମାନର ଉଡ଼ାଣ ଅଭିଯାନ ମଧ୍ୟ ଆରମ୍ଭ ହୋଇଯାଇଛି । ଯେ କୌଣସି ମୁହୂର୍ତ୍ତରେ ପରମାଣୁ ଯୁଦ୍ଧ ଘଟିପାରେ ବୋଲି ଆମେରିକା ଆଶଙ୍କା କରୁଛି। ଆମେରିକା ସହାୟତାରେ କୋରିଆ ଉପଦ୍ୱୀପକୁ ଛାରଖାର ହେବାରୁ ରକ୍ଷା କରିବା ପାଇଁ ବ୍ୟାପକ ପ୍ରତିରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉତ୍ତର କୋରିଆର କ୍ଷେପଣାସ୍ତ୍ର ଆକ୍ରମଣକୁ ପ୍ରତିହତ କରିବା ପାଇଁ ଦକ୍ଷିଣ କୋରିଆ ଆମେରିକାର ଥାଡ୍‌ କ୍ଷେପଣାସ୍ତ୍ର ବ୍ୟବସ୍ଥା ମୁତୟନ କରିଛି। ଉତ୍ତର କୋରିଆ ତା’ର ସମସ୍ତ ପରମାଣୁ ଅସ୍ତ୍ରକୁ ବ୍ୟବହାର ନିମନ୍ତେ ପ୍ରସ୍ତୁତ କରି ରଖିବା ସହ ଆଇସିବିଏମ୍‌ କ୍ଷେପଣାସ୍ତ୍ରଗୁଡ଼ିକୁ ଦକ୍ଷିଣ କୋରିଆ, ଜାପାନ ଏବଂ ଆମେରିକା ଆଡ଼କୁ ମୁହାଁଇ ମୁତୟନ କରିଛି। ଦକ୍ଷିଣ କୋରିଆ ସହ ଏବେ ଆମେରିକାର ରଣନୀତିକ ଆଲୋଚନା ଜାରି ରହିଛି। ଦକ୍ଷିଣ କୋରିଆ ଏବେ ଯେଉଁ ପରମାଣୁ ବୋମା ପ୍ରସ୍ତୁତ କରି ରଖିଛି ସେଗୁଡ଼ିକର ଆକାର ୧୯୪୫ରେ ହିରୋସିମାରେ ପକାଯାଇଥିବା ବୋମାର ୩ ଗୁଣ ହେବ। ଉତ୍ତର କୋରିଆ ଅଗଷ୍ଟରୁ ସେପ୍‌୍‌ଟେମ୍ବର ମଧ୍ୟରେ ବହୁ ସଂଖ୍ୟାରେ କ୍ଷେପଣାସ୍ତ୍ର ସଫଳତାର ସହ ପରୀକ୍ଷା କରିଛି।

ସମ୍ବନ୍ଧିତ ଖବର