ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଭାବରେ ୭ଜଣ ଓକିଲଙ୍କୁ ନିଯୁକ୍ତି ଦେବାକୁ ସୁପାରିଶ କଲେ ସୁପ୍ରିମ୍‌କୋର୍ଟ କଲେଜିୟମ୍‌

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମନ୍ନାଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ କଲେଜିୟମ ଶୁକ୍ରବାର ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଭାବରେ ନିଯୁକ୍ତି ପ୍ରଦାନ କରିବାକୁ ସାତ ଜଣ ଓକିଲଙ୍କ ନାମ ସୁପାରିଶ କରିଛନ୍ତି।

ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ଦେବା ପାଇଁ ସୁପ୍ରିମକୋର୍ଟ କଲେଜିୟମ ଦ୍ୱାରା ସୁପାରିଶ କରାଯାଇଥିବା ସାତ ଜଣ ଓକିଲଙ୍କ ନାମ ହେଉଛି ବିକାଶ ମହାଜନ, ତୁଷାର ରାଓ ଗଡେଲା, ମନମିତ ପ୍ରୀତମ ସିଂ ଆରୋରା, ସଚିନ ଦତ୍ତା, ଅମିତ ମହାଜନ, ଗୌରାଙ୍ଗ କାନ୍ତ ଏବଂ ସୌରଭ ବାନାର୍ଜୀ।

ଏହି ସାତ ଜଣ ଓକିଲଙ୍କ ମଧ୍ୟରୁ ଦୁଇଜଣ ଦିଲ୍ଲୀ ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ଦୁଇଜଣ କିଛି ବର୍ଷ ପୂର୍ବେ କୋର୍ଟରେ କେନ୍ଦ୍ରର ପ୍ରତିନିଧିତ୍ୱ କରୁଥିଲେ।
ଦିଲ୍ଲୀ ହାଇକୋର୍ଟ ବର୍ତ୍ତମାନ ୬୦ ଜଣ ବିଚାରପତିଙ୍କ ପାଇଁ ଅନୁମୋଦିତ ବ୍ୟବସ୍ଥା ରହିଥିବା ବେଳେ ଏବେ ମାତ୍ର ୩୫ ଜଣ ବିଚାରପତି କାର୍ଯ୍ୟ କରୁଛନ୍ତି।

ଦିଲ୍ଲୀ ହାଇକୋର୍ଟ ବ୍ୟତୀତ ସୁପ୍ରିମକୋର୍ଟ କଲେଜିୟମ ପାଟନା ହାଇକୋର୍ଟ ଏବଂ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ଜଣେ ଓକିଲଙ୍କ ସମେତ ସାତ ଜଣ ନ୍ୟାୟିକ ଅଧିକାରୀଙ୍କୁ ବିଚାରପତି ଭାବେ ନିଯୁକ୍ତି ଦେବା ପାଇଁ ମଧ୍ୟ ସୁପାରିଶ କରିଛି।

କଲେଜିୟମରେ ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌ ଭି ରମନ୍ନା ଏବଂ ଜଷ୍ଟିସ ୟୁ ୟୁ ଲଳିତ, ଜଷ୍ଟିସ ଏ ଏମ ଖାନୱିଲକର, ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ଏଲ ନାଗେଶ୍ୱର ରାଓଙ୍କୁ ନେଇ ବସିଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା।

ସମ୍ବନ୍ଧିତ ଖବର