ସୁପ୍ରିମ୍‌ କୋର୍ଟଙ୍କ ଐତିହାସିକ ରାୟ : ଇଚ୍ଛାମୃତ୍ୟୁକୁ ଅନୁମତି

ଚିକିତ୍ସା ଗ୍ରହଣ ପାଇଁ ମନା କରିପାରିବ ଦୁଃସାଧ୍ୟ ରୋଗୀ 

ଜଣେ ବ୍ୟକ୍ତିର ମର୍ଯ୍ୟାଦା ସହ ମରିବାର ଅଧିକାର ରହିଛି

ନୂଆଦିଲ୍ଲୀ : ଦୁଃସାଧ୍ୟ ରୋଗରେ ପୀଡ଼ିତ ଜଣେ ବ୍ୟକ୍ତି ଶାରୀରିକ ଯନ୍ତ୍ରଣାରୁ ରକ୍ଷା ପାଇବା ଲାଗି ଡାକ୍ତରୀ ଚିକିତ୍ସା ଗ୍ରହଣ କରିବାକୁ ମନା କରିପାରିବ। ବହୁପ୍ରତୀକ୍ଷିତ ଇଚ୍ଛାମୃତ୍ୟୁ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟ ଐତିହାସିକ ରାୟ ଶୁଣାଇ ଏହା ସ୍ପଷ୍ଟ କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ  ଜଣେ ବ୍ୟକ୍ତିର ସମ୍ମାନ ସହ ମରିବାର ଅଧିକାର ରହିଛି।

ଦୁଃସାଧ୍ୟ ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘ ଦିନ ଧରି ନିସ୍ତେଜ ଅବସ୍ଥାରେ ପଡ଼ି ରହିଥିବା ଏବଂ କୃତ୍ରିମ ଜୀବନ ସହାୟକ ପ୍ରଣାଳୀ ଲୋଡୁଥିବା ରୋଗୀର ବଞ୍ଚିବାର ଇଚ୍ଛା(ଲିଭିଂ ଓ୍ଵିଲ୍‌) ପାଇଁ ମଧ୍ୟ କୋର୍ଟ ନୀତିନିୟମ ନିର୍ଦ୍ଧାରଣ କରିଛନ୍ତି। ଇଚ୍ଛାମୃତ୍ୟୁ ଅନୁମତି କେଉଁ ପରିସ୍ଥିତିରେ ପ୍ରଦାନ କରାଯିବ ସେ ସମ୍ପର୍କରେ ଅଦାଲତ ସ୍ପଷ୍ଟ କରିଇଛନ୍ତି। କହିଛନ୍ତି ଯେ ସଂସଦରେ ନୂଆ ଆଇନ ପ୍ରଣୟନ ହେବା ପର୍ଯ୍ୟନ୍ତ ଅଦାଲତଙ୍କ ଦ୍ୱାରା ନିର୍ଦ୍ଧାରିତ ନୀତିନିୟମ ଲାଗୁ ରହିବ।

ଏଭଳି ରୋଗୀ ପାଇଁ ପରିବାର ସଭ୍ୟ ଇଚ୍ଛାମୃତ୍ୟୁ ପାଇଁ ହାଇକୋର୍ଟରେ ଆବେଦନ କରିପାରିବେ। ଏହାପରେ ହାଇକୋର୍ଟ ଏକ ମେଡିକାଲ ବୋର୍ଡ ଗଠନ କରି ରୋଗୀର ଚିକିତ୍ସା ରେକର୍ଡ ଯାଞ୍ଚ କରିବ। ଉକ୍ତ ରୋଗୀ ଲାଗି ପାସିଭ୍‌ ୟୁଥାନାସିଆ (ନିଷ୍କ୍ରିୟ ଇଚ୍ଛାମୃତ୍ୟୁ) ଆବଶ୍ୟକ କି ନୁହେଁ ତାହା ନିର୍ଧାରଣ କରିବ। ପାସିଭ୍‌ ୟୁଥାନାସିଆ ଅର୍ଥ ହେଉଛି ରୋଗୀକୁ ମିଳୁଥିବା ଚିକିତ୍ସା ସୁବିଧା ପ୍ରତ୍ୟାହାର କରିନିଆଯିବ।

