ମୁମ୍ବାଇ ଡ୍ୟାନ୍‌ସ୍‌ ବାର୍‌ ଖୋଲିବାକୁ ଅନୁମତି ଦେଲେ ସୁପ୍ରିମ୍‌ କୋର୍ଟ; ସିସିଟିଭି ଓ ଟଙ୍କାବୃଷ୍ଟି ନିଷେଧ

ନୂଆଦିଲ୍ଲୀ: କେତେକ କଟକଣା ସହ ମୁମ୍ବାଇରେ ପୁଣି ଡ୍ୟାନ୍‌ସ୍‌ ବାର୍‌ ଖୋଲିବାକୁ ଗୁରୁବାର ଦିନ ସୁପ୍ରିମ୍‌ କୋର୍ଟ ଅନୁମତି ଦେଇଛନ୍ତି।

ଶୀର୍ଷ ଅଦାଲତ କହିଛନ୍ତି ଯେ, ନର୍ତ୍ତକୀମାନଙ୍କୁ ବକ୍‌ସିସ୍‌ ଦେଇ ହେବ, କିନ୍ତୁ ଅତିଥିମାନେ ସେମାନଙ୍କ ଉପରେ ଟଙ୍କାବୃଷ୍ଟି କରିପାରିବେ ନାହିଁ। ଗୋପନୀୟତା ଉଲ୍ଲଂଘନର ସମ୍ଭାବନା ରହୁଥିବାରୁ ସିସିଟିଭି ସର୍ଭିଲେନ୍‌ସ୍‌ ଅନାବଶ୍ୟକ।

ନୃତ୍ୟାଙ୍ଗନା ଏବଂ ବାର୍‌ ମାଲିକଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହେବା ବାଧ୍ୟତାମୂଳକ। ଚୁକ୍ତି କି ଭଳି ହେବ ତାହା ଉଭୟ ସ୍ଥିର କରିବେ।
କିନ୍ତୁ, ନୃତ୍ୟ ପ୍ରଦର୍ଶନ ନିମନ୍ତେ ମାସିକ ବେତନର ଆବଶ୍ୟକତା ନାହିଁ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି।

ଜଷ୍ଟିସ୍‌ ଏକେ ସିକ୍‌ରି, ଅବ୍‌ଦୁଲ୍‌ ନାଜୀର ଏବଂ ଅଶୋକ ଭୂଷଣଙ୍କ ଖଣ୍ଡପୀଠ ମହାରାଷ୍ଟ୍ର ପ୍ରୋହିବିସନ୍‌ ଅଫ୍‌ ଅବ୍‌ସିନ୍‌ ଇନ୍‌ ହୋଟେଲ୍‌ସ୍‌, ରେସ୍ତୋରାଁ ଏବଂ ବାର୍‌ ରୁମ୍‌ସ୍‌ ଆଣ୍ଡ୍‌ ପ୍ରୋଟେକ୍‌ସନ୍‌ ଅଫ୍‌ ଡିଗ୍‌ନିଟି ଅଫ୍‌ ଉଇମେନ୍‌ ଆକ୍ଟ୍‌, ୨୦୧୬କୁ ଆଡ଼େଇ ଦେଇଛନ୍ତି। ଏହି ଆଇନ୍‌ ବଳରେ ଡିସ୍‌କୋଥେକ୍‌କୁ ଲାଇସେନ୍‌ସ୍‌ ମଞ୍ଜୁର କରିବା ନିଷିଦ୍ଧ। ସେଠାରେ ୨୦୦୫ ଠାରୁ କୌଣସି ଲାଇସେନ୍‌ସ୍‌ ଦିଆଯାଇ ନାହିଁ।

ହୋଟେଲ୍‌ ଓ ରେସ୍ତୋରାଁ ମାଲିକ, ନୃତ୍ୟାଙ୍ଗନା ଏବଂ ଅନ୍ୟମାନେ ପୃଥକ୍‌ ଭାବେ ଏହି ଆଇନ୍‌ ବିରୋଧରେ ପିଟିସନ୍‌ ଦାଏର୍‌ କରିଥିଲେ।
ଧାର୍ମିକ ସ୍ଥାପତ୍ୟ ଏକ କିଲୋମିଟର ପରିଧି ମଧ୍ୟରେ ଡ୍ୟାନ୍‌ସ୍‌ ବାର୍‌ଗୁଡ଼ିକୁ ଅନୁମତି ନ ଦେବା ଅକାରଣ।

କିନ୍ତୁ, ରାତି ୧୧: ୩୦ ସୁଦ୍ଧା ଏହି ବାର୍‌ଗୁଡ଼ିକ ବନ୍ଦ ହେବା ନିୟମକୁ ସୁପ୍ରିମ୍‌ କୋର୍ଟ ବଜାୟ ରଖିଛନ୍ତି।

ସମ୍ବନ୍ଧିତ ଖବର