ଚେନ୍ନାଇ: ସୁପ୍ରିମ୍କୋର୍ଟ ମଙ୍ଗଳବାର ତାମିଲନାଡ଼ୁରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ରୢାଲିକୁ ଅନୁମତି ଦେବା ସହ ଏମ୍କେ ଷ୍ଟାଲିନଙ୍କ ନେତୃତ୍ବାଧୀନ ଡିଏମ୍କେ ସରକାରଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଏହା ପୂର୍ବରୁ ମାଡ୍ରାସ୍ ହାଇକୋର୍ଟ ଆର୍ଏସ୍ଏସ୍କୁ ରୢାଲି ପାଇଁ ଅନୁମତି ଦେଇଥିବାରୁ ଏହା ବିରୋଧରେ ଡିଏମ୍କେ ସରକାର ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆର୍ଏସ୍ଏସ୍ର ଶୋଭାଯାତ୍ରା ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବ କହି ତାମିଲନାଡ଼ୁ ସରକାର ଏହାକୁ ଅନୁମତି ଦେଇ ନ ଥିଲେ। ହାଇକୋର୍ଟ ଆର୍ଏସ୍ଏସ୍ ସପକ୍ଷରେ ରାୟ ଦେବା ପରେ ସେମାନେ ସୁପ୍ରିମ୍କୋର୍ଟରେ ଆବେଦନ କରିଥିଲେ।
ଆର୍ଏସ୍ଏସ୍ ତରଫରୁ ବରିଷ୍ଠ ଆଇନଜୀବୀ ମହେଶ ଜେଠମାଲାନି କହିଥିଲେ ଯେ ପୂର୍ବରୁ ଏପରି କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଭାବେ ସମାହିତ ହୋଇଥିବା ବେଳେ ଏବେ ଆଇନଶୃଙ୍ଖଳା ଆଳ ଦେଖାଇ ଶୋଭାଯାତ୍ରାକୁ ନିଷିଦ୍ଧ କରାଗଲେ ତାହାଦ୍ବାରା ସେମାନଙ୍କର ମୌଳିକ ଅଧିକାର ଖଣ୍ଡିତ ହେବ। ଏହାପରେ ତାମିଲନାଡ଼ୁ ସରକାର କହିଥିଲେ, ସେମାନେ ଶୋଭାଯାତ୍ରାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବାକୁ ଚାହୁନାହାନ୍ତି, କେବଳ ସମ୍ବେଦନଶୀଳ ଅଞ୍ଚଳରେ ବନ୍ଦ କରିବାକୁ ଚାହୁଛନ୍ତି। ସୁପ୍ରିମ୍କୋର୍ଟ ତାମିଲନାଡ଼ୁ ସରକାରଙ୍କ ଯୁକ୍ତିକୁ ଗ୍ରହଣ କରି ନ ଥିଲେ।