ନୂଆଦିଲ୍ଲୀ: ଦୀପାବଳି (ଅକ୍ଟୋବର ୨୧) ଅବସରରେ ଦିଲ୍ଲୀ-ଏନ୍‌ସିଆର୍‌ରେ ସୀମିତ ସମୟ ସୀମା ମଧ୍ୟରେ ସବୁଜ ବାଣ ଫୁଟାଇବା ପାଇଁ ବୁଧବାର ସୁପ୍ରିମ୍‌କୋର୍ଟ ଅନୁମତି ଦେଇଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, କେବଳ ସକାଳ ୬ଟାରୁ ୭ଟା ପର୍ଯ୍ୟନ୍ତ ଏବଂ ପରେ ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣକୁ ଅନୁମତି ମିଳିବ। ଅକ୍ଟୋବର ୧୮ରୁ ୨୧ ପର୍ଯ୍ୟନ୍ତ ବାଣ ବିକ୍ରି କରିବା ପାଇଁ କୋର୍ଟ ଅନୁମତି ଦେଇଛନ୍ତି। ଦିଲ୍ଲୀ-ଏନ୍‌ସିଆର୍‌କୁ ବାହାରୁ ବାଣ ଚୋରା ଚାଲାଣ କରାଯାଏ ଯାହା ସବୁଜ ବାଣ ଅପେକ୍ଷା ଅଧିକ କ୍ଷତି ଘଟାଇଥାଏ ବୋଲି ପ୍ରଧାନ ବିଚାରପତି ବିଆର୍ ଗୱାଇ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଆମକୁ ଏକ ସନ୍ତୁଳିତ ଆଭିମୁଖ୍ୟ ଗ୍ରହଣ କରିବାକୁ ପଡିବ, ପରିବେଶ ସହିତ ସାଲିସ୍ ନ କରି ଏହାକୁ ମଧ୍ୟମ ଭାବରେ ଅନୁମତି ଦେବାକୁ ପଡିବ।

Advertisment

ପ୍ରଧାନ ବିଚାରପତି ଓ ଜଷ୍ଟିସ୍ କେ ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ନିର୍ଦ୍ଦିଷ୍ଟ ସ୍ଥାନରେ କେବଳ କ୍ୟୁଆର୍ କୋଡ୍ ଥିବା ପ୍ରମାଣିତ ସବୁଜ ବାଣ ବିକ୍ରୟ ଓ ଫାଟାଇବା ପାଇଁ ଅନୁମତି ଦିଆଯିବ। ଜିଲ୍ଲା ପ୍ରଶାସନ ସହ ପରାମର୍ଶ କରି ପୁଲିସ ଅଧିକାରୀମାନେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀଙ୍କ ସମେତ ପାଟ୍ରୋଲିଂ ଟିମ୍ ଗଠନ କରି ନିର୍ଦ୍ଦିଷ୍ଟ ବିକ୍ରୟ ପଏଣ୍ଟ ଉପରେ ନଜର ରଖିବେ। କେବଳ କ୍ୟୁଆର୍ କୋଡ୍ ଥିବା ସବୁଜ ବାଣ ବିକ୍ରି ହେଉଛି କି ନାହିଁ ନିଶ୍ଚିତ କରିବାକୁ ପାଟ୍ରୋଲିଂ ଦଳ ନିୟମିତ ଯାଞ୍ଚ କରିବେ। ଦିଲ୍ଲୀ-ଏନ୍‌ସିଆର୍ ବାହାରୁ କୌଣସି ବାଣ ଚୋରାରେ ଆଣି ବିକ୍ରି କରାଯାଇପାରିବ ନାହିଁ। ଆଦେଶ ଉଲ୍ଲଂଘନ ହେଲେ କେବଳ ଦାୟୀ ଲୋକଙ୍କୁ ଦଣ୍ଡ ଦିଆଯିବ ନାହିଁ, ବରଂ ସେମାନଙ୍କ ଲାଇସେନ୍ସ ଓ ପଞ୍ଜୀକରଣ ମଧ୍ୟ ରଦ୍ଦ କରାଯିବ। ଅନ୍ୟପକ୍ଷରେ ବିପଜ୍ଜନକ ପ୍ରଦୂଷକ ରାସାୟନିକ ବେରିୟମ୍ ଥିବା ବାଣ ଏବଂ ଜାତୀୟ ପରିବେଶ ଇଞ୍ଜିନିୟରିଂ ଗବେଷଣା ପ୍ରତିଷ୍ଠାନ (ଏନ୍‌ଇଇଆର୍‌ଆଇ) ଦ୍ୱାରା ସବୁଜ ବାଣ ଭାବରେ ଅନୁମୋଦିତ ହୋଇ ନ ଥିବା ବାଣକୁ ଅନୁମତି ଦିଆଯିବ ନାହିଁ। ଇ-କମର୍ସ ୱେବସାଇଟ୍ ମାଧ୍ୟମରେ ବାଣ ବିକ୍ରୟ ଓ କ୍ରୟ ଉପରେ ମଧ୍ୟ କୋର୍ଟ ପ୍ରତିବନ୍ଧକ ଲଗାଇଛନ୍ତି। ଅକ୍ଟୋବର ୧୪ରୁ ୨୫ ପର୍ଯ୍ୟନ୍ତ ବାୟୁ ଗୁଣବତ୍ତା ରିପୋର୍ଟ ଦାଖଲ କରିବାକୁ ସୁପ୍ରିମ୍‌କୋର୍ଟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି। ତିନି ସପ୍ତାହ ପରେ ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରାଯାଇଛି।