ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ବର୍ତ୍ତମାନ ଜାରି ରହିଥିବା ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଶୁଣାଣି ଆଗକୁ ଜାରି ରହିବ। ଗତକାଲି ସଂଧ୍ୟାରେ ୪୦ ପୃଷ୍ଠାର ଆଦେଶରେ ସୁପ୍ରିମକୋର୍ଟ କହିଛନ୍ତି ଖୋଲା କୋର୍ଟରେ ଶୁଣାଣି ନାଗରିକଙ୍କର ପୂର୍ଣ୍ଣ ଅଧିକାର ନାହିଁ। କରୋନା ଭୂତାଣୁ ପ୍ରକୋପକୁ ନିୟନ୍ତ୍ରଣ ଲାଗି ସର୍ବୋଚ୍ଚ ନ୍ୟାୟାଳୟ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆଗକୁ ଶୁଣାଣି ଜାରି ରଖିବେ। ସୂଚନାଯୋଗ୍ୟ, ବାରକାଉନ୍‌ସିଲ ଅଫ୍‌ ଇଣ୍ଡିଆ ଓ ଅନ୍ୟାନ୍ୟବାର ସଂଗଠନମାନଙ୍କ ଦ୍ବାରା ସର୍ବୋଚ୍ଚ ନ୍ୟାୟାଳୟକୁ ସାମାଜିକ ଦୂରତାକୁ ପାଳନ କରାଯିବା ସହିତ ନିୟମିତ ଖୋଲା କୋର୍ଟ ବ୍ୟବସ୍ଥା ପାଇଁ ନିବେଦନ କରାଯାଇଥିଲା। ଏହି ଦାବିକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରି ଦେଇଥିଲେ। କୋର୍ଟ ଆଦେଶରେ ପୁଣି କହିଥିଲେ ଲକ୍‌ଡାଉନ୍‌ କାରଣରୁ ୧୮ଟି ଦେଶରେ ନ୍ୟାୟାଳୟଗୁଡ଼ିକ ବନ୍ଦ ରହିଛି ତଥା କିଛି ଜରୁରୀ ମାମଲାଗୁଡ଼ିକର ଶୁଣାଣି ହେଉଛି। ଉଲ୍ଲେଖଯୋଗ୍ୟ, ଲକ୍‌ଡାଉନ୍‌ ଯୋଗୁଁ ସୁପ୍ରିମକୋର୍ଟ ବର୍ତ୍ତମାନ ସୁଦ୍ଧା ପାଖାପାଖି ୬୦୦ଟି ମାମଲାର ଭିଡିଓ କନ୍‌ଫରେନ୍ସିଂରେ ଶୁଣାଣି କରିଛନ୍ତି।