ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ମାନ୍ୟତା ହାସଲ କରିଥିବା ଦୁଇ ଜଣ ଓଡ଼ିଆ ଆଇନଜୀବୀ ମର୍ଯ୍ୟାଦାଜନକ ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ (ଏସ୍ସିବିଏ) ନିର୍ବାଚନ-୨୦୨୫ରେ ବରିଷ୍ଠ କାର୍ଯ୍ୟନିର୍ବାହୀ ସଦସ୍ୟ ପଦକୁ ନିର୍ବାଚିତ ହୋଇଛନ୍ତି। ନିର୍ବାଚିତ ହୋଇଥିବା ଦୁଇ ଓଡ଼ିଆ ଆଇନଜୀବୀ ହେଲେ ଡ. ଅନିନ୍ଦିତା ପୂଜାରୀ ଓ ଅଶୋକ ପାଣିଗ୍ରାହୀ। ସର୍ବୋଚ୍ଚ ନ୍ୟାୟାଳୟରେ ଓକିଲାତି କରିବାରେ ଉଭୟ ଆଇନଜୀବୀଙ୍କର ଦୀର୍ଘଦିନର ଅଭିଜ୍ଞତା ରହିଛି। ପୂର୍ବରୁ ଡ. ପୂଜାରୀ ଦ ବାର୍ ଆସୋସିଏସନ୍ ଅଫ ଇଣ୍ଡିଆ(ବିଏଆଇ)ର ଉପସଭାପତି, ସାଧାରଣ ସଂପାଦକ ରୂପେ ଦାୟିତ୍ବ ତୁଲାଇଛନ୍ତି। ଏଥି ସହିତ ସୁପ୍ରିମକୋର୍ଟ ଜେଣ୍ଡର୍ ସେନସିଟାଇଜେସନ୍ ଆଣ୍ଡ୍ ଇଣ୍ଟରନାଲ୍ କମିଟି(ଜିଏସ୍ଆଇସିସି)ର ସଦସ୍ୟ ରୂପେ ସେ ମନୋନୀତ ହୋଇଛନ୍ତି।
ଚଳିତ ବର୍ଷ-୨୦୨୫ର ଏସ୍ସିବିଏ ନିର୍ବାଚନରେ ବିକାଶ ସିଂହ ସଭାପତି, ରାହୁଲ କୌଶିକ ଉପସଭାପତି, ପ୍ରଜ୍ଞା ଭଗେଲ ସଂପାଦକ, ମିନେଶ ଦୁବେ ଯୁଗ୍ମ ସଂପାଦକ, ବିକ୍ରାନ୍ତ ଯାଦବ କୋଷାଧ୍ୟକ୍ଷ ଓ ସୁଶୀଲ ତୋମାର ଯୁଗ୍ମ କୋଷାଧ୍ୟକ୍ଷ ନିର୍ବାଚିତ ହୋଇଥିବା ବେଳେ ସିନିୟର ଏକ୍ଜିକ୍ୟୁଟିଭ ସଦସ୍ୟ ପଦରେ ଦୁଇ ଓଡ଼ିଆ ଆଇନଜୀବୀଙ୍କ ସମେତ ମୋଟ ୬ ଜଣ ନିର୍ବାଚିତ ହୋଇଛନ୍ତି। ୬ଟି ସିନିୟର ଏକ୍ଜିକ୍ୟୁଟିଭ ସଦସ୍ୟ ପଦ ପାଇଁ ମୋଟ ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିଥିଲେ।