୨୫୦୦କେଜି ବିସ୍ଫୋରକ ସହ ମାତ୍ର ୯ସେକେଣ୍ଡରେ ଭାଙ୍ଗିବ ସୁପରଟେକ ଟ୍ବିନ ଟାୱାର

ନୂଆଦିଲ୍ଲୀ: ଗତ କିଛି ମାସ ଧରି ନୋଏଡାରେ ଥିବା ସୁପରଟେକ ଟ୍ବିନ ଟାୱାରକୁ ନେଇ ବିବାଦ ଲାଗି ରହିଛି। ପରିବେଶ ସୁରକ୍ଷା ଦୃଷ୍ଟିରୁ ଏପରି ଟାୱାରକୁ ମଞ୍ଜୁରୀ ନଥିବାବେଳେ ନୋଏଡା ଅଥରିଟି ଓ ବିଲ୍ଡର ମିଶି ବେଆଇନ ଭାବେ ଏହାକୁ ନିର୍ମାଣ କରିଥିବା ଅଭିଯୋଗ ହେବା ପରେ ସୁପ୍ରିମକୋର୍ଟ ଏହାକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ଚୂଡ଼ାନ୍ତ ଯୋଜନା ଏବଂ ଭାଙ୍ଗିବା ପାଇଁ ଏକ ସମୟସୀମା ପ୍ରସ୍ତୁତ କରିବାକୁ ନୋଏଡାର ସିଇଓଙ୍କୁ ଗେଲ୍ ସମେତ ସମସ୍ତ ବିଭାଗର ଅଧିକାରୀଙ୍କ ସହ ଏକ ବୈଠକ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏବେ ଅନେକ ଆଲୋଚନା ପରେ ମେ’ ୨୨ରେ ଟ୍ବିନ ଟାୱାରକୁ ଭଙ୍ଗା ଯିବ ବୋଲି ଜଣାପଡ଼ିଛି।

ଏହାକୁ ନିର୍ମାଣ କରିବା ପାଇଁ ବର୍ଷ ବର୍ଷ ସମୟ ଲାଗିଥିବ‌ା ବେଳେ ମାତ୍ର ୯ସେକେଣ୍ଡରେ ଏହି ଟାୱାର ମାଟିରେ ମିଶିବ ବୋଲି ଜଣାପଡ଼ିଛି। ନୋଏଡା ଅଥରିଟି ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, ଟାୱାରକୁ ମାଟିରେ ମିଶାଇବା ପାଇଁ ୨୫୦୦କେଜିର ବିସ୍ଫୋରକ ବ୍ୟବହାର କରାଯିବ। ମାତ୍ର ୯ସେକେଣ୍ଡରେ ମାଟିରେ ମିଶିଯିବ ସୁପରଟେକ ଟ୍ବିନ ଟାୱାର। ଏହାର ଆଖପାଖ ଅଞ୍ଚଳରେ ରହୁଥିବା ୧୫୦୦ ପରିବାରକୁ ଟାୱାର ଭଙ୍ଗାଯିବାର ୫ଘଣ୍ଟା ପୂର୍ବରୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ନୋଏଡା-ଗ୍ରେଟର ନୋଏଡା ଏକ୍ସପ୍ରେସୱେ ଏହି ଟାୱାରକୁ ଲାଗି ରହିଥିବାରୁ ଭଙ୍ଗାଯିବା ସମୟରେ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିବ। ଏହା ସହ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯିବ ବୋଲି କହିଛି ଏଡିଫାଇସ୍ ଇଞ୍ଜିନିୟରିଂ।

ନୋଏଡା ଅଥରିଟି ଏବଂ ସେଣ୍ଟ୍ରାଲ ବିଲଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍, ରୁର୍କି ଦ୍ୱାରା ମନୋନିତ ହୋଇଥିବା କମ୍ପାନି ଏଡିଫାଇସ୍ ଇଞ୍ଜିନିୟରିଂ ଦକ୍ଷିଣ ଆଫ୍ରିକାର ଏକ କମ୍ପାନି ଜେଟ୍ ଡେମୋଲିସନ୍ ସହଯୋଗରେ ଟାୱାରକୁ ଭାଙ୍ଗିବ ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ପରିବେଶ ସୁରକ୍ଷା ଦୃଷ୍ଟିରୁ ଏପରି ଟାୱାରକୁ ମଞ୍ଜୁରୀ ନଥିବାବେଳେ ନୋଏଡା ଅଥରିଟି ଓ ବିଲ୍ଡର ମିଶି ବେଆଇନ ଭାବେ ଏହାକୁ ନିର୍ମାଣ କରିଥିଲେ । ଟ୍ୱାୱାର ନିର୍ମାଣର ପ୍ରତି ପ୍ରକ୍ରିୟାରେ ନିୟମ ଭଙ୍ଗାଯାଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଏହାକୁ ଭାଙ୍ଗିବାକୁ ୨୦୧୪ରେ ଆହ୍ଲାବାଦ ହାଇକାର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଏହି ରାୟକୁ ସୁପ୍ରିମକୋର୍ଟ ବଜାୟ ରଖିଥିଲେ।

ସମ୍ବନ୍ଧିତ ଖବର