ସୁପର୍‌ସୋନିକ୍‌ କ୍ଷେପଣାସ୍ତ୍ର ‘ଅସ୍ତ୍ର’ ବାୟୁସେନା ପାଇଁ ପ୍ରସ୍ତୁତ; ଆମେରିକା, ରୁଷ୍‌, ଫ୍ରାନ୍‌ସ ଓ ଇସ୍ରାଏଲ୍‌ ସହ ସମକକ୍ଷ ହେଲା ଭାରତ

ନୂଆଦିଲ୍ଲୀ: ଆକାଶରୁ ଆକାଶ ମାର୍ଗରେ ‌ଲକ୍ଷ୍ୟ ଭେଦ କରୁଥିବା ପ୍ରଥମ ସ୍ବଦେଶୀ ସୁପରସୋନିକ୍‌ କ୍ଷେପଣାସ୍ତ୍ର, ‘ଅସ୍ତ୍ର’ (ବିଭିଆର୍‌ଏଏଏମ୍‌) ଏବେ ଭାରତୀୟ ବାୟୁସେନାର ବ୍ୟବହାର ପାଇଁ ପ୍ରସ୍ତୁତ ବୋଲି ଭାରତର ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ପ୍ରତିଷ୍ଠାନ (ଡିଆର୍‌ଡିଓ) ସୂତ୍ରରୁ ପ୍ରକାଶ।

ବାୟୁସେନା ପ୍ରଥମ ପର୍ଯ୍ୟାୟରେ ସୁଖୋଇ-୩୦ ଏମ୍‌କେଆଇ ଜେଟ୍‌ ପାଇଁ ୨୦୦ କ୍ଷେପଣାସ୍ତ୍ର ବରାଦ କରିଛି। ‘ଅସ୍ତ୍ର’ର ଆକ୍ରମଣ କ୍ଷମତା ୧୧୦ କିଲୋମିଟରରୁ ୧୬୦ କିଲୋମିଟରକୁ ବୃଦ୍ଧି କରିବାକୁ ଡିଆର୍‌ଡିଓ ସଫଳ ହୋଇଛି। ‘ଅସ୍ତ୍ର’ ସମଗ୍ର ବିଶ୍ବର ଏକ ଶ୍ରେଷ୍ଠ ବିଭିଆର୍‌ଏଏଏମ୍‌ ବୋଲି ଡିଆର୍‌ଡିଓର ମୁଖ୍ୟ ଜି. ସତୀଶ ରେଡ୍ଡି ସୂଚନା ଦେଇଛନ୍ତି। ଆକାଶରେ ଶତ୍ରୁର ମୁକାବିଲା କରିବା ପାଇଁ କ୍ଷେପଣାସ୍ତ୍ର ‘ଅସ୍ତ୍ର’ ଭାରତୀୟ ବାୟୁସେନା ହାସଲ କରିବା ପରେ ଏହା ଆମେରିକା, ରୁଷ୍‌, ଫ୍ରାନ୍‌ସ ଓ ଇସ୍ରାଏଲ୍‌ ପରେ ପଞ୍ଚମ ଦେଶର ମାନ୍ୟତା ଲାଭ କରିଛି।

‘ଅସ୍ତ୍ର’ ହେଉଛି ଭାରତର ନିଜସ୍ବ ଜ୍ଞାନକୌଶଳରେ ନିର୍ମିତ ସୁପର୍‌ସୋନିକ କ୍ଷେପଣାସ୍ତ୍ର ଯାହା କି ପ୍ରତିକୂଳ ପାଣିପାଗରେ ମଧ୍ୟ ତାହାର କାର୍ଯ୍ୟ କରିପାରିବ। ଏହାର ଇସିସିଏମ୍‌ (ଇଲେକ୍‌ଟ୍ରୋନିକ୍‌ କାଉଣ୍ଟର-କାଉଣ୍ଟର ମେଜର୍ସ) ବ୍ୟବସ୍ଥା ଶତୃପକ୍ଷର ଯୁଦ୍ଧ ବିମାନ ଓ ରାଡାର୍‌ ଟର୍ମିନାଲ୍‌କୁ ମାତ୍‌ ଦେଇପାରିବ। ସୁଖୋଇ ଯୁଦ୍ଧ ବିମାନ ସହାୟତାରେ ‘ଅସ୍ତ୍ର’ର ପଞ୍ଚମ ସଫଳ ପରୀକ୍ଷଣ ଡିଆର୍‌ଡିଓ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର