ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ.ଜେ ଆକବରଙ୍କୁ ଝଟକା : ପ୍ରିୟା ରମାନୀଙ୍କ ବିରୋଧରେ ଦାଖଲ କରିଥିବା ମାନହାନି ମକଦ୍ଦମା ଖାରଜ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ.ଜେ.ଆକବର ସାମ୍ବାଦିକା ପ୍ରିୟା ରମାନୀଙ୍କ ବିରୋଧରେ ଦାୟର କରିଥିବା ଅପରାଧିକ ମାନହାନି ମକଦ୍ଦମାକୁ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଖାରଜ କରିଛନ୍ତି । ଅଦାଲତ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ, ଯୌନ ଶୋଷଣର ଶିକାର ହୋଇଥିବା ମହିଳାଙ୍କର ଏକ  ଦଶନ୍ଧି ପରେ ମଧ୍ୟ  ଅଭିଯୋଗ କରିବାର ଅଧିକାର ରହିଛି। ଏହା ସହିତ ରାଉଜ ଆଭେନ୍ୟୁ କୋର୍ଟ ମାନହାନି ମାମଲାରେ ପ୍ରିୟା ରମାନୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ଅଦାଲତ କହିଛନ୍ତି, ‘ଯୌନ ଶୋଷଣ ଆତ୍ମସମ୍ମାନ ଏବଂ ଆତ୍ମବିଶ୍ୱାସକୁ ହତ୍ୟା କରେ। ଜଣେ ବ୍ୟକ୍ତିର ପ୍ରତିଷ୍ଠାର ସୁରକ୍ଷା ଜଣେ ବ୍ୟକ୍ତିର ସମ୍ମାନର ମୂଲ୍ୟ ଦ୍ବାରା କରାଯାଇପାରିବ ନାହିଁ। ଦଶନ୍ଧି ପରେ ମଧ୍ୟ ମହିଳାମାନଙ୍କର ଅଭିଯୋଗ କରିବାର ଅଧିକାର ଅଛି। ସାମାଜିକ ପ୍ରତିଷ୍ଠା ଥିବା ଜଣେ ବ୍ୟକ୍ତି ମଧ୍ୟ ଯୌନ ଶୋଷଣ କରିପାରନ୍ତି।

କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ପୀଡିତା ବର୍ଷ ବର୍ଷ ଧରି ଜାଣି ନ ଥିଲେ ତାଙ୍କ ସହ କ’ଣ ଘଟୁଛି। ମହିଳାଙ୍କର ଯେକୌଣସି ସମୟରେ ଏବଂ ଯେକୌଣସି ସ୍ଥାନରେ ଅପରାଧ ବିଷୟରେ କହିବାର ଅଧିକାର ଅଛି। ଦଶନ୍ଧି ପରେ ମଧ୍ୟ ଜଣେ ମହିଳା ତାଙ୍କ ସହ ହୋଇଥିବା ଅପରାଧ ବିରୋଧରେ ସ୍ୱର ଉତ୍ତୋଳନ କରିପାରିବେ। ଯୌନ ଶୋଷଣ  ବିରୋଧରେ ସ୍ୱର ଉତ୍ତୋଳନ କରିଥିବାରୁ ଜଣେ ମହିଳାଙ୍କୁ ଦଣ୍ଡ ଦିଆଯାଇପାରିବ ନାହିଁ।

indiatoday

କୋର୍ଟଙ୍କ ନିଷ୍ପତ୍ତି ପରେ ପ୍ରିୟା ରମାନୀଙ୍କ ପ୍ରଥମ ପ୍ରତିକ୍ରିୟା ମଧ୍ୟ ଆସିଛି। ଏଥିପାଇଁ ସେ ତାଙ୍କ ଓକିଲ ଏବଂ ତାଙ୍କ ଟିମକୁ ଧନ୍ୟବାଦ ଜଣାଇଛନ୍ତି। ଗତ ସପ୍ତାହରେ ଆକବରଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନୀ ମାମଲାରେ ଉଭୟ ପକ୍ଷର ବିତର୍କ ଶେଷ ହୋଇଥିଲା ଏବଂ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ରାଉଜ ଆଭେନ୍ୟୁ କୋର୍ଟରେ ବିତର୍କ ସମୟରେ ଏମଜେ ଆକବରଙ୍କ ଓକିଲ ଗୀତା ଲୁଥ୍ରା ଯୁକ୍ତି କରିଥିଲେ ଯେ ଏହି ମାମଲା ଯୌନ ଉତ୍ପୀଡ଼ନ ନୁହେଁ ବରଂ ତାଙ୍କ ପ୍ରତିଷ୍ଠା ସହ ଜଡ଼ିତ।

ଏଥି ସହିତ ପ୍ରିୟା ରମାନୀ ତାଙ୍କ ଓକିଲ ରବେକା ଜନଙ୍କ ମାଧ୍ୟମରେ କୋର୍ଟଙ୍କୁ କହିଥିଲେ ଯେ, ଯୌନ ଉତ୍ପୀଡ଼ନ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି କିପରି ଉଚ୍ଚ ଖ୍ୟାତି ଅର୍ଜନ କରିପାରିବ। କେବଳ ବହି ଲେଖିବା ଦ୍ୱାରା କେହି ପ୍ରତିଷ୍ଠିତ ହୋଇପାରିବ ନାହିଁ।

ଉଲ୍ଲେଖଯୋଗ୍ୟ, #ମିଠୁ ଅଭିଯାନ ମାଧ୍ୟମରେ ରମାନୀଙ୍କ ଭଳି ଅନେକ ପୂର୍ବତନ ବୈୖଦେଶିକ ବ୍ୟାପାର ମନ୍ତ୍ରୀ ଏମ.ଜେ ଆକବରଙ୍କ ଉପରେ ଯୌନ ଶୋଷଣର ଆରୋପ ଲଗାଇଥିଲେ। ପ୍ରାୟ ୨୦ଜଣ ମହିଳା ସାମ୍ବାଦିକ ଅଦଦାଚରଣର ଅଭିଯୋଗ କରିଥିଲେ। ଏହି କାରଣରୁ ଆକବରଙ୍କୁ ତାଙ୍କ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା। ଏହା ପରେ ଏମ.ଜେ ଆକବର ପ୍ରଥମେ ଯୌନ ଶୋଷଣର ଅଭିଯୋଗ ଆଣିଥିବା ସାମ୍ବାଦିକା ପ୍ରିୟା ରମାନୀଙ୍କ ବିରୋଧରେ ଅକ୍ଟୋବର ୧୫, ୨୦୧୮ରେ ମାନହାନି ମକଦ୍ଦମା ଦାୟର କରିଥିଲେ।

ସମ୍ବନ୍ଧିତ ଖବର