ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ-୨୦୧୯ର ପ୍ରଚାରରେ ବିଏସପି ସୁପ୍ରିମୋ ମାୟାବତୀଙ୍କ ବିରୋଧରେ ନିର୍ବାଚନ କମିସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ମାୟାବତୀଙ୍କ ପ୍ରଚାରରେ କଟକଣା ଜାରି କରାଯାଇ ୪୮ ଘଣ୍ଟା ପର୍ଯ୍ୟନ୍ତ ସେ କୌଣସି ପ୍ରକାର ପ୍ରଚାର କାର୍ଯ୍ୟରେ ସାମିଲ ହୋଇପାରିବେ ନାହିଁ ବୋଲି ନିର୍ବାଚନ କମିସନ ଗତକାଲି ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ସୁପ୍ରିମକୋର୍ଟ ବି ମଙ୍ଗଳବାର ମାୟାବତୀଙ୍କୁ ଝଟକା ଦେଇଛି। ମାୟାବତୀଙ୍କ ଉପରେ ନିର୍ବାଚନ କମିସନ୍ କରିଥିବା କଟକଣାକୁ ହଟାଇବାକୁ ସୁପ୍ରିମ କୋର୍ଟରେ ଆବେଦନ କରା ଯାଇଥିଲା। କିନ୍ତୁ ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି।
/sambad/media/post_attachments/wp-content/uploads/2019/04/mayawati1.jpg)
ମାୟାବତୀଙ୍କ ଆଇନଜୀବୀ ଦୁଷ୍ୟନ୍ତ ଦବେଙ୍କ କହିବାନୁସାରେ, ନିର୍ବାଚନ କମିସନ୍ ମାୟାବତୀଙ୍କୁ ତାଙ୍କ ପକ୍ଷ ରଖିବାକୁ ଦେଲେ ନାହିଁ। ଏକତରଫା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୪୮ ଘଣ୍ଟା ପାଇଁ ତାଙ୍କ ନିର୍ବାଚନ ପ୍ରଚାର ଉପରେ କଟକଣା ଲଗାଇ ଦେଇଛନ୍ତି। ଏହି ଆଦେଶକୁ ରଦ୍ଦ କରିବା ଦରକାର। ଏଥିଲାଗି ମାୟାବତୀଙ୍କ ପକ୍ଷରୁ ମଙ୍ଗଳବାର ସୁପ୍ରିମ କୋର୍ଟରେ ଆବେଦନ କରାଯାଇଥିଲା। ପ୍ରଧାନବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠରେ ଏହାର ଶୁଣାଣି କରାଯାଇଥିଲା। ଆବେଦନକୁ ଖାରଜ କରିବା ସହ ଜଷ୍ଟିସ ଗୋଗୋଇ କହିଥିଲେ, ‘ମନେହେଉଛି ନିର୍ବାଚନ କମିସନ ନିଦରୁ ଉଠିପଡ଼ିଛନ୍ତି। ନିଜ କ୍ଷମତାର ଉପଯୋଗ କରିଛନ୍ତି।’
ନିର୍ବାଚନ କମିସନ୍ଙ୍କ ଏଭଳି ନିଷ୍ପତ୍ତିରେ ମାୟାବତୀ କ୍ଷୋଭ ପ୍ରକାଶ କରିଛନ୍ତି। ମାୟାବତୀ କହିଛନ୍ତି, ନିର୍ବାଚନ କିମସନ୍ଙ୍କ ଏହି ନିଷ୍ପତ୍ତି ଏକତରଫା ଅଟେ। ମୋତେ କିଛି କହିବାର ଓ ଅଭିବ୍ୟକ୍ତିର ମୌଳିକ ଅଧିକାରରୁ ବଞ୍ଚିତ କରାଯାଇଛି। ନିର୍ବାଚନ କମିସନ୍ଙ୍କ ଇତିହାସରେ ଏହା ଏକ କଳା ଦିବସ।
/sambad/media/post_attachments/wp-content/uploads/2019/04/Mayawati-new_Social_PTI.jpg)
ନିର୍ବାଚନ ପ୍ରଚାର ବେଳେ ସାଂପ୍ରଦାୟିକ ମନ୍ତବ୍ୟ ଦେଇଥିବାରୁ ସୁପ୍ରିମ କୋର୍ଟ କ୍ଷୋଭ ପ୍ରକାଶ କରିବା ପରେ ନିର୍ବାଚନ କମିସନ୍ ମୟାବତୀଙ୍କ ନିର୍ବାଚନ ଉପରେ କଟକଣା ଲଗାଇଛନ୍ତି। ୪୮ଘଣ୍ଟା କଟକଣା ମଙ୍ଗଳବାର ସକାଳ ୬ଟାରୁ ଆରମ୍ଭ ହୋଇଯାଇଛି। ଅର୍ଥାତ୍ ମାୟାବତୀ ଏପ୍ରିଲ ୧୮ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ପାଇଁ ହେବାକୁ ଥିବା ମତଦାନ ପାଇଁ ପ୍ରଚାର କରି ପାରିବେ ନାହିଁ।