ନୂଆଦିଲ୍ଲୀ : ଫ୍ରାନ୍ସ ସହ ରାଫେଲ୍ ଯୁଦ୍ଧ ବିମାନ ଚୁକ୍ତିରେ କୌଣସି ଅନିୟମିତତା ହୋଇନାହିଁ। ଆଇନକାନୁନ ପରିଧି ମଧ୍ୟରେ ରହି ମୋଦୀ ସରକାର ଫ୍ରାନ୍ସ ସରକାରଙ୍କ ସହିତ ଚୁକ୍ତି କରିଛନ୍ତି। ବାୟୁସେନାର ଆବଶ୍ୟକତାକୁ ଦେଖି ସରକାର ୩୬ ଅତ୍ୟାଧୁନିକ ବିମାନ କ୍ରୟ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି ଏବଂ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ଉପରେ କୌଣସି ସନ୍ଦେହ ଉପୁଜୁନାହିଁ। ତେଣୁ ଏହା ଉପରେ କୌଣସି ତଦନ୍ତର ଆବଶ୍ୟକତା ନାହିଁ।
ସରକାର ଓ ବିରୋଧୀ ମଧ୍ୟରେ ବିବାଦର ପାହାଡ଼ ଠିଆ କରିଥିବା ରାଫେଲ୍ ଯୁଦ୍ଧ ବିମାନ ଚୁକ୍ତି ମାମଲାରେ ଚୂଡ଼ାନ୍ତ ରାୟ ଶୁଣାଇବା ପରିପ୍ରେକ୍ଷୀରେ ଶୁକ୍ରବାର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ନେତୃତ୍ବାଧୀନ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଏଭଳି କହିଛନ୍ତି। ଏଥିସହ ରାଫେଲ୍ ଚୁକ୍ତି ମାମଲାର ତଦନ୍ତ ପାଇଁ ହୋଇଥିବା ଏକାଧିକ ଆବେଦନକୁ ସୁପ୍ରିମ୍ କୋର୍ଟ ଖାରଜ କରିଦେଇଛନ୍ତି।
ସୁପ୍ରିମ୍ କୋର୍ଟ ଆହୁରି ଦର୍ଶାଇଛନ୍ତି ଯେ, ଭାରତର ପ୍ରତିପକ୍ଷ ରାଷ୍ଟ୍ରଗୁଡ଼ିକ ଅତ୍ୟାଧୁନିକ ଚତୁର୍ଥ ଓ ପଞ୍ଚମ ପିଢ଼ିର ଯୁଦ୍ଧ ବିମାନ ହାସଲ କରିସାରିଥିବା ବେଳେ ଭାରତରେ ଏହା ଏ ପର୍ଯ୍ୟନ୍ତ ଉପଲବ୍ଧ ହୋଇନାହିଁ। ଏହାର ଜରୁରୀ ଆବଶ୍ୟକତାକୁ ଲକ୍ଷ୍ୟରେ ରଖି ସରକାର ୩୬ ଅତ୍ୟାଧୁନିକ ବିମାନ ଫ୍ରାନ୍ସରୁ ଆଣିବା ପାଇଁ ଚୁକ୍ତି କରିଛନ୍ତି। ସେହିଭଳି ୧୨୬ ବିମାନ ଆବଶ୍ୟକ ଥିବାବେଳେ କାହିଁକି ୩୬ଟି କିଣିବା ପାଇଁ ସରକାର ଚୁକ୍ତି କଲେ ଏବଂ ତାହାର ମୂଲ୍ୟ ୩ ଗୁଣ ବଢ଼ିଲା କେମିତି, ତାହା ଉପରେ ପ୍ରଶ୍ନ ଉଠାଇବା ମଧ୍ୟ ଜରୁରୀ ନୁହେଁ। ୩୬ ବଦଳରେ ୧୨୬ ବିମାନ କିଣିବା ପାଇଁ ସରକାରଙ୍କୁ ବାଧ୍ୟ କରାଯାଇ ପାରିବ ନାହିଁ। ବିମାନର ଅନନ୍ୟ ଗୁଣବତ୍ତାକୁ ଦେଖିଲେ ମୂଲ୍ୟ ଉପରେ ପ୍ରଶ୍ନ ଉଠାଇବା ଜରୁରୀ ବୋଲି କୋର୍ଟ ଭାବୁନାହାନ୍ତି।
ୟୁପିଏ ସରକାର ଅମଳରେ ୧୨୬ ରାଫେଲ୍ ବିମାନ କିଣିବା ଲାଗି ଚୁକ୍ତି ହୋଇଥିଲା ବେଳେ ବିମାନ ମୂଲ୍ୟ ଯଥେଷ୍ଟ କମ୍ ଥିଲା ବୋଲି କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଥିଲେ। ଆବେଦନକାରୀମାନେ ମଧ୍ୟ ନିଜ ଯୁକ୍ତିରେ ଏହି ବିଷୟ ଉପସ୍ଥାପନ କରିଥିଲେ। ଏହାଦ୍ବାରା ମୋଦୀ ସରକାର ଅନୀଲ ଅମ୍ବାନିଙ୍କ ରିଲାଏନ୍ସ ଡିଫେନ୍ସକୁ ଅଯାଚିତ ଫାଇଦା ପହଞ୍ଚାଇଥିବା ସେମାନେ ଦର୍ଶାଇଥିଲେ। ଅନ୍ୟପକ୍ଷରେ ଖଣ୍ଡପୀଠ କହିଛନ୍ତି, ଭାରତ ସରକାରଙ୍କ ଦ୍ବାରା ସ୍ବାକ୍ଷରିତ ଏହି ଚୁକ୍ତିରେ କୌଣସି ବେସରକାରୀ କମ୍ପାନି ବାଣିଜ୍ୟିକ ଦୃଷ୍ଟିକୋଣରୁ ଲାଭବାନ ହୋଇଥିବା ରେକର୍ଡ ଉପଲବ୍ଧ ନାହିଁ। ତେଣୁ ଆବେଦନକାରୀଙ୍କ ଏଭଳି ଯୁକ୍ତି ଆଦୌ ଗ୍ରହଣୀୟ ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି।
