୪ ବର୍ଷ ଲିଭ୍‌-ଇନ୍‌ରେ ରହିବା ପରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ମହିଳା, ସୁପ୍ରିମକୋର୍ଟ ଅଭିଯୁକ୍ତଙ୍କୁ କଲେ ଦୋଷମୁକ୍ତ

ନୂଆଦିଲ୍ଲୀ: ଛୁରୀ ମୁନରେ ‌ଯୌନ ନିର୍ଯାତନା ଦେଇଥିବା ବ୍ୟକ୍ତିକୁ  କୌଣସି ବି ଝିଅ ପ୍ରେମ ପତ୍ର ଦେବ ନାହିଁ କି  ତା’ସହିତ ୪ ବର୍ଷ ଧରି ଲିଭ୍ ଇନ୍ ରିଲେସନସିପ୍‌ରେ ରହିବ ନାହିଁ। ଟ୍ରାଏଲ କୋର୍ଟ ଏବଂ ଝାଡ଼ଖଣ୍ଡ ହାଇକୋର୍ଟ ଜଣେ ୨୦ ବର୍ଷିଅ ଯୁବକକୁ ପ୍ରତାରଣା ଓ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିବା ପରେ ସୁପ୍ରିମକୋର୍ଟ ଅଭିଯୁକ୍ତକୁ ଦଣ୍ଡମୁକ୍ତ କରିବା ସହ ସୋମବାର ଏପରି କହିଛନ୍ତି।

ଜଷ୍ଟିସ୍ ଆର ଏଫ୍ ନରିମାନ, ଜଷ୍ଟିସ୍  ନବୀନ ସିହ୍ନା ଏବଂ ଜଷ୍ଟିସ୍ ଇନ୍ଦିରା ବାନାର୍ଜୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ମାମଲା ବିଚାର କରିବା ସମୟରେ ପ୍ରଥମେ ଅଭିଯୋଗକାରିଣୀଙ୍କ ବୟସକୁ ନେଇ ସନ୍ଦେହ ଉପୁଜିଥିଲା। ୧୯୯୫ ମସିହାରେ ଅଭିଯୁକ୍ତ ଦୁଷ୍କର୍ମର ଶିକାର ହେବା ସମୟରେ ତାଙ୍କ ବୟସ ୧୩ ବର୍ଷ ବୋଲି ଅଭିଯୋଗ କରି ୧୯୯୯ରେ ଏଫ୍‌ଆଇଆର୍‌ ରୁଜୁ କରିଥିଲେ। ମାତ୍ର ୧୯୯୯ରେ ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିଥିଲା କି ତାଙ୍କ ବୟସ ୨୫ ବର୍ଷ।

ଅଭିଯୋଗକାରୀଣୀ ଦାବି କରିଥିଲେ  ଯୌନ ନିର୍ଯାତନା ପରେ ସେ ଚାରି ବର୍ଷ ପର୍ଯ୍ୟନ୍ତ ଚୁପ୍ ରହିଥିଲେ କାରଣ ଦୁଷ୍କର୍ମ କରିଥିବା ବ୍ୟକ୍ତି ତାଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ଏବଂ ସେମାନଙ୍କ ପରିବାର ସେମାନଙ୍କର ନିର୍ବନ୍ଧ କରିଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ସେମାନେ ‘ସ୍ୱାମୀ-ସ୍ତ୍ରୀ ପରି ଜୀବନଯାପନ’ କରୁଥିଲେ। ଯେ‌ତେବେଳେ ଜାଣିଲେ ସେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରୁଛନ୍ତି ତା’ପ‌ରେ ଅଭିଯୋଗକାରିଣୀ ଦୁଷ୍କର୍ମ ଓ ପ୍ରତାରଣା ଅଭିଯୋଗରେ ଏଫ୍ଆଇଆର୍ ଦାଖଲ କରିଥିଲେ।

ଖଣ୍ଡପୀଠ ଏହି ମାମଲାର ତଦନ୍ତ କରି ଜାଣିବାକୁ ପାଇଲେ ଯେ ଦୁଇଜଣ ଭିନ୍ନ ଧର୍ମର ଅଟନ୍ତି ଏବଂ ଏହା ବିବାହ ଉତ୍ସବ ପାଇଁ ମୁଖ୍ୟ ପ୍ରତିବନ୍ଧକ ଥିଲା ଧର୍ମ ବିଶ୍ବାସ । ଝିଅର ପରିବାର ଏକ ଚର୍ଚ୍ଚରେ ବିବାହ ଚାହୁଁଥିବା ବେଳେ, ପୁଅର ପରିବାର ଏକ ମନ୍ଦିର ସମାରୋହରେ ବିବାହ ପାଇଁ ଜିଦ୍‌ ଧରିଥିଲେ।

ଜଷ୍ଟିସ୍ ସିହ୍ନା ତାଙ୍କ ରାୟରେ ଲେଖିଛନ୍ତି ଯେ ‘ପୁରୁଷ ଅନୁସୂଚିତ ଜନଜାତିର ହୋଇଥିବା ବେଳେ ମହିଳା ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଥିଲେ। ସେମାନେ ସମାନ ଗାଁରେ ରହୁଥିଲେ ଏବଂ ପରସ୍ପରର ଜଣାଶୁଣା ଥିଲେ। ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା। ମହିଳା ଜଣକ ଯାଇ ପୁରୁଷଙ୍କ ଘରେ ରହୁଥିଲେ। ପୁରୁଷ ଯଦି ମହିଳାଙ୍କୁ ବିବାହ କରିଥାନ୍ତେ ତେବେ ସେ ମାମଲା ଦାୟର କରି ନଥାନ୍ତେ।’

ସମ୍ବନ୍ଧିତ ଖବର

Comments are closed.