ନୂଆଦିଲ୍ଲୀ: ଅଗଷ୍ଟ ୧୧ ତାରିଖରେ ଦିଲ୍ଲୀ-ଏନ୍ସିଆର୍ରେ ସମସ୍ତ ବୁଲା କୁକୁରଙ୍କୁ ଧରି ଆଶ୍ରୟସ୍ଥଳରେ ରଖିବାକୁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ରାୟକୁ ଚ୍ୟାଲେଞ୍ଜ କରି ଦାଏର କରାଯାଇଥିବା ପିଟିସନ୍ ଉପରେ ଶୁଣାଣି କରି ଅଦାଲତ ରାୟ ସଂରକ୍ଷିତ ରଖିଥିବା ବେଳେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତାକୁ ସମାଲୋଚନା କରିଛନ୍ତି। ସଂସଦ ନିୟମ ଓ ଆଇନ ପ୍ରଣୟନ କରୁଛି, କିନ୍ତୁ ତାହା କାର୍ଯ୍ୟକାରୀ ହେଉନାହିଁ। ସ୍ଥାନୀୟ କର୍ତ୍ତୃପକ୍ଷ ଯାହା କରିବା କଥା କରୁନାହାନ୍ତି। ସେମାନେ ଦାୟିତ୍ୱ ନେବା ଦରକାର ବୋଲି ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ୍ ସନ୍ଦୀପ ମେହେଟ୍ଟା ଓ ଜଷ୍ଟିସ ଏନ୍ଭି ଅଞ୍ଜରିଆଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ କହିଛନ୍ତି।
ତେବେ ଅଗଷ୍ଟ ୧୧ ତାରିଖରେ ଜଷ୍ଟିସ୍ ଜେବି ପାର୍ଦିୱାଲା ଓ ଜଷ୍ଟିସ୍ ଆର୍ ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ପୌର ସଂସ୍ଥାଗୁଡ଼ିକୁ ଜାରି କରିଥିବା ନିର୍ଦ୍ଦେଶ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ରହିତାଦେଶ ଦେଇ ନ ଥିଲେ। ଅଗଷ୍ଟ ୧୧ ତାରିଖରେ ବହୁଚର୍ଚ୍ଚିତ ରାୟରେ ସର୍ବୋଚ୍ଚ ନ୍ୟାୟାଳୟ ଦିଲ୍ଲୀ-ଏନ୍ସିଆର୍ କର୍ତ୍ତୃପକ୍ଷଙ୍କୁ ୮ ସପ୍ତାହ ମଧ୍ୟରେ ବୁଲା କୁକୁରମାନଙ୍କୁ ଧରି ଆଶ୍ରୟସ୍ଥଳୀରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଆଦେଶକୁ ନେଇ ବ୍ୟାପକ ହଙ୍ଗାମା ହେବା ପରେ ପ୍ରଧାନ ବିଚାରପତି ଏହି ମାମଲାକୁ ଦୁଇଜଣିଆ ଖଣ୍ଡପୀଠରୁ ପ୍ରତ୍ୟାହାର କରି ନେଇଥିଲେ। ଗୁରୁବାର ତିନିଜଣିଆ ଖଣ୍ଡପୀଠ କହିଛନ୍ତି ଯେ, ଅଗଷ୍ଟ ୧୧ର ରାୟ ଉପରେ କୌଣସି ଜରୁରୀ ଆଦେଶ କିମ୍ବା ସ୍ଥଗିତାଦେଶ ଆବଶ୍ୟକ ଅଛି କି ନାହିଁ ତାହା ଦେଖିବାକୁ ହେବ। ଗୋଟିଏ ପଟେ ମଣିଷ କଷ୍ଟ ଭୋଗୁଥିବା ବେଳେ ଅନ୍ୟପଟେ ପଶୁପ୍ରେମୀ ବି ଅଛନ୍ତି ବୋଲି କୋର୍ଟ କହିଛନ୍ତି।
ଆବେଦନ ଉପରେ ରାୟ ସଂରକ୍ଷିତ
ଏହି ମାମଲାରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ବେଶି ପାଟି କରୁଥିବା ସଂଖ୍ୟାଲଘୁ ଏବଂ କଷ୍ଟ ଭୋଗୁଥିବା ସତ୍ତ୍ବେ ନୀରବ ରହୁଥିବା ସଂଖ୍ୟାଗରିଷ୍ଠ ଅଛନ୍ତି। ମେହେଟ୍ଟା କହିଛନ୍ତି, ମୁଁ ଦେଖିଛି ଲୋକମାନେ ମାଂସ ଖାଇବା ଭିଡିଓ ପୋଷ୍ଟ କରୁଛନ୍ତି ଏବଂ ପରେ ନିଜକୁ ପଶୁପ୍ରେମୀ ବୋଲି ଦାବି କରୁଛନ୍ତି। ପ୍ରାରମ୍ଭରେ ସେ ସ୍ପଷ୍ଟ କରିଥିଲେ ଯେ କୁକୁର କାମୁଡ଼ା ମାମଲା ଓ ରାବିଜ୍ (ଜଳାତଙ୍କ) ମୃତ୍ୟୁ ସମ୍ପର୍କରେ ତଥ୍ୟ ପ୍ରଦାନ କରିବା ବେଳେ କେହି ପଶୁ ଘୃଣାକାରୀ ନୁହନ୍ତି। ଡବ୍ଲ୍ୟୁଏଚ୍ଓ ତଥ୍ୟ ଅନୁଯାୟୀ ବର୍ଷକୁ ୩୦୫ ଜଣଙ୍କ ଜଳାତଙ୍କରେ ମୃତ୍ୟୁ ହେଉଛି। ଅଧିକାଂଶ ପିଲାଙ୍କ ବୟସ ୧୫ ବର୍ଷରୁ କମ୍ ବୋଲି ମେହେଟ୍ଟା କହିଛନ୍ତି। ସେ ଏକ ରିପୋର୍ଟକୁ ଉଦାହରଣ ଦେଇ କହିଛନ୍ତି ଯେ, ପ୍ରତିବର୍ଷ ୩୭ ଲକ୍ଷ କୁକୁର କାମୁଡା ହୁଏ, ଯାହା କି ଦୈନିକ ହାରାହାରି ୧୦,୦୦୦। ସଲିସିଟର ଜେନେରାଲ କହିଛନ୍ତି ଯେ ବୁଲା କୁକୁରମାନଙ୍କ ବନ୍ଧ୍ୟାକରଣ ଦ୍ବାରା ଜଳାତଙ୍କ ବନ୍ଦ ହୁଏ ନାହିଁ। କୁକୁରଙ୍କୁ ମାରିବାକୁ ପଡ଼ିବ ନାହିଁ, ସେମାନଙ୍କୁ ଅଲଗା ରଖିବାକୁ ପଡ଼ିବ। ସଲିସିଟର ଜେନେରାଲଙ୍କୁ ଜବାବ ଦେଇ ପ୍ରୋଜେକ୍ଟ କାଇଣ୍ଡନେସ୍ ନାମକ ଏକ ଏନ୍ଜିଓ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଅଗଷ୍ଟ ୧୧ର ଆଦେଶ ଉପରେ ରୋକ୍ ଲଗାଇବାକୁ ଅନୁରୋଧ କରିଥିଲେ।