ନୂଆଦିଲ୍ଲୀ: ୩୦ ବର୍ଷ ପୂର୍ବେ ପତ୍ନୀଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ଅଭିଯୋଗରେ ଗିରଫ ଜଣେ ବ୍ୟକ୍ତିଙ୍କୁ ଦୋଷମୁକ୍ତ କରିବା ବେଳେ ସୁପ୍ରିମ୍କୋର୍ଟ ଦୁଃଖ ପ୍ରକାଶ କରି କହିଛନ୍ତି ଯେ ଅପରାଧିକ ନ୍ୟାୟ ବ୍ୟବସ୍ଥା ନିଜେ ଦଣ୍ଡ ଭାବେ କାର୍ଯ୍ୟ କରିପାରେ। ବିଚାରପତି ଜେବି ପାର୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ବ୍ୟକ୍ତିଙ୍କୁ ଦୋଷମୁକ୍ତ କରି କହିଛନ୍ତି, ଆବେଦନକାରୀ ବିନା ପ୍ରମାଣରେ ୧୯୯୩ରୁ ୨୦୨୪ ପର୍ଯ୍ୟନ୍ତ ଅର୍ଥାତ୍ ପ୍ରାୟ ୩୦ ବର୍ଷ କଷ୍ଟ ଭୋଗ କରିଛନ୍ତି। ଏହାକୁ କୌଣସି ପ୍ରମାଣ ନ ଥିବା ମାମଲା ବୋଲି ଦର୍ଶାଇ ଖଣ୍ଡପୀଠ କହିଛନ୍ତି, ଆମର ଅପରାଧିକ ନ୍ୟାୟ ବ୍ୟବସ୍ଥା ନିଜେ ଏକ ଦଣ୍ଡ ହୋଇପାରେ। ଏହି ମାମଲାରେ ଠିକ୍ ସେମିତି ଘଟିଛି। ଆଇପିସିର ଧାରା ୩୦୬ (ଆତ୍ମହତ୍ୟା ପାଇଁ ପ୍ରୋତ୍ସାହନ) ଅନୁଯାୟୀ ଦଣ୍ଡିତ ଆବେଦନକାରୀଙ୍କୁ ନିର୍ଦ୍ଦୋଷ ବୋଲି ପ୍ରମାଣ କରିବା ପାଇଁ ଏହି ଅଦାଲତଙ୍କୁ ୧୦ ମିନିଟରୁ ଅଧିକ ସମୟ ଲାଗି ନ ଥିଲା। ଡିସେମ୍ବର ୨୦୦୮ରୁ ଏହି ମାମଲା ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରାଧୀନ ରହିଥିଲା। ଏହା ଶେଷ ଥର ପାଇଁ ଜୁଲାଇ ୨୦୧୪ରେ ତାଲିକାଭୁକ୍ତ ହୋଇଥିଲା। ଏବେ ୫୦ ବର୍ଷ ବୟସ୍କ ଏହି ବ୍ୟକ୍ତି ୨୦୦୯ ମେ ମାସରୁ ଜାମିନରେ ଅଛନ୍ତି।
ବିବାହର ୭ ବର୍ଷ ମଧ୍ୟରେ ଜଣେ ମହିଳା ଆତ୍ମହତ୍ୟା କରିଥିବା ସମସ୍ତ ମାମଲାରେ ସ୍ୱାମୀ ଓ ତାଙ୍କ ସମ୍ପର୍କୀୟଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ରାୟରେ ସତର୍କ କରାଯାଇଛି। ୨୦୦୮ରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ତାଙ୍କ ପତ୍ନୀଙ୍କୁ ୧୯୯୩ ମସିହାରେ ଏହି ଚରମ ପଦକ୍ଷେପ ନେବାକୁ ବାଧ୍ୟ କରିଥିବା ଅଭିଯୋଗରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଥିଲେ। ସ୍ୱାମୀ ଓ ତାଙ୍କ ସମ୍ପର୍କୀୟଙ୍କ ବାରମ୍ବାର ଟଙ୍କା ଦାବି ଯୋଗୁଁ ମହିଳା ଜଣକ ନଭେମ୍ବର ୧୯୯୩ରେ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଅଭିଯୁକ୍ତ କିମ୍ବା ତାଙ୍କ ପରିବାର ମହିଳାଙ୍କୁ ଶାରୀରିକ କିମ୍ବା ମାନସିକ ନିର୍ଯାତନା ଦେଇଥିବା କୌଣସି ପ୍ରମାଣ ନ ଥିଲା। ଆଉ କିଛି ନ କରି ବ୍ୟବସାୟ ଚଳାଇବା ପାଇଁ କେବଳ ପତ୍ନୀ କିମ୍ବା ତାଙ୍କ ପିତାମାତାଙ୍କଠାରୁ ଟଙ୍କା ମାଗିବା ନିଷ୍ଠୁରତା କିମ୍ବା ନିର୍ଯାତନା ହେବ ନାହିଁ ବୋଲି କୋର୍ଟ କହିଥିଲେ।