ଅନିଲ ଦେଶମୁଖଙ୍କ ଜାମିନ ବିଷୟରେ ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କୁ କହିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ : ମନିଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଜାମିନ ଆବେଦନ ଉପରେ ଶୀଘ୍ର ଶୁଣାଣି କରି ରାୟ ଦେବାକୁ ସୁପ୍ରିମ୍‌କୋର୍ଟ ବମ୍ବେ ହାଇକୋର୍ଟଙ୍କୁ ଆଦେଶ ଦେଇଛନ୍ତି।

ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଓ ହିମା କୋହଲିଙ୍କ ଖଣ୍ଡପୀଠ ଅନୁଭବ କଲେ ଯେ ମାର୍ଚ୍ଚ ୨୧ରୁ ଦେଶମୁଖଙ୍କ ଜାମିନ ଆବେଦନର ଶୁଣାଣି ଅଟକି ରହିଛି। ଯେକୌଣସି ଲୋକ ଜାମିନ ପାଇଁ ଆବେଦନ କରିଥାଏ, ସେ ଅନ୍ତତଃ ଏତିକି ଆଶା ରଖିଥାଏ ଯେ ତା’ ଆବେଦନର ଯଥାଶୀଘ୍ର ଶୁଣାଣି ହୋଇ ରାୟ ମିଳିବ। ଜାମିନ ଆବେଦନର ଶୁଣାଣି ନ କରି ପକାଇ ରଖିବା ଦ୍ବାରା ନାଗରିକର ସ୍ବଚ୍ଛନ୍ଦରେ ବଞ୍ଚିବାର ଅଧିକାର ବ୍ୟାହତ ହୋଇଥାଏ, ଯାହା ସମ୍ବିଧାନର ଧାରା ୨୧ର ପରିପନ୍ଥୀ। ତେଣୁ ଚଳିତ ସପ୍ତାହରେ ହିଁ ଆବେଦନର ଶୁଣାଣି ଆରମ୍ଭ କରିବା ଏବଂ ଯଥାଶୀଘ୍ର ତା’ ଉପରେ ନିଷ୍ପତ୍ତି ନେବା ପାଇଁ ଖଣ୍ଡପୀଠ ବମ୍ବେ ହାଇକୋର୍ଟଙ୍କୁ ଆଦେଶ ଦେଇଛନ୍ତି। ତେବେ ମାମଲାର ମେରିଟ୍ ଉପରେ କୌଣସି ମନ୍ତବ୍ୟ ଦେଇନାହାନ୍ତି ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର