ନୂଆଦିଲ୍ଲୀ: ଦୀର୍ଘ ଦଶନ୍ଧି ଧରି ତାମିଲନାଡୁ ଓ କର୍ଣ୍ଣାଟକ ମଧ୍ୟରେ ଲାଗି ରହିଥିବା କାବେରୀ ନଦୀଜଳ ବିବାଦ ମାମଲାରେ ଆଜି ସୁପ୍ରିମକୋର୍ଟ ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ରାୟରେ କର୍ଣ୍ଣାଟକ ପୂର୍ବାପେକ୍ଷା ଅଧିକ ୧୪.୭୫ ହଜାର ନିୟୁତ ଘନ(ଟିଏମ୍‌ସି) ଫୁଟ ଜଳ ପାଇବ ବୋଲି ଜଣାଯାଇଛିି। କାବେରୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌(ସିଡବ୍‌ଲ୍ୟୁଡିଟି) ୨୦୦୭ ମସିହାରେ ଦେଇଥିବା ରାୟରେ କର୍ଣ୍ଣର୍ାଟକ ଭାଗରେ ବାର୍ଷିକ ୨୭୦ ଟିଏମ୍‌ସି ଫୁଟ ଜଳ ପଡୁଥିବା ବେଳେ ଏବେ ତାହା ୨୮୪.୭୫ ଟିଏମ୍‌ସି ଫୁଟ ହେବ। ସେହିପରି ତାମିଲନାଡୁ ବାର୍ଷିକ ୪୨୪.୨୫ ଟିଏମ୍‌ସି ଫୁଟ ଜଳ ବ୍ୟବହାର କରିପାରିବ ଯାହା ପୂର୍ବାପେକ୍ଷା ୧୪.୭୫ ଟିଏମ୍‌ସି ଫୁଟ କମ୍‌ ରହିବ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଏ ଏମ୍‌ ଖାନଓ୍ଵିଲକର ଏବଂ ଡି ଓ୍ଵାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ସେହିପରି କାବେରୀ ଅବବାହିକାରେ ରହିଥିବା ମୋଟ ୨୦ ଟିଏମ୍‌ସି ଫୁଟ ଜଳରୁ ତାମିଲନାଡୁ ମଧ୍ୟ ଅତିରିକ୍ତ ୧୦ ଟିଏମ୍‌ସି ଫୁଟ ଜଳ ଟାଣିପାରିବ ବୋଲି ଖଣ୍ଡପୀଠ ଅନୁମତି ଦେଇଛନ୍ତି। ଅପରପକ୍ଷେ, ସିଡବ୍‌ଲ୍ୟୁଡିଟିର ୨୦୦୭ ମସିହା ରାୟ ଅନୁସାରେ କେରଳ ଓ ପୁଡୁଚେରି ଭାଗରେ ପଡୁଥିବା ଜଳ ପରିମାଣରେ ସୁପ୍ରିମ କୋର୍ଟ କୌଣସି ପରିବର୍ତ୍ତନ ଆଣିନାହାନ୍ତି। ବେଙ୍ଗାଲୁରୁ ସହରର ଜଚ଼ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଖଣ୍ଡପୀଠ କର୍ଣାଟକ ପାଇଁ ଏହି ୧୪.୭୫ ଟିଏମ୍‌ସି ଫୁଟ ଜଳ ଅଧିକ ଦେଇଛନ୍ତି। ସେହିପରି କର୍ଣ୍ଣାଟକ ପୂର୍ବରୁ ଅନ୍ତଃରାଜ୍ୟ ନଦୀବନ୍ଧ ବିଲିଗୁଣ୍ଡଲୁରୁ ତାମିଲନାଡୁ ପାଇଁ ଛାଡୁଥିବା ୧୯୨ ଟିଏମ୍‌ସି ବଦଳରେ ତାହାକୁ କମାଇ ୧୭୭.୨୫ ଟିଏମ୍‌ସି ଜଳ ଛାଡ଼ିବା ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ କରିଛନ୍ତି।
ସୂଚନା ଥାଉ କି, ୮୦୨ କିମି ବିଶିଷ୍ଟ ଦକ୍ଷିଣ ଭାରତର ଦୀର୍ଘତମ ନଦୀ କାବେରୀ କର୍ଣ୍ଣାଟକର କୋଡ଼ାଗୁ ଜିଲ୍ଲା ଅନ୍ତର୍ଗତ ତଳକାବେରୀ ଅଞ୍ଚଳରୁ ବାହାରି ମୁଖ୍ୟତଃ କର୍ଣ୍ଣାଟକ ଏବଂ ତାମିଲନାଡୁ ରାଜ୍ୟରେ ପ୍ରବାହିତ ହେବା ସହ କେରଳର କିଛି ଅଂଶକୁ ଛୁଇଁଛି। ତେବେ ଦୁଇ ପ୍ରମୁଖ ରାଜ୍ୟ ମଧ୍ୟରେ ଏହାର ଜଳବଣ୍ଟନ ପ୍ରକ୍ରିୟା ବ୍ରିଟିଶ ଅମଳରେ ହୋଇଥିଲେ ହେଁ ବର୍ଷ ବର୍ଷ ଧରି ଜଳସେଚନ ନିମିତ୍ତ ଅଧିକ ଜଳ ଦାବିରେ ଉଭୟ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଥିଲା। ଅପରପକ୍ଷେ, ତାମିଲନାଡୁର ଆଗ୍ରହ କ୍ରମେ ବିବାଦର ସମାଧାନ ଲାଗି ୧୯୯୦ରେ କାବେରୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌(ସିଡବ୍‌ଲ୍ୟୁଡିଟି) ଗଠିତ ହୋଇଥିଲା। ତେବେ ସର୍ବସମ୍ମତି କ୍ରମେ ୨୦୦୭ରେ ଟ୍ରିବ୍ୟୁନାଲ୍‌ କାବେରୀରେ ଉପଲବ୍ଧ ଜଳ ପରିମାଣ ୭୪୦ ଟିଏମ୍‌ସି ଫୁଟ ଧରିନେଇ ତାମିଲନାଡୁକୁ ୪୧୯ ଟିଏମ୍‌ସି, କର୍ଣ୍ଣାଟକକୁ ୨୭୦ ଟିଏମ୍‌ସି, କେରଳକୁ ୩୦ ଟିଏମ୍‌ସି ଏବଂ ପୁଡୁଚେରିକୁ ୭ ଟିଏମ୍‌ସି ଜଳ ବ୍ୟବହାର ପାଇଁ ଅନୁମତି ଦେବା ସହ ପରିବେଶ ସୁରକ୍ଷା ପାଇଁ ବଳକା ୧୪ ଟିଏମ୍‌ସି ଫୁଟ ଜଳ ରଖିଥିଲେ। ତେବେ ଟ୍ରିବ୍ୟୁନାଲ୍‌ଙ୍କ ରାୟ ବିରୋଧରେ କର୍ଣ୍ଣାଟକ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲା। ମାନ୍ୟବର ସର୍ବୋଚ୍ଚ ଅଦାଲତ ଗତବର୍ଷ ସେପ୍ଟେମ୍ବରରେ ଚୂଡ଼ାନ୍ତ ଶୁଣାଣି କରିଥିବା ବେଳେ ରାୟକୁ ସଂରକ୍ଷିତ ରଖିଥିଲେ। ଆଜି ଏହି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି।