ନୂଆଦିଲ୍ଲୀ: ରେଣୁକାସ୍ୱାମୀ ହତ୍ୟା ମାମଲାରେ କର୍ଣ୍ଣାଟକ ହାଇକୋର୍ଟ କନ୍ନଡ ଅଭିନେତା ଦର୍ଶନଙ୍କୁ ଦେଇଥିବା ଜାମିନକୁ ସୁପ୍ରିମ୍କୋର୍ଟ ଗୁରୁବାର ରଦ୍ଦ କରିଛନ୍ତି। ଜଷ୍ଟିସ ଜେବି ପାର୍ଦିୱାଲା ଓ ଜଷ୍ଟିସ ଆର ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ୨୦୨୪ ଡିସେମ୍ବର ୧୩ ତାରିଖରେ ହାଇକୋର୍ଟ ଜାମିନ ପ୍ରଦାନ କରିବାର ଆଦେଶ ତ୍ରୁଟିପୂର୍ଣ୍ଣ ଏବଂ ଏହା ବିବେକର ଏକ ମନମୁଖୀ ପ୍ରୟୋଗ। ବିଚାରପତିମାନେ ସାକ୍ଷୀଙ୍କ ବୟାନ ଅପେକ୍ଷା ଫରେନସିକ୍ ପ୍ରମାଣକୁ ଗୁରୁତ୍ବ ଦେଇଥିଲେ। ସୁପ୍ରିମ୍କୋର୍ଟ ଆହୁରି କହିଛନ୍ତି ଯେ, ଜାମିନ ଦେବାର କୌଣସି ଆଇନଗତ କାରଣ ନାହିଁ। ଜଷ୍ଟିସ ପାର୍ଦିୱାଲା କହିଛନ୍ତି ଯେ, ହେପାଜତରେ ଦର୍ଶନଙ୍କ ପ୍ରତି କୌଣସି ସ୍ବତନ୍ତ୍ର ବ୍ୟବହାର କରାଯିବା ଉଚିତ ନୁହେଁ। ଯେଉଁଦିନ ଆମେ ଜାଣିବାକୁ ପାଇବୁ ଯେ ଅଭିଯୁକ୍ତମାନଙ୍କୁ ଜେଲ ପରିସରରେ ପଞ୍ଚତାରକା ସୁବିଧା ଦିଆଯାଉଛି, ଆମେ ଜେଲ୍ ଅଧୀକ୍ଷକଙ୍କୁ ନିଲମ୍ବିତ କରିବୁ। ସେ ଦର୍ଶନଙ୍କୁ ଶୀଘ୍ର ହେପାଜତକୁ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସର୍ବୋଚ୍ଚ ନ୍ୟାୟାଳୟ ଏହା ମଧ୍ୟ କହିଛନ୍ତି ଯେ ଦର୍ଶନ ମାମଲାର ରାୟ ଦେଶର ସମସ୍ତ ହାଇକୋର୍ଟ ଓ ଜେଲ ଅଧିକାରୀଙ୍କ ପାଇଁ ଉଦାହରଣ ସାଜିଛି। ସୁପ୍ରିମ୍କୋର୍ଟ ଏହି ରାୟକୁ ଭାରତର ସମସ୍ତ ହାଇକୋର୍ଟ ଓ ଜେଲ୍ ଅଧୀକ୍ଷକଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବେଙ୍ଗାଲୁରୁ ପୁଲିସ ନିମ୍ନ ଅଦାଲତରେ ସୁପ୍ରିମ୍କୋର୍ଟଙ୍କ ଆଦେଶ ଦାଖଲ କରିବା ପରେ ଦର୍ଶନଙ୍କୁ ଗିରଫ କରାଯାଇଛି। ଦର୍ଶନ ଓ ତାଙ୍କ ପ୍ରେମିକା ପବିତ୍ର ଗୌଡାଙ୍କ ପ୍ରଶଂସକ ଭାବେ ପରିଚିତ ୩୩ ବର୍ଷୀୟ ରେଣୁକାସ୍ୱାମୀଙ୍କ ହତ୍ୟା ଘଟଣାରୁ ଏହି ମାମଲା ସାମ୍ନାକୁ ଆସିଛି। ପୁଲିସ କହିଛି ଯେ ପୀଡ଼ିତ ଗୌଡ଼ାଙ୍କୁ ଅଶ୍ଳୀଳ ମେସେଜ ପଠାଇଥିଲେ, ଯାହା ପରେ ଦର୍ଶନ ତାଙ୍କୁ ଜୁନ୍ ୨୦୨୪ରେ ଚିତ୍ରଦୁର୍ଗାରୁ ଅପହରଣ କରି ନେଇଥିଲେ। ମୃତ୍ୟୁ ପୂର୍ବରୁ ବେଙ୍ଗାଲୁରୁର ଏକ ସେଡ୍ରେ ତାଙ୍କୁ ତିନି ଦିନ ଧରି ନିର୍ମମ ନିର୍ଯାତନା ଦିଆଯାଇଥିଲା ଏବଂ ପରେ ହତ୍ୟା କରି ତାଙ୍କ ମୃତଦେହକୁ ଏକ ଡ୍ରେନ୍ରେ ଫିଙ୍ଗି ଦିଆଯାଇଥିଲା।