ସାଂସଦ ଓ ବିଧାୟକଙ୍କ ନାମରେ ଅପରାଧିକ ମାମଲାର ଶୁଣାଣି ପାଇଁ ସୁପ୍ରିମ୍‌କୋର୍ଟ ରାଜି

ନୂଆଦିଲ୍ଲୀ : ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ଆପରାଧିକ ମାମଲାର ତ୍ବରିତ ବିଚାର ନିମନ୍ତେ କରାଯାଇଥିବା ଆବେଦନର ଶୁଣାଣି ପାଇଁ ସୁପ୍ରିମ୍‌କୋର୍ଟ ରାଜି ହୋଇଛନ୍ତି। ଆବେଦନରେ ଦାବି କରାଯାଇଛି ଯେ, ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ରହିଥିବା ମାମଲାଗୁଡିକର ସିବିଆଇ ଓ ଅନ୍ୟ ଏଜେନ୍ସିମାନଙ୍କ ଦ୍ବାରା ଯାଞ୍ଚ କରାଯାଉ। ‌

କୋର୍ଟ ନିଯୁକ୍ତ ଆମିକସ କ୍ୟୁରି ବିଜୟ ହଂସାରିଆଙ୍କ ଦ୍ବାରା ବିଚାରାଧୀନ ମାମଲାଗୁଡିକର ତ୍ବରିତ ଶୁଣାଣି ପାଇଁ ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍‌.ଭି. ରମଣା, ଜଷ୍ଟିସ୍ ଏ.ଏସ. ବୋପାନ୍ନା ଓ ଜଷ୍ଟିସ୍ ହିମା କୋହଲୀଙ୍କ ଖଣ୍ଡପୀଠରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ହଂସାରିଆ କହିଥିଲେ, ବର୍ତ୍ତମାନର ତଥା ପୂର୍ବତନ ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ବିଚାରାଧୀନ ମ‌ାମଲାର ସଦ୍ୟତମ ରିପୋର୍ଟ ନିକଟରେ ଉପସ୍ଥାପନ କରାଯାଇଛି। ଏମିତିରେ ତ୍ବରିତରୂପେ ବିଚାରର ଆବଶ୍ୟକତା ରହିଛି ଯାହାଦ୍ବାରା ଦୀର୍ଘଦିନରୁ ପଡ଼ି ରହିଥିବା ମାମଲାଗୁଡିକର ଅନ୍ତ ଘଟିବ।

ଉଲ୍ଲେଖଯୋଗ୍ୟ, ଚଳିତମାସ ୪ ତାରିଖରେ ଆମିକସ୍ କ୍ୟୁରି ବିଜୟ ହଂସାରିଆଙ୍କ ଦ୍ବାରା ଯେଉଁ ରିପୋର୍ଟ ସୁପ୍ରିମ୍‌କୋର୍ଟରେ ଦାଖଲ କରାଯାଇଥିଲା ସେଥିରେ ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ଡିସେମ୍ବର ୧, ୨୦୨୧ ସୁଦ୍ଧା ମୋଟ ୪୯୮୪ ଆପରାଧିକ ମାମଲା ବିଚାରାଧୀନ ରହିଥିବାର ଦର୍ଶାଯାଇଥିଲା। ରିପୋର୍ଟରେ ଓଡ଼ିଶାର ସାଂସଦ ଓ ବିଧାୟକମାନଙ୍କ ନାମରେ ୩୬୦ଟି ମାମଲା ବିଚାରାଧୀନ ଥିବାର ଉଲ୍ଲେଖ କରାଯାଇଥିଲା।

ସମ୍ବନ୍ଧିତ ଖବର