ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମ୍‌ କୋର୍ଟ

ଏସ୍‌ସି/ଏସ୍‌ଟି ଆଇନରେ ସଂଶୋଧନ ମାମଲା

ନୂଆଦିଲ୍ଲୀ: ଅନୁସୂଚୀତ ଜାତି ଓ ଜନଜାତି ନିର୍ଯାତନା ନିବାରଣ ଆଇନରେ ସଂଶୋଧନ ଅଣାଯାଇଥିବାରୁ ଏହାକୁ ଚ୍ୟାଲେଂଜ କରି ସୁପ୍ରିମ୍‌ କୋର୍ଟରେ ଅନେକ ମାମଲା ରୁଜୁ ହୋଇଛି। ଏ ବାବଦରେ କେନ୍ଦ୍ର ସରକାର ୬ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ଏ.କେ. ସିକ୍ରି ଏବଂ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ସଂସଦର ଉଭୟ ଗୃହରେ ଏସ୍‌ସି/ଏସ୍‌୍‌ଟି ଆଇନରେ ସଂଶୋଧନ ବିଲ୍‌ ଗୃହୀତ ହୋଇଛି ଏବଂ ଆଇନରେ ସଂଶୋଧନ ଯୋଗୁଁ ଏ ବାବଦରେ ପୂର୍ବରୁ ସୁପ୍ରିମ୍‌ କୋର୍ଟ ଦେଇଥିବା ରାୟ ରଦ୍ଦ ହୋଇଯାଇଛି। ଏସ୍‌୍‌ସି/ଏସ୍‌୍‌ଟି ନିର୍ଯାତନା ଆଇନରେ କାହାକୁ ତତ୍କାଳ ଗିରଫ କରାଯାଇପାରିବ ନାହିଁ ଏବଂ ଏ ବାବଦରେ ପୁଲିସର ପ୍ରାଥମିକ ତଦନ୍ତ ପରେ ହିଁ ଗିରଫଦାରୀ ହେବ ବୋଲି ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହାକୁ ନେଇ ଦେଶବ୍ୟାପୀ ବିରୋଧ ଓ ବିକ୍ଷୋଭ ହେବାରୁ ସରକାର ଆଇନରେ ସଂଶୋଧନ ଆଣି ସୁପ୍ରିମ୍‌ କୋର୍ଟ ରାୟକୁ ଅଚଳ କରିଦେଇଥିଲେ। ଅନ୍ୟପକ୍ଷରେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସବର୍ଣ୍ଣ ସଂଗଠନଗୁଡ଼ିକ ଜୋର୍‌ଦାର ବିରୋଧ ଜାରି ରଖିଛନ୍ତି। ଗତକାଲି ଏ ନେଇ ଦେଶବ୍ୟାପୀ ଧର୍ମଘଟ ହୋଇଥିଲା।

ସମ୍ବନ୍ଧିତ ଖବର