ଯୌନ ଉତ୍ପୀଡ଼ନ ମାମଲାକୁ କାର୍ପେଟ ତଳେ ଚାପି ଦେଇ ହେବନାହିଁ : ଜିଲ୍ଲା ଜଜଙ୍କୁ ତଦନ୍ତର ସମ୍ମୁଖୀନ ହେବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ‘ଯୌନ ଉତ୍ପୀଡ଼ନ ମାମଲାକୁ କାର୍ପେଟ ତଳେ ଚାପିଦେବାକୁ ଅନୁମତି ଦିଆଯାଇ ପାରିବ ନାହିଁ’ ବୋଲି ସୁପ୍ରିମକୋର୍ଟ ଆଜି (ଶୁକ୍ରବାର) କହିଛନ୍ତି। ଏଥିସହ ମଧ୍ୟପ୍ରଦେଶର ଜନୈକ ଅବସରପ୍ରାପ୍ତ ଜିଲ୍ଲା ଜଜଙ୍କ ବିରୋଧରେ କନିଷ୍ଠ ମହିଳା ନ୍ୟାୟିକ ଅଧିକାରୀ ଆଣିଥିବା ଯୌନ ନିର୍ଯାତନା ଅଭିଯୋଗ ଉପରେ ହାଇକୋର୍ଟଙ୍କ ଦ୍ୱାରା ଆରମ୍ଭ ହୋଇଥିବା  ବିଭାଗୀୟ ତଦନ୍ତର ସାମ୍ନା କରିବାକୁ ଅଭିଯୁକ୍ତ ଜିଲ୍ଲା ଜଜ୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ।

ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଏ ଏସ୍‌ ବୋପାନ୍ନା ଓ ଜଷ୍ଟିସ୍‌ ଭି ରାମାସୁବ୍ରମଣ୍ୟନ୍‌ଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ଯେ ଆମେ ଯୌନ ଉତ୍ପୀଡ଼ନ ମାମଲାକୁ କାର୍ପେଟ ତଳେ ଧୋଇବାକୁ ଅନୁମତି ଦେଇ ପାରିବୁ ନାହିଁ। ଆଜିର ଶୁଣାଣି ସମୟରେ ଅଭିଯୁକ୍ତ ଜିଲ୍ଲା ଜଜଙ୍କ ପକ୍ଷରୁ ଖଣ୍ଡପୀଠଙ୍କ ନିକଟରେ ହାଜର ହୋଇଥିବା ବରିଷ୍ଠ ଓକିଲ ଆର ବାଲାସୁବ୍ରମଣ୍ୟମ କହିଥିଲେ ଯେ ସଂପୃକ୍ତା ମହିଳା ନ୍ୟାୟିକ ଅଧିକାରୀ ତାଙ୍କ ଅଭିଯୋଗକୁ ପ୍ରତ୍ୟାହାର କରିନେଇଛନ୍ତି ଏବଂ କହିଛନ୍ତି ଯେ ସେ ଆପୋଷ ବୁଝାମଣା ଚାହୁଁଛନ୍ତି; ତେଣୁ ଏହି ମାମଲାକୁ ଏହିଠାରେ ବନ୍ଦ କରି ଦିଆଯାଉ। ଏହା ଶୁଣିବା ପରେ ଖଣ୍ଡପୀଠ ନିଜର ଅସନ୍ତୋଷ ଓ ବିରକ୍ତି ପ୍ରକାଶ କରିଥିଲେ।

ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ଚାଲିଥିବା ଶୁଣାଣିରେ ଖଣ୍ଡପୀଠ ସ୍ପଷ୍ଟ କରଥିଲେ ଯେ ସେ ମଧ୍ୟପ୍ରଦେଶ ହାଇକୋର୍ଟର ଅନୁସନ୍ଧାନରେ ହସ୍ତକ୍ଷେପ କରିବେ ନାହିଁ। ଏହି ମାମଲାରେ ପୂର୍ବତନ ବିଚାରପତି ‘ଦୋଷୀ ସାବ୍ୟସ୍ତ’ ହୋଇଥିଲେ ଯଦି ସେ ଅନୁସନ୍ଧାନର ସମ୍ମୁଖୀନ ହେବାକୁ ଚାହାଁନ୍ତି ତେବେ ନିଜକୁ ନିର୍ଦ୍ଦୋଷ କରିବାରେ ତାଙ୍କ ନିକଟରେ ଏକ ସୁଯୋଗ ଥାଇପାରେ ବୋଲି ଖଣ୍ଡପୀଠ କହିଥିଲେ।

ଜଣେ କନିଷ୍ଠ ଅଧିକାରୀଙ୍କ ସହ ଏପରି ଆଚରଣ ପ୍ରଦର୍ଶନ କରିବା ଜଣେ ବିଚାରପତିଙ୍କ ପକ୍ଷରେ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ଖଣ୍ଡପୀଠ କହିଥିଲେ ଯେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେବା ପାଇଁ ହାଇକୋର୍ଟ ସର୍ବଦା ଦକ୍ଷ ଏବଂ ପୂର୍ବତନ ନ୍ୟାୟିକ ଅଧିକାରୀଙ୍କୁ ଏହାକୁ ସାମ୍ନା କରିବାକୁ ପଡିବ।

ସମ୍ବନ୍ଧିତ ଖବର