ଲୋକସଭାରେ ପାରିତ ତିନି ବିଲ୍‌କୁ ବିଜେଡିର ସମର୍ଥନ

ମୌସୁମୀ ଅଧିବେଶନର ପ୍ରଥମ ଦୁଇ ସପ୍ତାହ, ସକ୍ରିୟ ଥିଲେ ତିନି ଦଳର ସାଂସଦ

ନୂଆଦିଲ୍ଲୀ : ଚଳିତମାସ ୧୮ରୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ। ଅଧିବେଶନର ପ୍ରଥମ ଦୁଇ ସପ୍ତାହ ହଙ୍ଗାମା ଓ ହୋ ହଲ୍ଲା ଯୋଗୁ ଯଥେଷ୍ଟ ମାତ୍ରାରେ ପ୍ରଭାବିତ ହୋଇଛି। ଦରଦାମ ବୃଦ୍ଧି, ଅଗ୍ନିବୀର ନିଯୁକ୍ତି, ଜିଏସ୍‌ଟି ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଙ୍ଗାମା , ବିଶୃଙ୍ଖଳିତ ସଦସ୍ୟଙ୍କୁ ଉଭୟ ଗୃହରୁ ନିଲମ୍ବନ ଏବଂ ରାଷ୍ଟ୍ରପତିଙ୍କୁ ନେଇ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀଙ୍କ ବିବାଦୀୟ ଟିପ୍ପଣୀ ଯୋଗୁ ଉଭୟ ସଦନର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି।

ମୌସୁମୀ ଅଧିବେଶନର ଆଉ ୧୦ଟି କାର୍ଯ୍ୟ ଦିବସ ବାକି ଥିବା ବେଳେ ଉଭୟ ସଦନ କେବେ ଠାରୁ ସ୍ବାଭାବିକ ହେବ ତାହ‌ା ସବୁଠାରୁ ବଡ଼ ପ୍ରଶ୍ନ। ବିରୋଧୀ ଦଳମାନଙ୍କ ହଙ୍ଗାମା ସତ୍ତ୍ବେ ଲୋକସଭାରେ ଆଣ୍ଟାର୍ଟିକା ବିଲ୍‌, ନାସନାଲ୍‌ ଆଣ୍ଟି ଡୋପିଂ ବିଲ ଓ ପରିବାର କୋର୍ଟ ସଂଶୋଧନ ବିଲ -୨୦୨୨ ପାରିତ ହୋଇଛି। ଏହି ତିନିଟି ବିଲ୍‌କୁ ବିଜେଡି ସମର୍ଥନ କରିଛି। ଏହି ସବୁ ବିଲ୍‌ ଆଲୋଚନାରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ସକ୍ରିୟ ଭାଗ ନେଇଥିଲେ। ଲୋକସଭାରେ ପରିବାର କୋର୍ଟ ସଂଶୋଧନ ବିଲ-୨୦୨୨ ଆଲୋଚନାରେ ସାଂସଦ ଶ୍ରୀ ମହତାବ, ଅନୁଭବ ମହାନ୍ତି, ସୁରେଶ ପୂଜାରୀ ଓ ପ୍ରତାପ ଷଡ଼ଙ୍ଗୀ ଭାଗ ନେଇଥିଲେ। ପ୍ରତିବାଦ ଓ ହଙ୍ଗାମା ଯୋଗୁ ଲୋକସଭାରେ ଆଲୋଚନା ପ୍ରଭାବିତ ହୋଇଥିଲେ ମଧ୍ୟ ବିଲ୍‌ ଉପରେ ଓଡ଼ିଶାର କିଛି ସାଂସଦ ଆଲୋଚନା କରିବାରେ ସଫଳ ହୋଇଥିଲେ।

ବିଜେପି ସାଂସଦ ସୁରେଶ ପୂଜାରୀ ନିୟମ ୩୬୬ ଅନ୍ତର୍ଗତ ବରଗଡ଼ ଓ ଏହାର ଆଖପାଖ ଅଂଚଳରେ କିଡ୍‌ନି ରୋଗ ବୃଦ୍ଧି ପାଉଥିବା ତଥା ଏହାର ଅନୁଧ୍ୟାନ ସକାଶେ କେନ୍ଦ୍ରୀୟ ଟିମ ପଠାଇବା ପାଇଁ ଦାବି କରିଥିଲେ। ଓଡ଼ିଶାରେ ଫସଲ ବୀମା ଯୋଜନା ବାଟବଣା ହୋଇଥିବା ନେଇ ସେ ସଦନରେ ଅଭିଯୋଗ କରିଥିଲେ। ଶ୍ରୀ ପୂଜାରୀ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ ସ୍ଥାପନ ପ୍ରସଙ୍ଗରେ ପୁଣିଥରେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଲୋଡ଼ିଥିଲେ। ବିଜେପି ସାଂସଦ ବସନ୍ତ କୁମାର ପଣ୍ଡା ଜୁନାଗଡ-ନବରଙ୍ଗପୁର ରେଳଲାଇନକୁ ଧର୍ମଗଡ ପର୍ଯ୍ୟନ୍ତ ସଂପ୍ରସାରଣ କରିବା ନେଇ କେନ୍ଦ୍ର ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ପ୍ରତାପ ଷଡ଼ଙ୍ଗୀ ଇଷ୍ଟ କୋଷ୍ଟ କେନାଲ ପୁନରୁଦ୍ଧାର ପ୍ରସଙ୍ଗକୁ ସଦନରେ ଉପସ୍ଥାପନ କରିଥିଲେ। ବିଜେଡି ସାଂସଦମାନଙ୍କ ମଧ୍ୟରୁ ଚନ୍ଦ୍ର ଶେଖର ସାହୁ ମନ‌ରେଗା ଯୋଜନାରେ ବକେୟା ଅର୍ଥରାଶି ତୁରନ୍ତ ପ୍ରଦାନ କରିବା, ରାଜ୍ୟରେ ଫରେନସିକ ବ୍ୟବସ୍ଥାର ଆଧୁନିକୀକରଣ ଓ ସୁଦୃଢ଼ୀକରଣ ତଥା ଓଡ଼ିଶାରେ ପିଏମ ମିତ୍ର ପାର୍କ ସ୍ଥାପନକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଉପରେ କେନ୍ଦ୍ର ସରକାରଙ୍କ ଠାରୁ ସେ ଉତ୍ତର ଲୋଡ଼ିଥିଲେ।ସେହିଭଳି ବିଜେଡି ସାଂସଦ ମହେଶ ସାହୁ ଢେଙ୍କାନାଳ ଠାରୁ ଚେନ୍ନାଇ ପର୍ଯ୍ୟନ୍ତ ଟ୍ରେନ ଚଳାଚଳ ଦାବି କରିଥିବାବେ‌ଳେ ବିଜେଡି ସାଂସଦ ମଂଜୁଲତା ମଣ୍ଡଳ ତାଙ୍କ ସଂସଦୀୟ କ୍ଷେତ୍ରରେ ଭାରତମାଳା ଯୋଜନାକୁ କ୍ରିୟାନ୍ବୟନ କରିବା‌ ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ରାଜ୍ୟସଭାରେ ମୌସୁମୀ ଅଧିବେଶନର ପ୍ରଥମ ଦୁଇ ସପ୍ତାହ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଉଭୟ ଶୂନ୍ୟକାଳ ଓ ପ୍ରଶ୍ନକାଳ ସଂପୂର୍ଣ୍ଣ ପ୍ରଭାବିତ ହୋଇଥିଲା। କୌଣସି ବିଲ୍‌ ମଧ୍ୟ ପାରିତ ହୋଇପାରିନଥିଲା। ତେବେ ସ୍ବତନ୍ତ୍ର ଆଲେଖ୍ୟ ଜରିଆରେ ବିଜେଡି ସାଂସଦ ସସ୍ମିତ ପାତ୍ର ସମ୍ବିଧାନର ଅଷ୍ଟମ ସୂଚୀରେ ହୋ, ମୁଣ୍ଡାରି ଓ ଭୂମିଜ ଭାଷାକୁ ସାମିଲ କରିବା ଦାବି ଉପସ୍ଥାପନ କରିଥି‌ଲେ। ବିଜେଡି ସାଂସଦ ସୁଜିତ କୁମାର ମାଓ ପ୍ରଭାବିତ ଅଂଚଳରେ ମାଓବାଦୀଙ୍କ କାର୍ଯ୍ୟକଳାପ ନିୟନ୍ତ୍ରଣ ଲାଗି ଭିତ୍ତିଭୂମି ବିକାଶ ସଂପର୍କରେ କେନ୍ଦ୍ର ସରକାରଙ୍କର ଦୃଷ୍ଟି ଆକ‌ର୍ଷଣ କରିଥି‌ଲେ। ସାଂସଦ ଅମର ପଟ୍ଟନାୟକ ଖରିଫ୍‌ ଋତୁରେ ମାସିକ ଭିତ୍ତିରେ ପର୍ଯ୍ୟାପ୍ତ ମାତ୍ରାରେ ସାର ଯୋଗାଇଦେବା ତଥା ଫନୀ କ୍ଷତିଗ୍ରସ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ମୌସୁମୀ ଅଧିବେଶନର ପ୍ରଥମ ଦୁଇ ସପ୍ତାହରେ ବିଜେଡି ସାଂସଦମାନେ କୌଣସି ପ୍ରକାର ଧାରଣା ଓ ପ୍ରତିବାଦରୁ ନିଜକୁ ଦୂରେଇ ରଖିଥିବା ବେଳେ ବିଜେପି ସାଂସଦମାନେ ‌ରାଷ୍ଟ୍ରପତିଙ୍କ ପ୍ରତି କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସଂସଦ ଭିତରେ ଓ ବାହାରେ ପ୍ରତିବାଦରେ ସାମିଲ ହୋଇଥିଲେ। କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ତାଙ୍କ ଦଳ ଦ୍ବାରା ଚାଲିଥିବା ପ୍ରତିବାଦରେ ସକ୍ରିୟ ରହିଥିଲେ।

ସମ୍ବନ୍ଧିତ ଖବର