ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ମାମଲା : ବାଜିଲା ସଂସ୍କାର ଛାଟ

ଜିଲ୍ଲା ଜଜ୍‌ଙ୍କ ରିପୋର୍ଟ କାର୍ଯ୍ୟକାରୀ କରିବାକୁ ନିର୍ଦେଶ, ଆଦେଶର ଅବମାନନା କଲେ କାର୍ଯ୍ୟାନୁଷ୍ଠାନ, ରଥଯାତ୍ରା ପରେ ପୁରୀ ଆସିବେ ଗୋପାଳ ସୁବ୍ରମଣ୍ୟମ୍‌

ନୂଆଦିଲ୍ଲୀ : ଶ୍ରୀମନ୍ଦିର ପରିଚାଳନା ଅବ୍ୟବସ୍ଥା ମାମଲାରେ ଜିଲ୍ଲା ଜଜ୍‌ ଯେଉଁ ସୁପାରିସ କରିଛନ୍ତି, ତାହାକୁ କାର୍ଯ୍ୟକାରୀ କରିବାପାଇଁ ଆଜି ସର୍ବୋଚ୍ଚ ନ୍ୟାୟାଳୟ ଅର୍ଥାତ୍‌ ସୁପ୍ରିମକୋର୍ଟ ମନ୍ଦିର ପରିଚାଳନା କମିଟିକୁ ନିର୍ଦ୍ଦେଶ ଦେଇଛନ୍ତିି। ସ୍ପଷ୍ଟ ଭାବେ କହିଛନ୍ତି, ଭକ୍ତଙ୍କ ସମସ୍ତ ଦାନ ଓ ଦକ୍ଷିଣା ଯେଭଳି ଶ୍ରୀମନ୍ଦିର ହୁଣ୍ଡିକୁ ଯାଏ ତାହାକୁ ସୁନିଶ୍ଚିତ କର।

ଗତ ମାସ ୮ ତାରିଖରେ କୋର୍ଟ ଏହା ଉପରେ ହିଁ ଗୁରୁତ୍ୱ ଦେଇଥିଲେ। ହେଲେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ କିଛି ସେବାୟତଙ୍କ ଦ୍ୱାରା ଦାନ ଦକ୍ଷିଣା ଆଦାୟ ହୋଇଥିବା ନେଇ ଜିଲ୍ଲା ଜଜ୍‌ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ। ଆଜି ଶୁଣାଣି ସମୟରେ ବିଚାରପତି ଜଷ୍ଟିସ ଆଦର୍ଶ କୁମାର ଗୋଏଲ ଏବଂ ବିଚାରପତି ଜଷ୍ଟିସ ଏସ୍‌ ଅବଦୁଲ୍‌ ନଜିର ଗୋଟିଏ ପଟେ ପୁରୀ ଜିଲ୍ଲା ଜଜ୍‌ଙ୍କ ରିପୋର୍ଟ ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ, ଅନ୍ୟପଟରେ ଏହି ରିପୋର୍ଟକୁ ଗୁରୁତ୍ୱର ସହିତ ଗ୍ରହଣ କରି କଡ଼ା ଆଭିମୁଖ୍ୟ ପୋଷଣ କରିଥିଲେ।

ଆଦେଶର ଅବମାନନା କଲେ ସିସିଟିଭି ଫୁଟେଜ ଆଧାରରେ ପରବର୍ତ୍ତୀ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କୋର୍ଟ ରୋକ୍‌ଠୋକ୍‌ ଶୁଣାଇ ଥିଲେ।

