ନୂଆଦିଲ୍ଲୀ :ଦକ୍ଷିଣ ଆଫ୍ରିକା ଏବଂ ନାମିବ୍ୟାରୁ ଅଣାଯାଇ ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛଡ଼ା ଯାଇଥିବା ୨୦ ଟି ଚିତା ବାଘ ମଧ୍ୟରୁ ୩ଟିର ମୃତ୍ୟୁ ୨ ମାସରୁ କମ୍ ସମୟ ବ୍ୟବଧାନରେ ହୋଇଥିବାରୁ ସୁପ୍ରିମକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି। ରାଜନୀତିରୁ ଊର୍ଦ୍ଧ୍ବକୁ ଉଠି ଚିତାଙ୍କୁ ରାଜସ୍ଥାନ ସ୍ଥାନାନ୍ତର କରିବା ଲାଗି ବିଚାର କରିବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି।
ବିଶେଷଜ୍ଞମାନଙ୍କ ରିପୋର୍ଟରୁ ଯାହା ଜଣାପଡ଼ୁଛି କୁନୋ ଜାତୀୟ ଉଦ୍ୟାନରେ ଏତେ ସଂଖ୍ୟକ ଚିତାଙ୍କ ରହିବା ପାଇଁ ଆବଶ୍ୟକ ସ୍ଥାନ ନାହିଁ। ତେଣୁ ଅନ୍ୟ ଅଭୟାରଣ୍ୟକୁ ସେମାନଙ୍କୁ ସ୍ଥାନାନ୍ତର କରିବା ଲାଗି ସରକାର ବିଚାର କରିବା ଆବଶ୍ୟକ ବୋଲି ବିଚାରପତି ବିଆର୍ ଗଭାଇ ଏବଂ ସଂଜୟ କରୋଲଙ୍କୁ ନେଇ ଗଠିତ ଖଣ୍ଡପୀଠ ମତ ଦେଇଛନ୍ତି। ଗୋଟିଏ ସ୍ଥାନରେ ଏତେଗୁଡ଼ିଏ ଚିତା କାହିଁକି ରଖାଯାଇଛି ଏବଂ ରାଜସ୍ଥାନ ଭଳି ଉପଯୁକ୍ତ ସ୍ଥାନକୁ ନେବାଲାଗି କାହିଁକି ବିଚାର କରାଯାଉ ନାହିଁ ବୋଲି ମଧ୍ୟ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ରାଜସ୍ଥାନରେ ବିରୋଧୀ ଦଳଙ୍କ ଶାସନ ଚାଲିଥିବାରୁ ସେଠାକୁ ଚିତା ସ୍ଥାନାନ୍ତର ଯଦି ହେଉନାହିଁ ତା’ହେଲେ ଏହା କଦାପି ଗ୍ରହଣୀ ହେବନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।
କେନ୍ଦ୍ର ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ବର୍ଯ୍ୟ ଭଟ୍ଟି କହିଥିଲେ କେନ୍ଦ୍ର ସରକାର ଚିତାଙ୍କ ମୃତ୍ୟୁ ନେଇ ଅବଗତ ଅଛନ୍ତି। ଅନ୍ୟ ଅଭୟାରଣ୍ୟକୁ ସ୍ଥାନାନ୍ତର ସହିତ ଅନ୍ୟାନ୍ୟ ସମସ୍ତ ବିକଳ୍ପ ଦିଗକୁ ଅନୁଧ୍ୟାନ କରୁଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ମାର୍ଚ୍ଚ ୨୭ରେ ନାମିବ୍ୟାରୁ ଆସିଥିବା ଶାଶା, ଏପ୍ରିଲ ୨୩ରେ ନାମିବ୍ୟାରୁ ଆସିଥିବା ଉଦୟ ଏବଂ ମେ’ ୯ ତାରିଖରେ ଦକ୍ଷିଣ ଆଫ୍ରିକାରୁ ଆସିଥିବା ଚିତା ଦାକ୍ଷାର ମୃତ୍ୟୁ ହୋଇଥିଲା।