ଉଲ୍ଲେଖଯୋଗ୍ୟ, ଯୌନ ନିର୍ଯାତନାର ଶିକାର ହୋଇ କୋମା ଅବସ୍ଥାରେ ଦୀର୍ଘ ୪୦ ବର୍ଷ ଧରି ମୃତ୍ୟୁ ସହ ସଂଘର୍ଷ କରିଥିବା ୬୬ ବର୍ଷୀୟା ସେବିକା ଅରୁଣା ସାନବାଗ୍‌ ୨୦୧୫ ମସିହାରେ ଆଖି ବୁଜିବା ପରେ ଇଚ୍ଛାମୃତ୍ୟୁ ବିଷୟ ଜାତୀୟ ସ୍ତରରେ ଚର୍ଚ୍ଚିତ ପ୍ରସଙ୍ଗ ହୋଇଥିଲା। ତେବେ ଏ ବାବଦରେ ସ୍ୱେଚ୍ଛାସେବୀ ସଂଗଠନ ‘କମନ୍‌ କଜ୍‌’ ଦ୍ୱାରା କରାଯାଇଥିବା ଏକ ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଦୁଃସାଧ୍ୟ ରୋଗରେ ପୀଡ଼ିତ ଜଣେ ରୋଗୀ ଆଉ ଆରୋଗ୍ୟ ହେବାର ଆଶା ନାହିଁ ବୋଲି ବିଶେଷଜ୍ଞ ଡାକ୍ତରମାନେ କହିବା ପରେ ସଂପୃକ୍ତ ରୋଗୀକୁ ଅଯଥାରେ କୃତ୍ରିମ ଜୀବନ ସହାୟକ ପ୍ରଣାଳୀରେ ରଖିବା ଲାଗି ମନା କରିବାର ଅଧିକାର ପ୍ରଦାନ କରିବାକୁ ‘କମନ୍‌ କଜ୍‌’ ନିବେଦନ କରିଥିଲା। ଜଣେ ରୋଗୀକୁ ତା’ ଇଚ୍ଛା ବିରୋଧରେ ଏଭଳି କୃତ୍ରିମ ଉପାୟରେ ବଞ୍ଚାଇ ରଖିବା ତା’ ଶରୀର ପ୍ରତି ଅପମାନ ବୋଲି  ‘କମନ୍‌ କଜ୍‌’ ପକ୍ଷରୁ ଯୁକ୍ତି କରାଯାଇଥିଲା।

