ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ ସେମାନଙ୍କ ଅନୁରୋଧକ୍ରମେ ହାଇକୋର୍ଟର ୩ ଜଣ ବିଚାରପତିଙ୍କ ବଦଳି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି।
ଜଷ୍ଟିସ୍ ସଞ୍ଜୀବ ଖାନ୍ନା, ଜଷ୍ଟିସ୍ ବିଆର୍ ଗବାଇ, ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ କଲେଜିୟମ୍ ମଙ୍ଗଳବାର ଅନୁଷ୍ଠିତ ଏକ ବୈଠକରେ କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ମୌସୁମୀ ଭଟ୍ଟାଚାର୍ଯ୍ୟଙ୍କ ଅନୁରୋଧକୁ ଗ୍ରହଣ କରି ତାଙ୍କୁ ଅନ୍ୟ କୌଣସି ହାଇକୋର୍ଟକୁ ବଦଳି କରିବାକୁ ଅନୁରୋଧ କରିଛନ୍ତି।
୨୦୨୪ ଫେବ୍ରୁଆରି ୧୨ ତାରିଖରେ ଏକ ଚିଠି ଜରିଆରେ ଜଷ୍ଟିସ୍ ମୌସୁମୀ ଭଟ୍ଟାଚାର୍ଯ୍ୟ ବ୍ୟକ୍ତିଗତ କାରଣରୁ ତାଙ୍କୁ କଲିକତା ହାଇକୋର୍ଟରୁ ଅନ୍ୟ କୌଣସି ହାଇକୋର୍ଟକୁ ବଦଳି କରିବାକୁ ଅନୁରୋଧ କରିଥିଲେ। ଉନ୍ନତ ନ୍ୟାୟ ପ୍ରଶାସନ ସ୍ୱାର୍ଥଦୃଷ୍ଟିରୁ ଜଷ୍ଟିସ ମୌସୁମୀ ଭଟ୍ଟାଚାର୍ଯ୍ୟଙ୍କୁ ତେଲେଙ୍ଗାନା ରାଜ୍ୟ ହାଇକୋର୍ଟକୁ ବଦଳି କରିବାକୁ କଲେଜିୟମ୍ ନିଷ୍ପତି ଗ୍ରହଣ କରିଛି ବୋଲି କଲେଜିୟମ୍ କହିଛି।
କେରଳ ରାଜ୍ୟରୁ ବଦଳି ପାଇଁ ଆବେଦନ କରିଥିବା ଜଷ୍ଟିସ ଅନୁ ଶିବରମଣଙ୍କ ଅନୁରୋଧକୁ ମଧ୍ୟ କଲେଜିୟମ ଗ୍ରହଣ କରିଛନ୍ତି। ଜଷ୍ଟିସ ଅନୁ ଶିବରମଣଙ୍କୁ କର୍ଣ୍ଣାଟକ ହାଇକୋର୍ଟକୁ ବଦଳି କରିବାକୁ କଲେଜିୟମ୍ ନିଷ୍ପତି ଗ୍ରହଣ କରିଛି।
ଅନ୍ୟ ଏକ ନିଷ୍ପତିରେ କଲେଜିୟମ କହିଛି ଯେ ତାଙ୍କ ପୁଅ ମଧ୍ୟପ୍ରଦେଶ ହାଇକୋର୍ଟରେ ଓକିଲାତି କରୁଥିବା ଦର୍ଶାଇ ବଦଳି ପାଇଁ ଜଷ୍ଟିସ ସୁଜୟ ପାଲଙ୍କ ଠାରୁ ୨୦୧୪ ଫେବ୍ରୁଆରି ୧୨ ତାରିଖରେ ଚିଠି ଆସିଥିଲା। କଲେଜିୟମ କହିଛି ଯେ ଉନ୍ନତ ନ୍ୟାୟ ପ୍ରଶାସନ ସ୍ୱାର୍ଥରେ ଜଷ୍ଟିସ ସୁଜୟ ପାଲଙ୍କୁ ତେଲେଙ୍ଗାନା ହାଇକୋର୍ଟକୁ ବଦଳି କରିବାକୁ ସୁପାରିସ କରିବାକୁ କଲେଜିୟମ ନିଷ୍ପତି ଗ୍ରହଣ କରିଛି।