ଶୁଣାଣି ସମୟରେ କୋର୍ଟ ସ୍ପଷ୍ଟ କରିଥିଲେ, ପୁରୀ ଜିଲ୍ଲା ଜଜ୍‌ଙ୍କ ଦ୍ୱାରା ଯେଉଁ ବିସ୍ତତ ରିପୋର୍ଟ ପ୍ରଦାନ କରାଯାଇଛି, ତାହା ସୁପ୍ରିମକୋର୍ଟ ଓ୍ଵବସାଇଟ୍‌, କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟର ଓ୍ଵବସାଇଟ୍‌ ତଥା ପୁରୀ ଜଗନ୍ନାଥ ମନ୍ଦିର ଓ୍ଵବସାଇଟ୍‌ରେ ଅପଲୋଡ୍‌ କରାଯିବ। ଆଜିଠାରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ପୁରୀ ଜିଲ୍ଲା ଜଜ୍‌ଙ୍କ ରିପୋର୍ଟ ଏହି ୩ଟି େଓ୍ଵବସାଇଟ୍‌ରେ ରହିବ, ଯାହାଦ୍ୱାରା ସର୍ବସାଧାରଣ ଏହି ରିପୋର୍ଟରେ ଥିବା ତଥ୍ୟ ଓ କରାଯାଇଥିବା ସୁପାରିସ ସମ୍ପର୍କରେ ଅବଗତ ହୋଇପାରିବେ। ଏହାଦ୍ୱାରା ସର୍ବସାଧାରଣ ଏହି ମାମଲାରେ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍‌ଙ୍କୁ ଶ୍ରୀମନ୍ଦିରର ଉନ୍ନତି ତଥା ସଂସ୍କାର ସମ୍ପର୍କରେ ସେମାନଙ୍କ ମତାମତ ଦେଇପାରିବେ। କୋର୍ଟ ପୁଣି କହିଥିଲେ, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ୍ଵବସାଇଟ୍‌କୁ ମଧ୍ୟ ନିୟମିତ ଭାବେ ଅପଗ୍ରେଡ୍‌ କରିବାକୁ ପଡ଼ିବ। ଏହାଦ୍ୱାରା ଭକ୍ତ ଓ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ସମ୍ପର୍କରେ ଅବଗତ ହୋଇପାରିବେ।

ଆଜିର ଶୁଣାଣି ସମୟରେ ଆମିକସ୍‌ କ୍ୟୁରି ତଥା ବରିଷ୍ଠ ଆଇନଜୀବୀ ଗୋପାଳ ସୁବ୍ରମଣ୍ୟମ୍‌ ପୁରୀ ଜିଲ୍ଲା ଜଜ୍‌ଙ୍କ ଦ୍ୱାରା ଦାଖଲ କରାଯାଇଥିବା ରିପୋର୍ଟ ଉପରେ ପ୍ରସନ୍ନତା ପ୍ରକାଶ କରିଥିଲେ। କହିଥିଲେ, ରଥଯାତ୍ରା ପରେ ସେ ଶ୍ରୀମନ୍ଦିର ପରିଦର୍ଶନ କରିବା ସହ ସଂପୃକ୍ତ ସେବାୟତ, ବ୍ୟକ୍ତି ବିଶେଷଙ୍କ ସହ ବିଚାରବିମର୍ଶ କରି ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବେ। ଅଗଷ୍ଟ ୩୧ ସୁଦ୍ଧା ଏହି ରିପୋର୍ଟ ଦାଖଲ ହେବ।

ସୁବ୍ରମଣ୍ୟମ୍‌ କହିଥିଲେ, ଶ୍ରୀଜଗନ୍ନାଥ ମନ୍ଦିରର ସଂସ୍କାର ତଥା ପରିଚାଳନାଗତ ବ୍ୟବସ୍ଥାକୁ ନେଇ କେଉଁ ସବୁ ଯୋଜନାଗୁଡ଼ିକର ଆବଶ୍ୟକତା ରହିଛି ସେ ନେଇ ରିପୋର୍ଟ ଜରିଆରେ ସେ ଅବଗତ କରିବେ। ରିପୋର୍ଟ ପ୍ରସ୍ତୁତ କରିବା ସମୟରେ ସେ ଶ୍ରୀମନ୍ଦିର ସମ୍ପର୍କରେ ପୂର୍ବରୁ ରାଜ୍ୟପାଳ ବିଡି ଶର୍ମା, ବିଚାରପତି ପିକେ ମହାନ୍ତି ଓ ବିଚାରପତି ବି ପି ଦାସଙ୍କ ରିପୋର୍ଟକୁ ମଧ୍ୟ ଅନୁଧ୍ୟାନ କରିବେ ବୋଲି ଗୋପାଳ ସୁବ୍ରମଣ୍ୟମ୍‌ ଖଣ୍ଡପୀଠଙ୍କୁ ଜଣାଇଥିଲେ। ଏହାବ୍ୟତୀତ ସେ ପୁରୀ ଜିଲ୍ଲା ଜଜ୍‌, ରାଜ୍ୟ ସରକାର ତଥା କେନ୍ଦ୍ର ସରକାରଙ୍କ ରିପୋର୍ଟକୁ ମଧ୍ୟ ବିଚାରକୁ ନେବେ।

ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ୍‌ ଜେନେରାଲ ସୂର୍ଯ୍ୟପ୍ରସାଦ ମିଶ୍ର କହିଥିଲେ, ସୁପ୍ରିମକୋର୍ଟଙ୍କ ଜୁନ୍‌ ୮ତାରିଖ ନିର୍ଦ୍ଦେଶ ଅନୁସାରେ କମିଟି ରିପୋର୍ଟ ପ୍ରଦାନ କରିବ। ରାଜ୍ୟ ସରକାର ଏକ ତିନି ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟି ରଥଯାତ୍ରା ପରେ ଦେଶର ମନ୍ଦିର ଗୁଡ଼ିକର ପରିଚାଳନା ବ୍ୟବସ୍ଥାକୁ ଅନୁଧ୍ୟାନ କରି ରିପୋର୍ଟ ଦାଖଲ କରିବେ। କୋର୍ଟ ରାଜ୍ୟ ସରକାରଙ୍କୁ କମିଟିର ରିପୋର୍ଟ ଅଗଷ୍ଟ ୩୧ ସୁଦ୍ଧା ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆବଶ୍ୟକ ହେଲେ ଜିଲ୍ଲା ଦୌରା ଜଜ୍‌ ଅଗଷ୍ଟ ୩୧ ସୁଦ୍ଧା ଅନ୍ୟ ଏକ ରିପୋର୍ଟ ଇ-ମେଲ ମାଧ୍ୟମରେ ପଠାଇବେ ବୋଲି କୋର୍ଟ କହିଥିଲେ। ସେହିଭଳି ଦୁଇ ସପ୍ତାହ ମଧ୍ୟରେ କମିଟି ଗଠନ କରି ଖଣ୍ଡପୀଠଙ୍କ ନିକଟରେ ଅଗଷ୍ଟ ୩୧ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ଖଣ୍ଡପୀଠ ଆଜି ସେବାୟତଙ୍କ ଡ୍ରେସ୍‌କୋଡ୍‌, ସ୍ୱତନ୍ତ୍ର ନିୟମାବଳୀ ସହ ଅନ୍ୟ ଧର୍ମାବଲମ୍ବୀଙ୍କୁ ମନ୍ଦିରରେ ଦର୍ଶନ ନେଇ ଅନୁମତି ଦେବା ପାଇଁ ମନ୍ଦିର ପ୍ରଶାସନ ବିଚାର କରନ୍ତୁ ବୋଲି ପରାମର୍ଶ ଦେଇଥିଲେ। ମନ୍ଦିରରେ ଭକ୍ତଙ୍କ ସମସ୍ୟା,ପରିଚାଳନାଗତ ତ୍ରୁଟି, ମନ୍ଦିରର ଆୟ ଭଳି ପ୍ରସଙ୍ଗ କେବଳ ରାଜ୍ୟ ସରକାର ବା କେନ୍ଦ୍ର ସରକାରଙ୍କ ବିଚାରର ବିଷୟ ନୁହେଁ, ଏଥିରେ କୋର୍ଟଙ୍କ ମଧ୍ୟ ଦାୟିତ୍ୱ ରହିଛି ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଥିଲେ। ଏପରିକି ଆଜମେର ସରିଫ୍‌, କଲିକତାର କାଳୀବାଡ଼ି ଭଳି ଭାରତର ପୂଣ୍ୟପୀଠ ଓ ମନ୍ଦିରମାନଙ୍କରେ ଭକ୍ତମାନଙ୍କ ସମସ୍ୟା, ଶୋଷଣ ଭଳି ପ୍ରସଙ୍ଗଗୁଡ଼ିକୁ ସେଠାର ଲୋକମାନେ ସେଠାର ଜିଲ୍ଲା ଜଜ୍‌ଙ୍କୁ ରିପୋର୍ଟ ଦ୍ୱାରା ଜଣାଇବେ ବୋଲି କୋର୍ଟ କହିଥିଲେ।

ଜିଲ୍ଲା ଜଜ୍‌ ସମ୍ପୃକ୍ତ ଜିଲ୍ଲାର ମାମଲାକୁ ହାଇକୋର୍ଟଙ୍କୁ ଜଣାଇବେ ଏବଂ ହାଇକୋର୍ଟ ଦ୍ୱାରା ମାମଲା ବିଚାର କରାଯାଇ ପଦକ୍ଷେପ ନିଆଯିବ। ସମସ୍ତ ଜିଲ୍ଲା ଏଭଳି ମାମଲା ଗୁଡ଼ିକୁ ବିଚାର କରି ହାଇକୋର୍ଟ ଗୁଡ଼ିକୁ ରିପୋର୍ଟ ପଠାଇପାରିବେ ବୋଲି କୋର୍ଟ କହିଥିଲେ। ତେବେ ଏସବୁ ରିପୋର୍ଟକୁ ଜନସ୍ୱାର୍ଥ ମାମଲା ଭାବେ ବିବେଚନା କରାଯିବ ବୋଲି କୋର୍ଟ ସ୍ପଷ୍ଟ କରିଥିଲେ।

ପ୍ରକାଶଥାଉକି, ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଜିଲ୍ଲା ଜଜ୍‌ଙ୍କ ରିପୋର୍ଟରେ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଏବଂ ଶ୍ରୀମନ୍ଦିରର ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ସହ ବୈଠକ ହୋଇଥିବା ଉଲ୍ଲେଖ କରାଯାଇଛି। ଶ୍ରୀମନ୍ଦିର ପରିଚାଳନା ସମ୍ପର୍କିତ ପୂର୍ବ ରିପୋର୍ଟ ଏବଂ ଲୋକଙ୍କ ମତାମତକୁ ମଧ୍ୟ ଏଥିରେ ସାମିଲ କରାଯାଇଛି। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସେବାୟତମାନେ ଥାଳି ମାଧ୍ୟମରେ ଦାନ ଅର୍ଥ ଗ୍ରହଣ କରୁଥିବା ପ୍ରସଙ୍ଗକୁ ବେଆଇନ ବୋଲି ଦର୍ଶାଯାଇଛି।

ଆଜିର ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିିରିକ୍ତ ସଲିସିଟର ଜେନେରାଲ ବିକ୍ରମଜିତ ବାନାର୍ଜୀ, ରାଜ୍ୟ ସରକାରଙ୍କ ଆଡଭୋକେଟ୍‌ ଜେନେରାଲ ସୂର୍ଯ୍ୟ ପ୍ରସାଦ ମିଶ୍ର, ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜା, ଆମିକସ୍‌ କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍‌, ଆବେଦନକାରୀଙ୍କ ପକ୍ଷରୁ ଶୁଭ୍ରାଂଶୁ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୫ ତାରିଖରେ ହେବ।

କ’ଣ ସୁପାରିସ କରିଛନ୍ତି ଜିଲ୍ଲା ଜଜ୍‌

୧) ପିଢ଼ିଗତ ସେବା ପଦ୍ଧତି ରଦ୍ଦ କରି ସେବାୟତ ନିଯୁକ୍ତି କରାଯାଉ
୨) ଅନ୍ନଦାନ ଆଟିକା ପାଇଁ ସଂଗ୍ରହ କରାଯାଉଥିବା ଦାନକୁ ବନ୍ଦ କରିବା
ସହିତ ଥାଳି ଦାନ ବ୍ୟବସ୍ଥାକୁ ନିଷିଦ୍ଧ କରାଯାଉ
୩) ରୋଷଘର ଓ ଚୁଲ୍ଲାର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ପ୍ରଶାସନ ହାତରେ ରହୁ
୪) ପୁରୁଷ, ମହିଳା, ସେବକଙ୍କ ପାଇଁ ପୃଥକ୍‌ ଶୌଚାଳୟର ବ୍ୟବସ୍ଥା ହେଉ
୫) ଶାନ୍ତିପୂର୍ଣ୍ଣ ଦର୍ଶନ ପାଇଁ ଧାଡ଼ି ବ୍ୟବସ୍ଥା ଲାଗୁ କରାଯାଉ
୬) ଆକାଉଣ୍ଟାଣ୍ଟ ଜେନେରାଲଙ୍କ ଦ୍ୱାରା ମନ୍ଦିର ପାଣ୍ଠିର ଅଡିଟ କରାଯାଉ
୭) ସେବକ, କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ପରିଚୟ ପତ୍ରର ବ୍ୟବସ୍ଥା ହେଉ
୮) ମନ୍ଦିର କାର୍ଯ୍ୟାଳୟରେ ଗାଇଡମାନଙ୍କୁ ପଞ୍ଜୀକୃତ କରାଯାଉ
୯) ମନ୍ଦିର ପ୍ରଶାସନରୁ ଅତିରିକ୍ତ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରାଯାଉ
୧୦) ସୁରକ୍ଷାର ପରିଚାଳନା ପାଇଁ ଏକକ କର୍ତ୍ତୃପକ୍ଷଙ୍କ ବ୍ୟବସ୍ଥା ହେଉ
୧୧) ଶ୍ରୀମନ୍ଦିର ଆଇନ, ୧୯୫୪ର ସଂଶୋଧନ କରାଯାଉ

ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ଉପରେ ବିଚାର କର

ଶୁଣାଣି ସମୟରେ ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି। ଶ୍ରୀମନ୍ଦିରକୁ ହିନ୍ଦୁ ଧର୍ମବିଶ୍ୱାସୀଙ୍କ ଛଡ଼ା ଅନ୍ୟମାନେ ଯାଇପାରିବେ କି ନାହିଁ ସେ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କହିଛନ୍ତି। ଏପରିକି କିଛି କଟକଣା ମଧ୍ୟରେ ଅନ୍ୟ ଧର୍ମବିଶ୍ୱାସୀଙ୍କୁ ମଧ୍ୟ ଶ୍ରୀଜଗନ୍ନାଥ ମନ୍ଦିର ଭିତରକୁ ଛାଡ଼ିବା ନେଇ ବିଚାର କରିବାକୁ ପ୍ରସ୍ତାବ ଦେଇଛନ୍ତି କୋର୍ଟ। କୋର୍ଟ ଏହି ଅବସରରେ ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦେଶନାମା, ଭାରତର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ପି ବି ଗଜେନ୍ଦ୍ର ଗଡ଼କରଙ୍କ ପୁସ୍ତକ ଏବଂ ଗୀତାକୁ ଉଦ୍ଧାର କରି ହିନ୍ଦୁ ଧର୍ମ ସଂପର୍କରେ ବାଖ୍ୟା କରିଛନ୍ତି।

ସମ୍ବନ୍ଧିତ ଖବର