ଏହା ଉପରେ ବିଚାର କରି ଖଣ୍ଡପୀଠର ବିଚାରପତିମାନେ ଚାରି ପ୍ରକାର ଭିନ୍ନ ମତାମତ ରଖିଥିବା ବେଳେ ‘ଲିଭିଂ ଓ୍ଵିଲ୍‌’ ପାଇଁ ସମସ୍ତେ ସହମତ ହୋଇଥିଲେ। ପ୍ରତ୍ୟେକ ମଣିଷର ସମ୍ମାନର ସହ ମୃତ୍ୟୁବରଣ କରିବାର ଅଧିକାର ରହିଛି। ଜଣେ ବ୍ୟକ୍ତିର ଯଦି ବଞ୍ଚିବାର କୌଣସି ପ୍ରକାର ସମ୍ଭାବନା ନାହିଁ ତେବେ ରୋଗଶଯ୍ୟାରେ ପଡ଼ି ଘାଣ୍ଟି ହେବା ଅପେକ୍ଷା ଯଦି ସେ ଶାନ୍ତିରେ ମରିବାକୁ ଚାହୁଥିଲେ ତା’ର ଇଚ୍ଛାକୁ ସମ୍ମାନ ଦେବା ଉଚିତ ବୋଲି ଖଣ୍ଡପୀଠ କହିଛନ୍ତି। ଯେବେ ଜୀବନର ପବିତ୍ରତା ନଷ୍ଟ ହୋଇଯାଏ, ଜୀବନର ଇନ୍ଦ୍ରଧନୁ ଯେତେବେଳେ ରଙ୍ଗହୀନ ହୋଇଯାଏ ଏବଂ ଜୀବନ ଜିଇଁବା କଷ୍ଟସାଧ୍ୟ ହୋଇପଡ଼େ, ସେତେବେଳେ  ସମ୍ମାନର ସହ ମୃତ୍ୟୁ ଭେଟିବା ଲାଗି ଅନୁମତି ଦେବାରେ ଅସୁବିଧା ନାହିଁ।  ଏଭଳି କ୍ଷେତ୍ରରେ କେତେକଙ୍କ ପାଇଁ ମୃତ୍ୟୁ ବି ଉତ୍ସବର ମୁହୂର୍ତ୍ତ ପାଲଟିଥାଏ ବୋଲି ଖଣ୍ଡପୀଠ କହିଛନ୍ତି। ତେବେ ଏଭଳି ‘ଲିଭିଂ ଓ୍ଵିଲ୍‌’ର କାର୍ଯ୍ୟକାରିତା ପାଇଁ ଅଦାଲତ କଡ଼ା ସର୍ତ୍ତ ରଖିଛନ୍ତି। ଜଣେ ରୋଗୀର ଉତ୍ତମ ମାନସିକ ଅବସ୍ଥାରେ ହିଁ ଏ ସଂକ୍ରାନ୍ତ ଦଲିଲ୍‌ ଗ୍ରହଣୀୟ ହେବ। ଅପରପକ୍ଷେ, ନିସ୍ତେଜ ଥିବା ରୋଗୀଟି ପ୍ରକୃତରେ ଆରୋଗ୍ୟ ଲାଭ କରିବାର ସମ୍ଭାବନା ଅଛି ନା ନାହିଁ ତାହା ଏକ ମେଡିକାଲ ବୋର୍ଡ ତର୍ଜମା କରି ଘୋଷଣା କରିବା ଜରୁରୀ ବୋଲି ଖଣ୍ଡପୀଠ କହିଛନ୍ତି। ସେହିପରି ରୋଗୀ ସମ୍ପର୍କୀୟଙ୍କର କୌଣସି ସମ୍ପତ୍ତିବାଡ଼ି ବିବାଦରେ ମଧ୍ୟ ‘ଲିଭିଂ ଓ୍ଵିଲ୍‌’ର ଅପବ୍ୟବହାର ଆଶଙ୍କା କରି ଅଦାଲତ ସତର୍କତା ଅବଲମ୍ବନ କରିଛନ୍ତି। କୌଣସି କ୍ଷେତ୍ରରେ ଆଗୁଆ ‘ଲିଭିଂ ଓ୍ଵିଲ୍‌’ ପ୍ରସ୍ତୁତ ହୋଇନଥିଲେ ରୋଗୀର ପରିବାର ସଦସ୍ୟ କିମ୍ବା ସମ୍ପର୍କୀୟ ନିଷ୍କ୍ରିୟ ଇଚ୍ଛାମୃତ୍ୟୁ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।

ଏହି ବେଞ୍ଚରେ ଥିବା ଅନ୍ୟ ବିଚାରପତିମାନେ ହେଲେ ଜଷ୍ଟିସ ଏକେ ସିକ୍ରି, ଏଏମ୍‌ ଖାନଓ୍ଵିଲକର, ଡି ଓ୍ଵାଇ ଚନ୍ଦ୍ରଚୂଡ଼ ଏବଂ ଅଶୋକ ଭୁଷଣ।

ସମ୍ବନ୍ଧିତ ଖବର