ଖଣ୍ଡପୀଠ ଆହୁରି କହିଛନ୍ତି ଯେ ରାଫେଲ୍ ବିମାନ ମୂଲ୍ୟ ବାବଦରେ ନିର୍ଣ୍ଣୟ ନେବା ସୁପ୍ରିମ୍ କୋର୍ଟଙ୍କ କାମ ନୁହେଁ। ୟୁପିଏ ଏବଂ ମୋଦୀ ସରକାରଙ୍କ ଦ୍ବାରା ହୋଇଥିବା ଚୁକ୍ତି ମୂଲ୍ୟ ମଧ୍ୟରେ ତୁଳନା କରି କୌଣସି ନିର୍ଯାସ ବାହାର କରିବା ସର୍ବୋଚ୍ଚ ଅଦାଲତଙ୍କ କାମ ନୁହେଁ। ତା’ଛଡ଼ା ୨୦୧୬ରେ ଯେତେବେଳେ ରାଫେଲ୍ ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦିଆଗଲା, ସେତେବେଳେ କେହି ଏହାର କ୍ରୟମୂଲ୍ୟ ଉପରେ କାହିଁକି ପ୍ରଶ୍ନ ଉଠାଇନଥିଲେ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ୟୁପିଏ ବେଳେ ହୋଇଥିବା ଚୁକ୍ତି ମୁତାବକ ବିମାନ ପିଛା ମୂଲ୍ୟ ୫୨୬ କୋଟି ଟଙ୍କା ରହିଥିବା ବେଳେ ମୋଦୀ ସରକାରଙ୍କ ଚୁକ୍ତିରେ ଏହା ପାଖାପାଖି ୧୬୦୦ କୋଟି ଟଙ୍କା ରହିଛି। ଅନ୍ୟପକ୍ଷରେ ଚୁକ୍ତି ବାବଦରେ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାଁସୁଆ ଓଲାନ୍ଦ ଦେଇଥିବା ବୟାନ ନ୍ୟାୟିକ ସମୀକ୍ଷାର ଆଧାର ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି।
ସୁପ୍ରିମ୍ କୋର୍ଟଙ୍କ ଏହି ରାୟ ଦ୍ବାରା କଂଗ୍ରେସ ଓ ଅନ୍ୟ ତମାମ ବିରୋଧୀ ଦଳଗୁଡ଼ିକର ଟାର୍ଗେଟ୍ରେ ରହିଆସୁଥିବା ମୋଦୀ ସରକାରଙ୍କ ସଂକଟ ଟଳିଯାଇଛି। ୨୦୧୯ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି କରୁଥିବା ମୋଦୀ ସରକାରଙ୍କୁ ଆଶ୍ବସ୍ତି ମିଳିଛି। ଦେଶରେ ରାଜନୈତିକ ଝଡ଼ ସୃଷ୍ଟି କରିଥିବା ରାଫେଲ୍ ଯୁଦ୍ଧ ବିମାନ ଚୁକ୍ତି ପ୍ରସଙ୍ଗରେ ସୁପ୍ରିମ୍ କୋର୍ଟ ପୂର୍ବରୁ ନିଜ ରାୟ ସଂରକ୍ଷିତ ରଖିଥିଲେ। ଶୁକ୍ରବାର ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ମାମଲାର ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ଖଣ୍ଡପୀଠ କହିଛନ୍ତି, ଚୁକ୍ତି ଦ୍ବାରା କୌଣସି ଘରୋଇ ସଂସ୍ଥାକୁ ବାଣିଜ୍ୟିକ ଫାଇଦା ମିଳିଥିବା ନେଇ କୌଣସି ପ୍ରମାଣ ନାହିଁ। କୋର୍ଟଙ୍କ ନିକଟରେ ଦାଖଲ ହୋଇଥିବା ଦସ୍ତାବିଜରେ ମଧ୍ୟ କିଛି ସୁରାକ୍ ହସ୍ତଗତ ହୋଇନାହିଁ। ତେଣୁ ଏଭଳି ସମ୍ବେଦନଶୀଳ ମାମଲାରେ ସୁପ୍ରିମ୍ କୋର୍ଟ ହସ୍ତକ୍ଷେପ କରିବାକୁ ଚାହୁନାହାନ୍ତି। ତା’ଛଡ଼ା କୌଣସି ବ୍ୟକ୍ତି ବା ସଂସ୍ଥାର ସନ୍ଦେହକୁ ଆଧାର କରି ଏ ବାବଦରେ ତଦନ୍ତ ପାଇଁ ଜୋର ଦିଆଯାଇ ପାରିବ ନାହିଁ ବୋଲି ତିନିଜଣିଆ ଖଣ୍ଡପୀଠ ଦର୍ଶାଇଛନ୍ତି। ତେବେ, ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ କଂଗ୍ରେସ ଜେପିିସି ତଦନ୍ତ ଦାବି କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/Rafale-copy.jpg)