ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଛାଡପତ୍ର ପ୍ରକ୍ରିୟା ଦେଇ ଯାଉଥିବା ଦମ୍ପତିଙ୍କୁ ଦେଇଥିବା ହୃଦୟସ୍ପର୍ଶୀ ପରାମର୍ଶ ଚର୍ଚ୍ଚାରେ ରହିଛି।
କୋର୍ଟ ଛାଡପତ୍ର ପାଇଁ ଆବେଦନ କରିଥିବା ଦମ୍ପତିଙ୍କୁ ପରାମର୍ଶ ଦେଇ କହିଛନ୍ତି, ‘କୋର୍ଟରୁମ ବାହାରେ ଏକ ଶାନ୍ତ ପରିବେଶରେ ମନାନ୍ତର ମତାନ୍ତର ବିଷୟରେ ଆଲୋଚନା କରି ମାମଲାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ। ଏକାଠି ରାତ୍ରୀ ଭୋଜନ କରିବାକୁ ଯାଆନ୍ତୁ। କାରଣ ଦମ୍ପତିମାନଙ୍କ ମତଭେଦ ସେମାନଙ୍କର ପିଲାଙ୍କ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ତେଣୁ ଏହାକୁ ଯଥାସମ୍ଭବ ଅତୁଟ ରଖିବା ପାଇଁ ଆମେ ସର୍ବଦା ଚେଷ୍ଟା କରିଥାଉ।
ଏହି ଛାଡ଼ପତ୍ର ମାମଲା ବିଚାରପତି ବିଭି ନାଗରତ୍ନା ଏବଂ ବିଚାରପତି ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠରେ ଥିଲା।
ସୂଚନାଯୋଗ୍ୟ, ଜଣେ ଫ୍ୟାସନ୍ ଉଦ୍ୟୋଗୀ ମହିଳା ତାଙ୍କ ତିନି ବର୍ଷର ପୁଅକୁ ବିଦେଶ ଯାତ୍ରାରେ ନେବା ପାଇଁ କୋର୍ଟଙ୍କୁ ଅନୁମତି ମାଗିଥିଲେ। କାରଣ ତାଙ୍କର ଛାଡପତ୍ର ମାମଲା ପୂର୍ବରୁ କୋର୍ଟରେ ଚାଲିଛି। ସ୍ବାମୀ ଓ ସ୍ତ୍ରୀ ଦୁହେଁ ସେମାନଙ୍କ ପୁଅର ହେପାଜତ ପାଇଁ ଆଇନଗତ ଲଢ଼େଇ ମଧ୍ୟ ଲଢ଼ୁଛନ୍ତି।
ଖଣ୍ଡପୀଠ ଛାଡପତ୍ର ପ୍ରକ୍ରିୟା ଦେଇ ଯାଉଥିବା ଉକ୍ତ ଦମ୍ପତିଙ୍କୁ ପରାମର୍ଶ ଦେଇ କହିଥିଲେ, 'ତୁମର ଏକ ତିନି ବର୍ଷର ପିଲା ଅଛି। ଉଭୟ ପକ୍ଷ ମଧ୍ୟରେ ଅହଂକାର କ’ଣ ଆବଶ୍ୟକ ରହିଛି? ଆମର କ୍ୟାଣ୍ଟିନ୍ ଏଥିପାଇଁ ଯଥେଷ୍ଟ ନ ହୋଇପାରେ, କିନ୍ତୁ ଆମେ ଆପଣଙ୍କୁ ଆଉ ଏକ ଡ୍ରଇଂ ରୁମ୍ ଯୋଗାଇ ଦେବୁ। ଆଜି ରାତିରେ ସେଠାରେ ରାତ୍ରୀ ଭୋଜନ ପାଇଁ ଭେଟ ହୁଅନ୍ତୁ।
ସେଠାରେ ଅନେକ ବିଷୟରେ ଆଲୋଚନା କରାଯାଇ ସମସ୍ୟାର ସମାଧାନ କରାଯାଇ ପାରିବ। କାରଣ ଆମେ ଏମିତି ଅନେକ ଘଟଣା ଦେଖିଛୁ ଯାହାକି ଶାନ୍ତ ପରିବେଶରେ ଉଭୟପକ୍ଷ କିଛି ସମୟ ବସି ଆଲୋଚନା କରିବା ଦ୍ବାରା ବଡ଼ବଡ଼ ସମସ୍ୟାର ବି ସାମାଧାନ ହୋଇଯାଇଥାଏ। ’