ନୂଆଦିଲ୍ଲୀ: ଗୃହରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବିତ ହୋଇଥିବା ଆପ୍ ସାଂସଦ ରାଘବ ଚଢ଼ାଙ୍କୁ ସୁପ୍ରିମକୋର୍ଟ ଆଜି ଏକ ପରାମର୍ଶ ଦେଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଭେଟିବା ସହିତ ତାଙ୍କ ଆଚରଣ ପାଇଁ କ୍ଷମା ପାର୍ଥନା କରିବାକୁ କହିଛନ୍ତି। ଆପ୍ ସାଂସଦ ଚଢ଼ାଙ୍କୁ ରାଜ୍ୟସଭାରୁ ଗତ ଅଗଷ୍ଟ ୧୧ ତାରିଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନିଲମ୍ବନ କରାଯାଇଛି। କେନ୍ଦ୍ର ସରକାର ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀ (ସଂଶୋଧନ) ବିଲ୍ ୨୦୨୩କୁ ଯାଞ୍ଚ କରିବା ପାଇଁ ଏକ ପ୍ରସ୍ତାବିତ ସିଲେକ୍ଟ କମିଟିର ସଦସ୍ୟଭାବେ ସେ ଯେଉଁ କେତେଜଣ ସାଂସଦଙ୍କ ନାମ ଦେଇଥିଲେ ସେମାନଙ୍କର ଅନୁମତି ପୂର୍ବରୁ ନେଇ ନଥିଲେ। ଏଥିପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା।
ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଚଢ଼ା ସାମାଜିକ ଗଣମାଧ୍ୟମରେ କହିଛନ୍ତି, ମୁଁ ବ୍ୟକ୍ତିଗତ ଭାବେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟିବା ଲାଗି ଉଦ୍ୟମ କରିଛି। ତାଙ୍କୁ ଶୀଘ୍ର ଭେଟିବା ଲାଗି ସମୟ ମାଗିଛି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି, ଧନଖଡ଼ ଚଢ଼ାଙ୍କ କ୍ଷମା ପ୍ରାର୍ଥନାକୁ ସହାନୁଭୂତି ସହିତ ବିଚାର କରିବା ଉଚିତ। ଏଥିସହିତ ଏହାର ସମାଧାନର ବାଟ ବାହାର କରିବା ଆବଶ୍ୟକ। ଏଥିସହିତ ପ୍ରଧାନ ବିଚାରପତି କହିଥିଲେ ଚଢ଼ା ପ୍ରଥମ ଥର ପାଇଁ ସାଂସଦ ହୋଇଛନ୍ତି ଏବଂ ସେ ମଧ୍ୟ ସର୍ବକନିଷ୍ଠ ସଦସ୍ୟ। ଅନ୍ୟପକ୍ଷରେ ଆଟର୍ଣ୍ଣି ଜେନେରାଲ ଆର୍ ଭେଙ୍କଟରମଣି କହିଥିଲେ, ସଂସଦର ସ୍ବାଧୀକାର କମିଟିର ବୈଠକ ହେବାର ଅଛି ଏବଂ ଏ ନେଇ କିଛି ଖବର ଆସିପାରେ। ସୁପ୍ରିମକୋର୍ଟ ଉକ୍ତ ମାମଲାର ବିଚାର ଦୀପାବଳି ପରେ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯଦି କିଛି ଅଗ୍ରଗତି ହୁଏ ତାହେଲେ ଅଦାଲତଙ୍କୁ ଜଣାଇବା ପାଇଁ ଆଟର୍ଣ୍ଣି ଜେନେରାଲଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।