ଚୀନ୍‌କୁ ସମର୍ଥନ ପାକିସ୍ତାନ ପାଇଁ ମହଙ୍ଗା ହେବ, ଚୀନ୍‌ ନୀତିର ସମୀକ୍ଷା ପାଇଁ ବିଦେଶ ମନ୍ତ୍ରାଳୟର ପରାମର୍ଶ

ଇସ୍‌ଲାମାବାଦ: ଚୀନ୍‌କୁ ସବୁ ପ୍ରସଙ୍ଗରେ ପୂର୍ଣ୍ଣ ସମର୍ଥନ କରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ଏବେ ନିଜ ଦେଶର ଅଡ଼ୁଆ ବଢ଼ାଇଛନ୍ତି। ବିଶ୍ବ ସମୁଦାୟ ଚୀନ୍‌ ବିରୋଧରେ ବ୍ୟାପକ ଆର୍ଥିକ କଟକଣା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପାକିସ୍ତାନର ଚୀନ୍‌ ସର୍ବସ୍ବ ନୀତି ମହଙ୍ଗା ସାବ୍ୟସ୍ତ ହେବ ବୋଲି ପାକ୍‌ ବିଦେଶ ମନ୍ତ୍ରାଳୟ ଇମ୍ରାନଙ୍କୁ ଚେତାଇ ଦେଇଛି। ପାକିସ୍ତାନ ଚୀନ୍‌ ନୀତିର ସମୀକ୍ଷା କରି ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ପାକିସ୍ତାନର ଏସିଆ ବ୍ୟାପାର କୂଟନୀତିଜ୍ଞମାନେ ଇମ୍ରାନଙ୍କୁ ପରାମର୍ଶ ଦେଇଛନ୍ତି। ଏବେ ଭାରତ-ଚୀନ୍‌ ମଧ୍ୟରେ ସୀମା ବିବାଦକୁ ନେଇ ପାକିସ୍ତାନ ଅଧିକ ଉତ୍ସାହିତ ହୋଇ ଏଭଳି କିଛି ପଦକ୍ଷେପ ନେଉଛି ଯାହାକି ଏହା ପାଇଁ ବହୁତ ମହଙ୍ଗା ସାବ୍ୟସ୍ତ ହେବ। ଚୀନ୍‌ର ପରାମର୍ଶକ୍ରମେ ଏବେ ପାକିସ୍ତାନ ଏଲ୍‌ଓସିରେ ସୈନ୍ୟ ଠୁଳ କରୁଛି ଏବଂ ବିଭିନ୍ନ ବିବାଦୀୟ ପ୍ରସଙ୍ଗରେ ଚୀନ୍‌ ସପକ୍ଷରେ ବୟାନଜାରି ରଖିଛି। ଚୀନ୍‌ର ବିସ୍ତାରବାଦୀ ନୀତି ବିରୋଧରେ ଭାରତର ପଦକ୍ଷେପକୁ ଆମେରିକା,ୟୁରୋପୀୟ ସଂଘ, ଜାପାନ, ଅଷ୍ଟ୍ରେଲିଆ ଆଦ ରାଷ୍ଟ୍ର ପୂର୍ଣ୍ଣ ସମର୍ଥନ କରିଛନ୍ତି। ଚୀନ୍‌କୁ ଆଖି ବନ୍ଦ କରି ସମର୍ଥନ କରୁଥିବା ପାକିସ୍ତାନକୁ ୟୁରୋପୀୟ ସଂଘ ଏକ ବଡ଼ ଝଟ୍‌କା ଦେଇଛି। ୟୁରୋପୀୟ ସଂଘ ଏବଂ ବ୍ରିଟେନ୍‌ ପାକିସ୍ତାନୀ ଏୟାରଲାଇନ୍ସର ବିମାନ ଉଡ଼ାଣ ଉପରେ କଟକଣା ଲଗାଇଛନ୍ତି।

ସମ୍ବନ୍ଧିତ ଖବର