ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ବଢ଼ୁଛି ସମର୍ଥନ

ବିରୋଧୀଙ୍କ ପାଇଁ ଧର୍ମସଂକଟ ସୃଷ୍ଟି କରିଛି ଏନ୍‌ଡିଏର ଆଦିବାସୀ ଓ ମହିଳା କାର୍ଡ

ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନରେ ଜଣେ ମହିଳା ଓ ଆଦିବାସୀ ଭାବେ ‌ଦ୍ରୌପଦୀ ମୁର୍ମୁଙ୍କୁ ଏନ୍‌ଡିଏ ପ୍ରାର୍ଥୀ ଘୋଷଣା କରି ଯେଉଁ କାର୍ଡ ଖେଳିଛି ତାହା ଅନେକ ରାଜ୍ୟର ବିରୋଧୀମାନଙ୍କୁ ଧର୍ମସଙ୍କଟରେ ପକାଇଛି। ମିଳିତ ବିରୋଧୀ ଦଳ ପ୍ରାର୍ଥୀଙ୍କ ଭୋଟ ଖସୁଥିବା ବେଳେ ବିଜୟ ବ୍ୟବଧାନ କମାଇବା ପାଇଁ ବିରୋଧୀ ଦଳମାନେ ପ୍ରୟାସ କରୁଛନ୍ତି। ରାଷ୍ଟ୍ରପତି ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ହେଉଛି ଶ୍ରୀମତୀ ମୁର୍ମୁଙ୍କ ସ୍ଥିତି ସେତେ ଅଧିକ ମଜବୁତ ହେଉଛି।

ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆରମ୍ଭରୁ ମିଳିତ ବିରୋଧୀ ଦଳର ଯେଭଳି ଏକତା, ତତ୍ପରତା, ସକ୍ରିୟତା ଦେଖିବାକୁ ମିଳିଥିଲା ତାହା ବର୍ତ୍ତମାନ ସେତେଟା ଦେଖିବାକୁ ମିଳୁ ନାହିଁ। ଅନ୍ୟ ପଟେ ପରାଜୟ ବ୍ୟବଧାନକୁ ହ୍ରାସ କରିବା ମିଳିତ ବିରୋଧୀ ଦଳ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ପାଇଁ ଆହ୍ବାନ ହୋଇଛି। ଶ୍ରୀମତୀ ମୁର୍ମୁଙ୍କୁ ବି‌ଜେଡି ଓ ୱାଇଏସ୍‌ଆର୍‌ସିପି ସମର୍ଥନ ଘୋଷଣା କରିସାରିଛନ୍ତି। ଯେଉଁ ଆଞ୍ଚଳିକ ଦଳଗୁଡ଼ିକ ବର୍ତ୍ତମାନ ସୁଦ୍ଧା ସମର୍ଥନକୁ ନେଇ ନିରବ ରହିଛନ୍ତି ସେମାନେ ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇବାକୁ ନେଇ ପ୍ରତ୍ୟକ୍ଷ ବା ପରୋକ୍ଷରେ ଇଙ୍ଗିତ କରିସାରିଛନ୍ତି। ଏବେ ବିରୋଧୀ ଦଳମାନେ ‌ଭୋଟକୁ ନିଜ ଆଡ଼କୁ ଟାଣିବା ପାଇଁ କୌଣସି ରଣନୀତି ନାହିଁ। ଏନ୍‌ଡିଏ ବାହାରେ ରହିବା ସତ୍ତ୍ବେ ଅକାଳୀ ଦଳ ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା ନିଶ୍ଚିତ ରୂପେ ବିରୋଧୀ ଦଳ ପ୍ରାର୍ଥୀଙ୍କ ପାଇଁ ଅଧିକ ଆହ୍ବାନ ସୃଷ୍ଟି କରିଛି। ରାଜନୈତିକ ଘଟଣା କ୍ରମେ ମହାରାଷ୍ଟ୍ର ଶିବସେନାର ବିଦ୍ରୋହୀ ବିଧାୟକଙ୍କ ସମେତ ୫୦ ଜଣଙ୍କ ଭୋଟ ଯାହା ମିଳିତ ବିରୋଧୀ ଦଳ ପ୍ରାର୍ଥୀ ହାସଲ କରିଥାନ୍ତେ ତାହା ଏବେ ଶ୍ରୀମତୀ ମୁର୍ମୁଙ୍କ ସପକ୍ଷରେ ଯିବ। ବିରୋଧୀ ଦଳର ଅଂଶୀଦାର ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ ସଙ୍କେତ ଦେଇସାରିଛି। ଝାଡ଼ଖଣ୍ଡ ଏବଂ ଛତିଶଗଡ଼ର କଂଗ୍ରେସ ବିଧାୟକମାନେ କାହାକୁ ଭୋଟ ଦେବେ ସେ ନେଇ ଦୋଦୁଲ୍ୟମାନ ସ୍ଥିତିରେ ଅଛନ୍ତି। କିଛି ବିରୋଧୀ ଦଳ ନିଜକୁ ଏହି ଅଭିଯାନରେ ଦୂରେଇ ରଖିବାକୁ ପ୍ରୟାସ କରୁଛନ୍ତି।

ବର୍ତ୍ତମାନ ବିଜେପି ଏବଂ ଏହାର ସହଯୋଗୀ ଦଳମାନଙ୍କ ୧୯ଟି ରାଜ୍ୟରେ ସରକାର ରହିଛି। ବିରୋଧୀ ଦଳ ପାଖରେ କେବଳ ସାତଟି ରାଜ୍ୟ (ଛତିଶଗଡ଼, ଝାଡ଼ଖଣ୍ଡ, ରାଜସ୍ଥାନ, ପଶ୍ଚିମବଙ୍ଗ, କେରଳ, ତାମିଲନାଡ଼ୁ ଓ କେରଳ)ରେ ସରକାର ରହିଛି। ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ମିଳିତ ବିରୋଧୀ ଦଳର ପ୍ରାର୍ଥୀଙ୍କୁ ସମର୍ଥନ କରୁଛି। ଓଡିଶା, ଆନ୍ଧ୍ର ପ୍ରଦେଶ, ପଂଜାବ ଓ ଦିଲ୍ଲୀ ସରକାର କୌଣସି ମେଣ୍ଟରେ ସାମିଲ ନାହାନ୍ତି। ଦିଲ୍ଲୀ ଓ ପଞ୍ଜାବର ଆମ ଆଦମୀ ପାର୍ଟି (ଆପ୍‌) ସରକାର ରାଷ୍ଟ୍ରପତି ନିର୍ବାଚନରେ ସେମାନଙ୍କର ଆଭିମୁଖ୍ୟକୁ ନେଇ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ କରିନାହାନ୍ତି। ମିଳିତ ବିରୋଧୀ ଦଳ ବୈଠକରେ ମଧ୍ୟ ଆପ୍‌ ସାମିଲ ହୋଇନାହିଁ। ଆପ୍‌ ଶ୍ରୀମତୀ ମୁର୍ମୁଙ୍କୁ ସମଥର୍ନ କରିବା ସମ୍ଭାବନାକୁ ଏଡ଼ାଇ ହେବ ନାହିଁ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଏବେ ଶ୍ରୀମତୀ ମୁର୍ମୁ ଓ ଶ୍ରୀ ସିହ୍ନା ସେମାନଙ୍କ ସପକ୍ଷରେ ଭୋଟ ପାଇଁ ବିଭିନ୍ନ ରାଜ୍ୟ ବୁଲି ପ୍ରଚାର ଅଭିଯାନ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର