ନୂଆଦିଲ୍ଲୀ: ଆଜୀବନ କାରାଦଣ୍ଡାଦେଶ ପାଇ ଉତ୍ତରପ୍ରଦେଶର ବିଭିନ୍ନ ଜେଲରେ ରହିଥିବା ଏବଂ ୧୪ ବର୍ଷରୁ ଅଧିକ କାଳ ଜେଲଦଣ୍ଡ ଭୋଗିସାରିଥିବା ୨,୨୦୦ ଜଣ ବନ୍ଦୀଙ୍କୁ ମୁକ୍ତି ଦେବା ବିଷୟରେ ୩ ମାସ ଭିତରେ ନିଷ୍ପତ୍ତି ନେଇ ଜଣାଇବା ପାଇଁ ସୁପ୍ରିମ୍କୋର୍ଟ ସୋମବାର ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି। ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଓ ବିଚାରପତି ପିଏସ୍ ନରସିଂହ ଓ ଜେବି ପାର୍ଦ୍ଦିୱାଲାଙ୍କ ବେଞ୍ଚ ଦେଖିଲେ ଯେ ୧୪ ବର୍ଷରୁ ଅଧିକ କାଳ ଜେଲରେ କଟାଇ ସାରିଥିବା ଆଜୀବନ ଦଣ୍ଡାଦେଶ ପାଇଥିବା ବ୍ୟକ୍ତିଙ୍କୁ ଖଲାସ କରିବା ପାଇଁ ୨୦୧୮ ପୂର୍ବରୁ ରାଜ୍ୟ ସରକାରଙ୍କର ଏକ ନୀତି ରହିଛି।
ଆମିକସ କ୍ୟୁରୀ ଋଷି ମାଲହୋତ୍ରା କହିଥିଲେ, ଜେଲରୁ ଖଲାସ ହେବା ପାଇଁ ଯୋଗ୍ୟ ୨ ହଜାରରୁ ଅଧିକ କଏଦୀ ଜେଲରେ ଅଛନ୍ତି। ସେମାନେ ଆବେଦନ ନ କଲେ ବି ରାଜ୍ୟ ସରକାର ନିଜ ଆଡ଼ୁ ସେମାନଙ୍କ ମୁକ୍ତି ବିଷୟରେ ବିଚାର କରିବା ଉଚିତ ବୋଲି ସୁପ୍ରିମ୍କୋର୍ଟ ରାୟ ଦେଇଥିଲେ ମଧ୍ୟ ରାଜ୍ୟ ସରକାର ତାହା କରିନାହାନ୍ତି। ଅପରପକ୍ଷେ ଅନେକ କଏଦୀଙ୍କ ଏ ବାବଦ ଦରଖାସ୍ତ ଆଲ୍ଲାହାବାଦ ହାଇକୋର୍ଟ ଓ ସୁପ୍ରିମ୍କୋର୍ଟରେ ପଡ଼ିଛି। ଏହାପରେ ସୁପ୍ରିମ୍କୋର୍ଟ ଉତ୍ତରପ୍ରଦେଶ ରାଜ୍ୟ ସରକାରଙ୍କୁ ତିନିମାସ ଭିତରେ ଏ ବାବଦରେ ନିଷ୍ପତ୍ତି ନେଇ କୋର୍ଟଙ୍କୁ ଅବଗତ କରାଇବାକୁ ଆଦେଶ ଦେଇଥିଲେ।