ପ୍ରଧାନମନ୍ତ୍ରୀଙ୍କୁ ପ୍ରଧାନ ବିଚାରପତିଙ୍କ ଚିଠି, ୪୩ ଲକ୍ଷରୁ ଅଧିକ ମାମଲା ଗଡ଼ୁଛି

ହାଇକୋର୍ଟରେ ୪୩ ଲକ୍ଷ, ସୁପ୍ରିମ୍‌ କୋର୍ଟରେ ୫୮, ୬୬୯ ମାମଲା

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଏବଂ ବିଭିନ୍ନ ହାଇକୋର୍ଟଗୁଡ଼ିକରେ ଏବେ ୪୩ ଲକ୍ଷରୁ ଅଧିକ ମାମଲା ପଡ଼ି ରହିଛି। ବିଚାରପତିଙ୍କର ଅଭାବ ଯୋଗୁଁ ମକଦ୍ଦମା ବୋଝ ଜଟିଳ ସ୍ଥିତି ସୃଷ୍ଟି କଲାଣି। ଏଦିଗରେ ବଳିଷ୍ଠ ପଦ‌କ୍ଷେପ ଗ୍ରହଣ କରିବା ପାଇଁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଂଜନ ଗୋଗଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୩ଟି ଚିଠି ଲେଖିଛନ୍ତି। ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରିବା ଏବଂ ହାଇକୋର୍ଟରେ ବିଚାରପତିଙ୍କ ଅବସର ବୟସ ସୀମା ବୃଦ୍ଧି କରିବାପାଇଁ ଦୁଇଟି ସାମ୍ବିଧାନିକ ସଂଶୋଧନ ଅଣାଯାଉ ବୋଲି ପ୍ରଧାନ ବିଚାରପତି ପ୍ରଧାନମନ୍ତ୍ରୀଙ୍କ ପାଖକୁ ୨ଟି ଚିଠି ଲେଖି ଜଣାଇଛନ୍ତି। ଏବେ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୧ ରହିଛି । ଏହି ସଂଖ୍ୟା ବୃଦ୍ଧି କରିବା ପାଇଁ ଏବଂ ହାଇକୋର୍ଟରେ ବିଚାରପତିଙ୍କ ଅବସର ବୟସ ୬୨ରୁ ୬୫କୁ ବୃଦ୍ଧି କରିବା ପାଇଁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ଗୋଗଇ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପାଖକୁ ଲେଖିଥିବା ତୃତୀୟ ଚିଠିରେ ଗୋଗଇ କହିଛନ୍ତି, ପୁରୁଣା ପରମ୍ପରାକୁ ପୁନଃ ଆରମ୍ଭ କରାଯାଇ ସମ୍ବିଧାନର ଧାରା ୧୨୮ ଏବଂ ଧାରା ୨୨୪-ଏ ଅଧୀନରେ ଅବସରପ୍ରାପ୍ତ ସୁପ୍ରିମ‌କୋର୍ଟ ଏବଂ ହାଇକୋର୍ଟର ବିଚାରପତିମାନଙ୍କୁ ନିଯୁକ୍ତି ଦିଆଯାଉ। ଏହାଦ୍ବାରା ସେମାନଙ୍କୁ ବର୍ଷ ବର୍ଷ ଧରି ପଡ଼ି ରହିଥିବା ମାମଲାଗୁଡ଼ିକର ବିଚାର ଦାୟିତ୍ବ ଦିଆଯାଇ ପାରିବ।

ସୁପ୍ରିମ୍‌ କୋର୍ଟ ବିଚାରପତିଙ୍କ ସଂଖ୍ୟା ଏବଂ ହାଇକୋର୍ଟ ବିଚାରପତିଙ୍କ ଅବସର ବୟସ ସୀମା ବୃଦ୍ଧି ପାଇଁ ପ୍ରସ୍ତାବ

ସୁପ୍ରିମକୋର୍ଟରେ ସମସ୍ତ ୩୧ ବିଚାରପତି ପଦବି ନିକଟରେ ପୂରଣ ହୋଇଛି। ଦେଶର ସର୍ବୋଚ୍ଚ ଅଦାଲତରେ ଏବେ ୫୮,୬୬୯ ମାମଲା ବିଚାରାଧୀନ ଥିବା ବେଳେ ୨୪ଟି ହାଇକୋର୍ଟରେ ୪୩ ଲକ୍ଷରୁ ଅଧିକ ମାମଲା ରହିଛି। ନିକଟରେ ଅଧିକରୁ ଅଧିକ ମାମଲା ରୁଜୁ ହୋଇଥିବା ଗୋଗଇ କହିଛନ୍ତି। ସୁପ୍ରିମକୋର୍ଟରେ ଦୀର୍ଘ ୨୫ ବର୍ଷ ଧରି ୨୬ଟି ମାମଲା ପଡ଼ି ରହିଥିବାବେଳେ ୨୦ ବର୍ଷ ଧରି ୧୦୦ ମାମଲା, ୧୫ ବର୍ଷ ଧରି ୫୯୩ ମାମଲା ଏବଂ ୧୦ ବର୍ଷ ଧରି ୪,୯୭୭ ମାମଲା ପଡ଼ି ରହିଛି। ୧୯୮୮‌‌ରେ ‌ସୁପ୍ରିମ୍‌ କୋର୍ଟ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇଁ ଯେଭଳି ପଦକ୍ଷେପ ଗ୍ରହଣ ହୋଇଥିଲା ଏବେ ତାହାର ପୁନରାବୃତ୍ତି ହେବା ଉଚିତ୍‌ ବୋଲି ଗୋଗଇ କହିଛନ୍ତି। ୩ ଦଶନ୍ଧୀ ପୂର୍ବେ ସୁପ୍ରିମକୋର୍ଟର ବିଚାରପତିଙ୍କ ସଂଖ୍ୟା ୧୮ରୁ ୨୬କୁ ବୃଦ୍ଧି କରାଯାଇଥିଲା। ଏହାର ୨ ଦଶନ୍ଧି ପରେ ୨୦୦୯ରେ ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା‌ ୩୧କୁ ବୃଦ୍ଧି କରାଯାଇଥିଲା। ଏବେ ଏହି ସଂଖ୍ୟାକୁ ପୁଣିଥରେ ବୃଦ୍ଧି କରାଯିବା ଉଚିତ ବୋଲି ଗୋଗଇ ଗୁରୁତ୍ବାରୋପ କରିଛନ୍ତି। ଏବେ ବିଭିନ୍ନ ହାଇକୋର୍ଟରେ ୩୯୯ ପଦ ଖାଲି ପଡ଼ିଛି। ଏହା ଖୁବ୍‌ ଶୀଘ୍ର ପୂରଣ ହେବା ଉଚିତ୍‌ ବୋଲି ଗୋଗଇ କହିଛନ୍ତି।

ସମ୍ବନ୍ଧିତ ଖବର