ପ୍ରଧାନ ବିଚାରପତିଙ୍କ ଜରୁରୀ ବୈଠକ, ସୁପ୍ରିମକୋର୍ଟର ୬ ବିଚାରପତିଙ୍କୁ ସ୍ବାଇନ୍‌ ଫ୍ଲୁ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ୬ ଜଣ ବିଚାରପତି ଏବେ ସ୍ବାଇନ୍‌ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି। ସ୍ବାଇନ୍‌ ଫ୍ଲୁ ଆକ୍ରାନ୍ତ ହୋଇଥିବା ୬ ବିଚ‌ାରପତି କୋର୍ଟକୁ ଆସିପାରୁ ନଥିବାରୁ ବିଭିନ୍ନ ମାମଲାରେ ଶୁଣାଣି ଅଟକି ରହିଛି। ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ ଆଜି କୋର୍ଟ କାର୍ଯ୍ୟ ଚାଲିଥିବା ବେଳେ ୬ ବିଚାରପତି ଭାଇରସ୍‌ ଆକ୍ରାନ୍ତ ଥିବା ସ୍ପଷ୍ଟ କରିଛନ୍ତି। ‌ବିଚାରପତିମାନେ ଭାଇରସ୍‌ ଆକ୍ରାନ୍ତ ହୋଇଥିବାରୁ ଏ ବାବଦ ସ୍ଥିତିର ମୁକାବିଲା ନେଇ ଆଜି ସୁପ୍ରିମକୋର୍ଟର ସମସ୍ତ ବିଚାରପତି ପ୍ରଧାନ ବିଚାରପତି ଏସ୍‌ ଏ ବୋବଡେଙ୍କ ସହ ଏକ ବୈଠକ କରିଛନ୍ତି। ସମସ୍ତ ଆଇନଜୀବୀ ଏବଂ ବାର୍‌ ଆସୋ‌ସିଏସନ୍‌ ମୁଖ୍ୟ ଭାଇରସ୍‌ ରୋକିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନ ବିଚାରପତି କହିଛନ୍ତି। ରିପୋର୍ଟ ଅନୁଯାୟୀ ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍‌ ମୁଖ୍ୟ ଦୁଶ୍ୟନ୍ତ ଡାଭେ ଏହି ବୈଠକରେ ଉପସ୍ଥିତ ଥିଲେ। ସୁ୍ପ୍ରିମ୍‌ କୋର୍ଟ ପରିସରରେ ବିଚାରପତି ଏବଂ ଆଇନଜୀବୀମାନଙ୍କ ପାଇଁ ଟିକାକରଣ ଶିବିର ଆୟୋଜନ କରିବାକୁ ସରକାର ପ୍ରସ୍ତାବ ଦେଇଛନ୍ତି। ଅନ୍ୟ ପକ୍ଷରେ ସ୍ବାଇନ୍‌ ଫ୍ଲୁ ରୋକିବା ଉଦ୍ୟମକୁ ଫଳପ୍ରଦ କରିବା ପାଇଁ ସୁପ୍ରିମ୍‌ କୋର୍ଟ ବାର୍‌ ଆସୋସିଏସନ ପକ୍ଷରୁ ୧୦ ଲକ୍ଷ ଟଙ୍କା ସହାୟତା ଦେବାକୁ ମଧ୍ୟ ଡାଭେ ପ୍ରସ୍ତାବ ରଖିଛନ୍ତି। ଏ ବାବଦ ଗୋଟିଏ ଟିକାର ମୂଲ୍ୟ ପ୍ରାୟ ୧୨ ଶହ ଟଙ୍କା ହେବ ବୋଲି ଡାଭେ ବୈଠକରେ କହିଥିଲେ। ଦିନେ କିମ୍ବା ୨ ଦିନ ମଧ୍ୟରେ ଟିକାକରଣ ବ୍ୟବସ୍ଥା କରିବାପାଇଁ ଏକ ବିଜ୍ଞପ୍ତି ଖୁବ୍‌ ଶୀଘ୍ର ଜାରି ହେବ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଆସନ୍ତାକାଲିଠାରୁ ସ୍ବାଇନ୍‌ ଫ୍ଲୁ ମୁକାବିଲା ପାଇଁ ସୁପ୍ରିମ୍‌ କୋର୍ଟ ପରିସରରେ ସ୍ବତନ୍ତ୍ର ଚିକିତ୍ସା କେନ୍ଦ୍ର ଖୋଲିବ ବୋଲି ଜଣାପଡ଼ିଛି।

ନିକଟରେ ସୁପ୍ରିମ୍‌କୋର୍ଟ ଦ୍ବାରା ଅନୁଷ୍ଠିତ ଅନ୍ତର୍ଜାତୀୟ ନ୍ୟାୟିକ ସମ୍ମିଳନୀରେ ଯେଉଁ ବିଦେଶୀ ପ୍ରତିନିଧି ଦଳ ଅଂଶଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରୁ କେତେଜଣ ଏଚ୍‌୧ଏନ୍‌୧ ଭାଇରସ୍‌ ଆକ୍ରାନ୍ତ ହୋଇଥିଲେ। ସେଠାରୁ ବିଚାରପତିମାନେ ଭାଇରସ୍‌ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ବିଚାରପତି ସଂଜୀବ ଖାନ୍ନା ଆଜି କୋର୍ଟକୁ ମାସ୍କ ପିନ୍ଧି ଆସିଥିବା ଦେଖିବାକୁ ମିଳିଥିଲା। ଦେଶର ଅନ୍ୟ କେତେକ ଅଂଚଳରେ ମଧ୍ୟ ଏବେ ସ୍ବାଇନ୍‌ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମିରଟ୍‌ରେ ୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବେଙ୍ଗାଲୁରୁରେ ମଧ୍ୟ କେତେକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଗୁରୁଗ୍ରାମରେ ମଧ୍ୟ କେତେକ କମ୍ପାନିର କର୍ମଚାରୀ ସ୍ବାଇନ୍‌ ଫ୍ଲୁ ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ସେସବୁ କମ୍ପାନିକୁ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି। ଏଚ୍‌୧ଏନ୍‌୧ ଭାଇରସ୍‌ ଅନେକ କ୍ଷେତ୍ରରେ ଯୁବ ଗୋଷ୍ଠୀଙ୍କ ପାଇଁ ମାାରାତ୍ମକ ସାବ୍ୟସ୍ତ ହେଉଥିବାରୁ ଏ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସତର୍କ କରାଇ ଦେଇଛି।

ସମ୍ବନ୍ଧିତ ଖବର