ସାବରିମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ନେଇ ମାମଲା : ଜାନୁୟାରି ୨୨ରେ ରିଭ୍ୟୁ ପିଟିସନଗୁଡ଼ିକର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଆସନ୍ତା ଜାନୁୟାରି ୨୨ରେ ସାବରିମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ନେଇ ଦାୟର ହୋଇଥିବା  ମାମଲାର ପୁନର୍ବିଚାର ଆବେଦନଗୁଡ଼ିକର ଶୁଣାଣି ଖୋଲା ଅଦାଲତରେ ହେବ । ଏଥିପାଇଁ ଆଜି ସୁପ୍ରିମକୋର୍ଟ ରାଜି ହୋଇଛନ୍ତି । ଖୋଲା ଅଦାଲତର ଅର୍ଥ ହେଉଛି କୋର୍ଟରେ ଏହି ମାମଲାର ଶୁଣାଣି ବେଳେ ସାଧାରଣ ଲୋକେ ଉପସ୍ଥିତ ରହି ଦେଖିପାରିବେ ବା ଶୁଣିପାରିବେ । କିନ୍ତୁ ପ୍ରଧାନବିଚାରପତି ଜଷ୍ଟିସ ରଂଜନ ଗୋଗୋଇ, ଜଷ୍ଟିସ ରୋହିନଟନ ନାରିମାନ, ଏଏମ ଖାନଓ୍ଵିଲକର, ଇନ୍ଦୁ ମାଲହୋତ୍ରା ଓ ଡିଓ୍ଵାଇ ଚନ୍ଦ୍ରଚୂଡଙ୍କୁ ନେଇ ଖଣ୍ଡପୀଠ ନିଜ ପୂର୍ବ ରାୟ ଉପରେ ସ୍ଥଗିତାଦେଶ ଲଗାଇବାକୁ ମନା କରିଦେଇଛନ୍ତି।

କେରଳର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ସାବରିମାଲାରେ ସବୁ ବୟସର ମହିଳା ପ୍ରବେଶ କରିପାରିବେ ବୋଲି ଗତ ସେପ୍ଟେମ୍ବର ୨୮ରେ ସୁପ୍ରିମକୋର୍ଟ ରାୟ ଶୁଣାଇଥିଲେ । ପୂର୍ବରୁ କେବଳ ୧୦ରୁ ୫୦ ବର୍ଷ ବୟସର ମହିଳାଙ୍କ ପାଇଁ ଏହି ଭଗବାନ ଆୟାପ୍ପାଙ୍କ ମନ୍ଦିରକୁ ଯିବା ନିଷିଦ୍ଧ ଥିଲା, କିନ୍ତୁ ସୁପ୍ରିମକୋର୍ଟ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ସବୁ ବୟସର ମହିଳାଙ୍କ ପ୍ରବେଶ ଅନୁମତି ଦେଇଥିଲେ । ତେବେ ଏହି ରାୟକୁ କେରଳରେ ପ୍ରବଳ ବିରୋଧ କରାଯାଉଛି । ଏହି ରାୟର ପୁନର୍ବିଚାର ପାଇଁ ୪୯ଟି ଆବେଦନ କରାଯାଇଛି ।

ସମ୍ବନ୍ଧିତ ଖବର