ପ୍ରଧାନ ବିଚାରପତିଙ୍କୁ ନେଇ ପୁଣି ଚର୍ଚା

ନୂଆଦିଲ୍ଳୀ: ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କୁ ନେଇ ପୁଣି ଚର୍ଚା ଆରମ୍ଭ ହୋଇଛି। ରାଜ୍ୟସଭାରେ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବା ଲାଗି କଂଗ୍ରେସ ଦସ୍ତଖତ ଅଭିଯାନ ଆରମ୍ଭ କରିଥିବା ଜଣାପଡ଼ିଛି। ଏଥିରେ ତୃଣମୂଳ କଂଗ୍ରେସ, ଏନସିପି, ବାମପନ୍ଥୀ ସମେତ ଅନ୍ୟ କେତେକ ବିରୋଧୀ ଦଳ ମଧ୍ୟ ସାମିଲ ହୋଇଛନ୍ତି। କଂଗ୍ରେସର କେତେକ ନେତା କହିଛନ୍ତି ଯେ ଜଷ୍ଟିସ ମିଶ୍ରଙ୍କ କାର୍ଯ୍ୟଶୈଳିକୁ ବିରୋଧ କରି ସେମାନେ ମହାଭିଯୋଗ ଆଣିବେ। ସୁପ୍ରିମ କୋର୍ଟରେ ଅବ୍ୟବସ୍ଥା ନେଇ ୪ ଜଣ ବରିଷ୍ଠ ବିଚାରପତି ଉଠାଇଥିବା ପ୍ରସଙ୍ଗର ସମାଧାନରେ ସେ ବିଫଳ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି। ମହାଭିଯୋଗ ପ୍ରସ୍ତାବ ପାଇଁ ଅତିକମ୍‌ରେ ୫୦ ଜଣ ସାଂସଦଙ୍କ ଦସ୍ତଖତ ଦରକାର। ଆବଶ୍ୟକ ଦସ୍ତଖତ ମିଳିଲେ ଦୁଇ ତିନି ଦିନ ମଧ୍ୟରେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ମହାଭିଯୋଗ ନୋଟିସ ଦେବେ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି। ଏଭଳି ନୋଟିସ ଆସିଲେ ଭାରତର କୌଣସି ପ୍ରଧାନ ବିଚାରପତିଙ୍କ ବିରୋଧରେ ଏହା ହେବ ପ୍ରଥମ ମହାଭିଯୋଗ ପ୍ରସ୍ତାବ।

ସମ୍ବନ୍ଧିତ ଖବର