ନୂଆଦିଲ୍ଲୀ : ସୁପରଟେକ୍ ପକ୍ଷରୁ ଟ୍ବିନ ଟାୱାରକୁ ରବିବାର ଦିନ ମାଟିରେ ମିଶାଯାଇଛି। ସୁପ୍ରିମକୋର୍ଟଙ୍କ ରାୟ ପରେ ଉକ୍ତ ଟାୱାରକୁ ଭାଙ୍ଗିବା ଲାଗି ଦୀର୍ଘ ୭ ମାସର କସରତ ହୋଇଥିଲା। କିନ୍ତୁ ଟାୱାର ଭଙ୍ଗାଯିବାର କିଛି ସମୟ ପୂର୍ବରୁ ଆଜି ସୁପରଟେକର ମାଲିକ ଆର୍କେ ଆରୋରା ଏକ ବିବୃତି ଜାରି କରିଛନ୍ତି। ସେଥିରେ ସେ କହିଛନ୍ତି ଯେ, ଉକ୍ତ ବିଲ୍ଡିଂ ପ୍ଲାନ୍ରେ କୌଣସି ଉଲ୍ଲଂଘନ ହୋଇନାହିଁ। ନଏଡ଼ା କର୍ତ୍ତୃପକ୍ଷଙ୍କୁ ସଂପୂର୍ଣ୍ଣ ଅର୍ଥ ଦେବାପରେ ଟାୱାର ନିର୍ମାଣ ହୋଇଥିଲା। ୨୦୦୯ରେ ନଏଡ଼ା କର୍ତ୍ତୃପକ୍ଷ ଏହାକୁ ମଞ୍ଜୁରି ଦେଇଥିଲେ। ସେହି ସମୟରେ ରାଜ୍ୟରେ ପ୍ରଚଳିତ ବିଲଡିଂ ବାଏ-ଲ ଅନୁସାରେ ମଞ୍ଜୁରି ମିଳିଥିଲା।
ତେବେ ସୁପ୍ରିମକୋର୍ଟଙ୍କ ରାୟକୁ ସେ ସମ୍ମାନ ଜଣାଇଛନ୍ତି। ବୈଷୟିକ ଦୃଷ୍ଟିରୁ ନିର୍ମାଣ କାର୍ଯ୍ୟରେ ସୁପ୍ରିମକୋର୍ଟ ଅସନ୍ତୁଷ୍ଟ ଥିଲେ। ସେଥିପାଇଁ ଦୁଇଟି ଯାକ ଟାୱାରକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ରାୟ କମ୍ପାନିର ଅନ୍ୟ କୌଣସି ଚାଲୁ ରହିଥିବା ପ୍ରକଳ୍ପକୁ ପ୍ରଭାବିତ କରିବ ନାହିଁ ବୋଲି ଆରୋରା ମତ ଦେଇଛନ୍ତି।